ସୁପର ସଣ୍ଡେରେ ସୁପର ସୋ’। ପୁଣି ଏକ ରବିବାର ପୁଣି ଏକ ହାଇଭୋଲଟେଜ୍ ମ୍ୟାଚ । ଏଥର କିନ୍ତୁ ବାଜି ଫାଇନାଲ୍ ଫାଇଟ୍ ପାଇଁ, ଟାଇଟଲ ହାସଲ ଲାଗି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ । ତେବେ ଫାଇନାଲ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଚୁଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅର୍ଥାତ ସେମିଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ଯେଉଁ ଦଳ ସହ ଭାରତ ଓହ୍ଲାଇଥିଲା, ଆଜି ମଧ୍ୟ ସେହି ଟିମ୍ ସହ ଫାଇନାଲ ମ୍ୟାଚ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା ।
Also Read
ଅଧିକ ପଢ଼ନ୍ତୁ: ରୋହିତ ରଚିବେ ଚକ୍ରବ୍ୟୁହ, ଶିକାର କରିବେ ଚକ୍ରବର୍ତ୍ତୀ
ସେପଟେ ୨୫ ବର୍ଷ ପରେ ଭାରତକୁ ମିଳିଛି ପ୍ରତିଶୋଧର ସୁଯୋଗ । ଅଢେଇ ଦଶନ୍ଧି ପରେ ବଦଲା ନେବ ଟିମ୍ ଇଣ୍ଡିଆ । ମିନି ୱାର୍ଲ୍ଡ କପ୍ କୁହାଯାଉଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଭାରତ-ନ୍ୟୁଜିଲାଣ୍ଡ । ଦୁବାଇରେ ଦମ୍ ଦେଖାଇବାକୁ ତୟାର ରୋହିତ ବାହିନୀ । ପୁଣି ଏକ ରବିବାର, ପୁଣି ଏକ ହାଇଭୋଲଟେଜ୍ ମ୍ୟାଚ୍ । ଏଥର କିନ୍ତୁ ବାଜି ଫାଇନାଲ୍ ଫାଇଟ୍ର । ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ଆଇସିସି ଚାମ୍ପିଆନ୍ସ ଟ୍ରଫି ଟାଇଟଲ୍ ପାଇଁ ଜି ଜାନ୍ ଲଗାଇ ଲଢ଼େଇ କରିବେ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ।
ତେବେ ଚଳିତ ଚାମ୍ପିୟନ୍ସ ଟ୍ରଫିର ପ୍ରଦର୍ଶନ ଉପରେ ନଜର ପକାଇବା ତାହାଲେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ପଲ୍ଲା ଭାରି ରହିଛି । କାରଣ ଫାଇନାଲ ପୂର୍ବରୁ ଉଭୟ ଦଳ ମଧ୍ୟରେ ହୋଇଥିବା ଲିଗ୍ ମ୍ୟାଚରେ କିୱି ଟିମ୍କୁ ମାତ ଦେଇଛି ଭାରତ । ଏକମାତ୍ର ଦଳ ଭାବେ ଲିଗ୍ ଷ୍ଟେଜ୍ରେ ସମସ୍ତ ମ୍ୟାଚ୍ରେ ବିଜୟ ଲାଭ କରିଛି । ତେଣୁ ଅପରାଜେୟ ଟିମ୍ର ଗରିମା ବହନ କରି ଫାଇନାଲରେ ପ୍ରବେଶ କରୁଥିବା ଟିମ୍ ଇଣ୍ଡିଆ ଦୃଢ ମନୋବଳ ସହ ମୈଦାନକୁ ଓହ୍ଲାଇବ ।
ସେପଟେ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତ ପଞ୍ଚମ ଏବଂ ଲଗାତାର ତୃତୀୟ ଥର ପାଇଁ ଫାଇନାଲ ଖେଳିବ । ୨୦୦୦ ଚାମ୍ପିୟନ୍ସ ଟ୍ରଫିରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା । ୨୦୦୨ରେ ବର୍ଷା ବାଧାପ୍ରାପ୍ତ ଫାଇନାଲ ମୁକାବିଲାରେ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ବିଜେତା ହୋଇଥିଲେ ।
ସେହିପରି ୨୦୧୩ରେ ଆୟୋଜକ ଇଂଲଣ୍ଡକୁ ହରାଇ ଦ୍ବିତୀୟ ଥର ପାଇଁ ବିଜୟ ମୁକୁଟ ପିନ୍ଧିଥିଲା ଟିମ୍ ଇଣ୍ଡିଆ । ହେଲେ ୨୦୧୭ ସଂସ୍କରଣରେ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା । ତେବେ ଏଥର ତୃତୀୟ ଥର ପାଇଁ ଟ୍ରଫି ହାତେଇ ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ଥର ବିଜେତା ହେବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।
ଭାରତର ଚୁଡ଼ାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଶୁଭମନ ଗିଲ୍, ଶ୍ରେୟସ ଆୟର, ଅକ୍ଷର ପଟେଲ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ସାମି, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ
ନ୍ୟୁଜିଲାଣ୍ଡର ଚୁଡ଼ାନ୍ତ ଏକାଦଶ: ୱିଲ ୟଙ୍ଗ, ରଚିନ ରବିନ୍ଦ୍ର, କେନ ୱିଲିୟମସନ, ଡାରିଲ ମିଚେଲ, ଟମ୍ ଲାଥମ୍, ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ୍, ମିଚେଲ ସାଣ୍ଟନର (ଅଧିନାୟକ), କେଲି ଜାମିସନ, ନାଥାନ ସ୍ମିଥ୍, ୱିଲ ଓ’ରୁର୍କ