/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635347541.jpg)
Pramod Bhagat
ଭୁବନେଶ୍ୱର: ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ। ୨୦୨୧ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ୧୧ ଜଣଙ୍କ ନାଁ ସୁପାରିସ କରାଯାଇଥିବା ବେଳେ ସେଥିରେ ରହିଛି ଓଡ଼ିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ନାଁ। ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ। ସେହିପରି ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ନାଁ ମଧ୍ୟ ଖେଳରତ୍ନ ପାଇଁ ସୁପାରିସ କରାଯାଇଛି।
ଏଥିସହ କ୍ରିକେଟର ମିତାଲି ରାଜ, ଭାରତୀୟ ହକି ଦଳର ଗୋଲ କିପର ପିଆର୍ ଶ୍ରୀଜେଶ, କୁସ୍ତି ଯୋଦ୍ଧା ରବି ଦହିୟା, ପାରା ଆଥଲେଟ୍ ଅଭନୀ ଲେଖାରା, ସୁମିତ ଅନ୍ତିଲ, ମନୀଶ ନରୱାଲଙ୍କ ନାଁ ମଧ୍ୟ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଏଥିସହ ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ ଏବଂ ଅଲମ୍ପିକ୍ସ ପଦକ ବିଜୟିନୀ ବକ୍ସର ଲଭଲିନାଙ୍କ ଭଳି ୧୧ ଜଣଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ କରାଯାଇଛି। ସେହିପରି ଅର୍ଜୁନ ପୁରସ୍କାର ପାଇଁ ୩୫ ଜଣ ଖେଳାଳିଙ୍କ ନାଁ ସୁପାରିସ ହୋଇଛି।
୨୦୨୧ ବର୍ଷ ଭାରତୀୟ କ୍ରୀଡ଼ା ଜଗତ ପାଇଁ ବେଶ୍ ସ୍ମରଣୀୟ ବର୍ଷ। ଭାରତୀୟ କ୍ରୀଡ଼ାବିତ୍ ଭାବେ ଉଭୟ ଟୋକିଓ ଅଲିମ୍ପିକ୍ସ ଓ ଟୋକିଓ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଥିଲେ। ଚଳିତ ବର୍ଷ ଟୋକିଓରେ ଆୟୋଜିତ ପାରାଲିମ୍ପିକ୍ସରେ ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ ବ୍ୟାଡମିଣ୍ଟନ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପାରାଲିମ୍ପିକ୍ସ ପୂର୍ବରୁ ପ୍ରମୋଦଙ୍କ ନାଁ ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରାଯାଇଥିଲା।
ସେହିପରି ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ସେ ଭାରତର ପ୍ରଥମ କ୍ରୀଡ଼ାବିତ୍ ଭାବେ ଅଲିମ୍ପିକ୍ସର ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର କ୍ରୀଡ଼ାବିତ୍ ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନାଁ ବଦଳାଇ ଦିଆଯାଇଥିଲା। ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାଁକୁ ହଟାଇ ଦିଆଯାଇଥିବା ବେଳେ ଏବେ ଏହାକୁ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର‘ ନାଁରେ ନାମିତ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)