/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722516948.jpg)
Paris Olympics 2024
କ୍ରୀଡାର ସବୁଠୁ ବଡ଼ ମଞ୍ଚରେ ଜଣେ ଆଥଲେଟ୍ର ସ୍ୱପ୍ନ ଥାଏ ଅଲମ୍ପିକ୍ସ ମେଡାଲ୍ ଜିତିବା । ଯେତେ ବି କଷ୍ଟ ହେଉ ନା କାହିଁକି । ଯାହା ଘଟିଛି ଇଜିପ୍ଟର ଖେଳାଳି ୨୬ ବର୍ଷୀୟା ଅସିଚାଳିକା ନାଦା ହାଫିଜ୍ଙ୍କ କ୍ଷେତ୍ରରେ । ଯାହାଙ୍କୁ ନେଇ ଏବେ ବିଶ୍ବରେ ବି ଚର୍ଚ୍ଚା । ଯାହା ସମସ୍ତ ଆଥଲେଟ୍ଙ୍କୁ ପ୍ରେରଣା ଯୋଗାଇଛି ।
ଅଲିମ୍ପିକ୍ସ ଅଂଶଗ୍ରହଣର ସ୍ବପ୍ନ ଆଗରେ ଅନେକ ଆହ୍ବାନ ପଛରେ ପଡ଼ିଯାଇଥାଏ । ଏହି ଧାରାରେ ସାମିଲ ହୋଇ ଜଣେ ଇଜିପ୍ଟ ଖେଳାଳି ୭ ମାସର ଗର୍ଭବତୀ ଥାଇ ମଧ୍ୟ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଇ ଚର୍ଚ୍ଚାକୁ ଆସିଛନ୍ତି । ୨୬ ବର୍ଷୀୟା ଅସିଚାଳିକା ନାଦା ହାଫିଜ୍ ପ୍ୟାରିସ୍ରେ ନିଜର ତୃତୀୟ ଅଲିମ୍ପିକ୍ସ ଅଂଶଗ୍ରହଣ ସୁଯୋଗ ହାତଛଡ଼ା କରିନାହାନ୍ତି । ପ୍ରି-କ୍ବାର୍ଟରଫାଇନାଲ୍ରେ ଦକ୍ଷିଣ କୋରିଆର ଜିଓନ୍ ହୟଙ୍ଗଙ୍କଠାରୁ ୭-୧୫ରେ ହାରି ବିଦାୟ ନେବା ପୂର୍ବରୁ ସେ ବିଶ୍ବର ୧୦ ନମ୍ବର ଆମେରିକୀୟ ଖେଳାଳି ଏଲିଜାବେଥ ତାର୍ତାକୋସ୍କିଙ୍କୁ ମଧ୍ୟ ମାତ ଦେଇଥିଲେ।
ହାଫିଜ୍ ନିଜ ଇନଷ୍ଟାଗ୍ରାମ୍ ପେଜ୍ରେ ଲେଖିଛନ୍ତି ଯେ, ‘ମୁଁ କେବଳ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଛି ବୋଲି ଗର୍ବିତ ନୁହେଁ, ଗର୍ଭବତୀ ଥାଇ ଭାଗ ନେଇଥିବାରୁ ଖୁସି ହୋଇଛି । ଏ ଅଲିମ୍ପିକ୍ସ ମୋ ପାଇଁ ସ୍ବତନ୍ତ୍ର ହୋଇ ରହିବ । ତିନି ଥର ଅଲିମ୍ପିଆନ୍ ଜଣେ ଲିଟିଲ୍ ଅଲିମ୍ପିଆନ୍ ନେଇ ଆସିଛି ବୋଲି ଲେଖିଛନ୍ତି ’
ଅସିଚାଳନା ଭଳି କଷ୍ଟକର ଖେଳରେ ଗର୍ଭବତୀ ଥାଇ ଅଂଶଗ୍ରହଣ କରିବାର ଦୁଃସାହସ ପାଇଁ ବିଭିନ୍ନ ମହଲରୁ ନାଦା ହାଫିଜ୍ଙ୍କୁ ପ୍ରଶଂସା କରାଯାଉଛି । ସୂଚନାଯୋଗ୍ୟ, ହାଫିଜ୍ ୨୦୧୬ ରିଓ ଓ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ଅଂଶଗ୍ରହଣ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)