ଚୟନ କମିଟି ବିରୋଧରେ ବିଷୋଦଗାର
ପୁଣି ବିବାଦ ଘେରରେ ଛନ୍ଦିହେଲା ଓସିଏ ବା ଓଡିଶା କ୍ରିକେଟ ଆସୋସିଏସନ୍ । ଓସିଏ ଚୟନ କମିଟି ବିରୋଧରେ ଆସିଛି ପ୍ରିୟାପ୍ରୀତି ତୋଷଣ ଅଭିଯୋଗ । ଓଡିଶା ସିନିୟର ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସିନିୟର ଚୟନ କମିଟିକୁ ସେ ଟାର୍ଗେଟ କରିଛନ୍ତି । ଖେଳାଳି ଚୟନରେ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛନ୍ତି ସୂର୍ଯ୍ୟକାନ୍ତ । ସେ କହିଛନ୍ତି, ଚୟନ ପ୍ରକ୍ରିୟାରେ ସିନିୟର ଖେଳାଳିଙ୍କୁ ଅଣଦେଖା କରାଯାଉଛି । ପ୍ରତିଭା ଓ ଭଲ ପ୍ରଦର୍ଶନ ଥିବା ସତ୍ତ୍ୱେ ଟିମରେ ତାଙ୍କୁ ସ୍ଥାନ ମିଳିନଥିବା ଅଭିଯୋଗ କରିଛନ୍ତି । ଚୟନ କମିଟି ଉପରେ ଆରୋପ ଲଗାଇ ସେ କହିଛନ୍ତି ଯେ, ନିଜ ପରିଚିତ ଖେଳାଳିଙ୍କୁ ଟିମରେ ସ୍ଥାନ ଦେଉଛନ୍ତି ଚୟନକର୍ତ୍ତା ।
ସୂର୍ଯ୍ୟକାନ୍ତଙ୍କ ଅଭିଯୋଗ ଅନୁଯାୟୀ , ଭଲ ପ୍ରଦର୍ଶନ ଥାଇ ମଧ୍ୟ ସୟିଦ ମୁସ୍ତାକ ଅଲି ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ତାଙ୍କୁ ଚୟନ କରାଯାଇନାହିଁ । ଚୟନ କମିଟି ବ୍ୟାପକ ଅନିୟମିତତା କରି ସେମାନଙ୍କ ପିଲାଙ୍କୁ ଟିମରେ ରଖିଥିବା ଗଣମାଧ୍ୟମ ଆଗରେ କହିଛନ୍ତି ସୂର୍ଯ୍ୟକାନ୍ତ। ୧୨ବର୍ଷର କ୍ରିକେଟ କ୍ୟାରିୟରରେ ସେ ୬୨ ମ୍ୟାଚ ଖେଳିଛନ୍ତି । ୧୮୭ ଟି ୱିକେଟ ନେବା ସହ ୧୨୮୦ ରନ କରିଛନ୍ତି ଅଲରାଉଣ୍ଡର ସୂର୍ଯ୍ୟକାନ୍ତ ।
ଅଧିକ ପଢନ୍ତୁ:ପ୍ରତିଭାଶାଳୀ ଓପନର୍ ପୃଥ୍ୱୀ ଶ’ଙ୍କ କ୍ୟାରିଅର୍ର ପୁନରୁତ୍ଥାନ ସମ୍ଭବ କି ?
ବର୍ତ୍ତମାନ ଚୟନ କମିଟି ଅଧକ୍ଷ ଦାୟିତ୍ୱ ରେ ରହିଛନ୍ତି ଅମୀୟ ରାୟ । ଏହା ସହ ୩ ଜଣ ସଦସ୍ୟ ମଧ୍ୟ ଏହି କମିଟିରେ ରହିଛନ୍ତି। ତେବେ ଚୟନ କମିଟି ଅଧ୍ୟକ୍ଷ ନିଜ କ୍ଳବରୁ ପିଲା ଆଣି ଓଡିଶା ଦଳରେ ଖେଳାଇଥିବା ଅଭିଯୋଗ କରିଛନ୍ତି ସୂର୍ଯ୍ୟକାନ୍ତ । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ଦିଗରେ ଦୃଷ୍ଟି ଦେବା ପାଇଁ ସେ ଅନୁରୋଧ କରିଛନ୍ତି । କାରଣ ବିସିସିଆଇ ଘରୋଇ ସିଜିନରେ ଦୀର୍ଘ ଅନେକ ବର୍ଷ ଧରି ଖରାପ ପ୍ରଦର୍ଶନ କରି ଆସୁଛି ଓଡିଶା। ତେଣୁ ଏବେଠୁ ଓସିଏ ପକ୍ଷରୁ ଚୟନ କମିଟି ଉପରେ ଯଦି ଦୃଷ୍ଟି ଦିଆନଯାଏ ତେବେ ଓଡିଶା କ୍ରିକେଟ ଆହୁରି ବଦନାମ୍ ହେବ ବୋଲି ସେ କହିଛନ୍ତି । ପୂର୍ବରୁ ଖେଳାଳି ଚୟନକୁ ନେଇ ଓସିଏ ଅନେକ ସମୟରେ ବିବାଦ ମଧ୍ୟକୁ ଆସିଛି । ଅଭିଯୋଗ ହୁଏ ଯେଉଁମାନେ ଚୟନ କମିଟିରେ ରୁହନ୍ତି, ସେମାନେ ସେମାନଙ୍କ କ୍ଲବର ପିଲାଙ୍କୁ ପ୍ରାଧାନ୍ୟ ଦିଅନ୍ତି । କିନ୍ତୁ ଏହା ମଧ୍ୟ ଦେଖାଯାଏ ଯେ, ଯେଉଁମାନେ ମୁହଁ ଖୋଲନ୍ତି ସେମାନଙ୍କୁ ସହଜରେ ଆଉ ଖେଳିବାର ସୁଯୋଗ ମିଳେନାହିଁ । ବିଭିନ୍ନ ଆଳରେ ସେମାନଙ୍କୁ ଆକ୍ରୋଶର ଶିକାର ହେବାକୁ ପଡେ ବୋଲି ଅଭିଯୋଗ ହୁଏ । ତେବେ ସୂର୍ଯ୍ୟକାନ୍ତ ଚୟନ କମିଟି ବିରୋଧରେ ବିଷୋଦଗାର କରିଛନ୍ତି । କିନ୍ତୁ ଓସିଏ ବିରୋଧରେ ସିଧାସଳଖ କିଛି କହିନାହାନ୍ତି । ଏବେ ଓଡିଶା ଟିମ୍ ଭଲ ପ୍ରଦର୍ଶନ କରୁନାହିଁ । ତେଣୁ ଓସିଏ ସଂପାଦକ ଏଥିପ୍ରତି ଦୃଷ୍ଟିଦେବାକୁ ସେ ଅନୁରୋଧ କରିଛନ୍ତି । ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଚୟନ କମିଟି ଅଧ୍ୟକ୍ଷ କିମ୍ୱା ଓସିଏ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733663478.jpg)