• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସାଇଖୋମ୍‌ ମୀରାବାଈ ଚାନୁ, ଏବେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାଁ ।

  • ଭାରତ ପାଇଁ ଆଣିଛନ୍ତି ଗର୍ବ ଆଉ ଗୌରବ ।

  • ଭାରତ ପାଇଁ ପ୍ରଥମ ଦିନରେ ପ୍ରଥମ ରୌପ୍ୟ ପଦକ ଜିତିଛନ୍ତି ।

ନୂଆଦିଲ୍ଲୀ: ସାଇଖୋମ୍‌ ମୀରାବାଈ ଚାନୁ । ଏବେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାଁ । ଭାରତ ପାଇଁ ଆଣିଛନ୍ତି ଗର୍ବ ଆଉ ଗୌରବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ପ୍ରଥମ ଦିନରେ ପ୍ରଥମ ରୌପ୍ୟ ପଦକ ଜିତିଛନ୍ତି ଏହି ସାଇଖୋମ୍‌ ମୀରାବାଈ ଚାନୁ । ସେ ନଙ୍ଗପୋକ୍‌ କାକ୍‌ଚିଂ, ଇମ୍ଫାଲ ଇଷ୍ଟ ମଣିପୁରର ଝିଅ । ବୟସ ୨୬ । ବୟସ ସିନା କମ୍‌ କିନ୍ତୁ ତାଙ୍କ ନାଁରେ ରହିଛି ଅନେକ ରେକର୍ଡ । ଜାତୀୟ ରକେର୍ଡ ଠାରୁ ଆରମ୍ଭ କରି ତାଙ୍କ ନାଁରେ ରହିଛି ବିଶ୍ୱ ରେକର୍ଡ । ୮ ଅଗଷ୍ଟ ୧୯୯୪ରେ ତାଙ୍କର ଜନ୍ମ । ଉଚ୍ଚତା ୪ ଫୁଟ୍‌ ୧୧ ଇଞ୍ଚ।

ମୀରାବାଈ ୨୦୧୪ ପରଠାରୁ ସବୁବେଳେ ଆନ୍ତର୍ଜାତୀୟ ଇଭେଣ୍ଟରେ ନିଜର ଅସ୍ଥିତ୍ୱ ଜାହିର କରି ଅସିଛନ୍ତି । ପ୍ରଥମେ ୪୮ କେଜି ବର୍ଗରେ ଭାରଉତ୍ତୋଳନରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଟାଇଟାଲ ହାସଲ କରିବା ସହ କମନ୍‌ ୱେଲ୍ଥ ଗେମ୍‌ସରେ ଅନେକ ମେଡାଲ ନିଜ ନାଁରେ କରିଥିଲେ । ଏମିତିକି ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ପୁରଷ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ଖେଳ ପାଇଁ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ପୁରଷ୍କାର ଦିଆଯାଇଥିଲା । ଖାଲି ସେତିକି ନୁହେଁ ୨୦୧୮ରେ ତାଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରଷ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଭାରତ ସରକାରଙ୍କ ପକ୍ଷରୁ ଏହି ପୁରଷ୍କାର ପ୍ରଦାନ କରାଯାଇଥିଲା ।

ଏହାପୂର୍ବରୁ ୨୦୧୪ କମନ ୱେଲ୍‌ଥ ଗେମ୍ସରେ ମୀରାବାଈ ଚାନୁ ମହିଳା ୪୮ କିଲୋଗ୍ରାମ ବର୍ଗ ଭାରୋତ୍ତଳନରେ ରୌପ୍ୟ ପଦକ ହାସଲ କରିଥିଲେ । ତେବେ ତାଙ୍କର ସବୁଠାରୁ ବଡ଼ ଉପଲବ୍‌ଧି ହେଲା ୨୦୧୭ ମସିହାରେ ସେ ଆମେରିକାର ଆନହେମିଠାରେ ଆୟୋଜିତ ବିଶ୍ୱ ଭରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହାପରେ ସେ ଏବେ ଟୋକିଓରେ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ଭାରତ ପାଇଁ ଗୌରବ ଆଣିଛନ୍ତି ।

ଭାରତର ଦୀର୍ଘ ୨୧ ବର୍ଷ ଅପେକ୍ଷାର ଅନ୍ତ ଘଟାଇଛନ୍ତି ଏହି ମଣିପୁର ଝିଅ ସାଇଖୋମ୍‌ ମୀରାବାଈ ଚାନୁ । ଦୀର୍ଘ ୨୧ ବର୍ଷ ପରେ ମହିଳା ବର୍ଗ ଭାରୋତ୍ତଳନରେ ରୌପ୍ୟ ପଦକ ପାଇଲା ଭାରତ । ଏହା ଭାରତ ପାଇଁ ଏକ ବଡ଼ ଉପହାର ନିଶ୍ଚିତ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତକୁ ମିଳିଲା ପ୍ରଥମ ପଦକ । ଏହା ଏକ ଐତିହାସିକ ମୂହୁର୍ତ୍ତ । ଇତିହାସ ରଚିଛନ୍ତି ମୀରାବାଈ ଚାନୁ । ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ପ୍ରଥମ ଦିନର ପଦକ ହାସଲ କରିଛି ଭାରତ । ଭାରଉତ୍ତୋଳନରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିବା ପ୍ରଥମ ମହିଳା ମୀରାବାଈ ଚାନୁ ।

ତେବେ ଏହି ମୁକାବିଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଚୀନ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛି । ସେହିଭଳି ତୃତୀୟ ସ୍ଥାନରେ ରହିଥିଲା ଇଣ୍ଡୋନେସିଆ । ପ୍ରଥମସ୍ଥାନରେ ଥିବା ଚୀନ୍‌ ପ୍ରତିଯୋଗୀ ମୋଟ ୨୧୦ କିଲୋ ଉଠାଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଭାରତର ମୀରାବାଈ ୨୦୨ କିଲୋ ଭାର ଉଠାଇଥିଲେ । ସେହିଭଳି ତୃତୀୟ ସ୍ଥାନରେ ଥିବା ଇଣ୍ଡୋନେସିଆ ଖାଳାଳି ୧୯୪ କିଲୋ ଭାର ଉଠାଇଛନ୍ତି ।

୨୧ ବର୍ଷ ପରେ ଭାରତକୁ ଏହି ସଫଳତା ମିଳିଛି । ପୂର୍ବରୁ କର୍ଣ୍ଣମ ମାଲେଶ୍ୱରୀ ଭାରୋତ୍ତୋଳନରେ ଭାରତ ପାଇଁ ପଦକ ଜିତିଥିଲେ । ପଦକ ହାସଲ କରିବା ପରେ ମୀରାବାଈ ଚାନୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।