Advertisment

ଫାଇନାଲ ମ୍ୟାଚ୍‌ ଖେଳି ବିଶ୍ୱରେକର୍ଡ କରିବେ ଫୁଟବଲ୍‌ ଲିଜେଣ୍ଡ ମେସି

ରବିବାର ଫିଫା ବିଶ୍ୱକପ 2022ର ହାଇଭୋଲଟେଜ ଫାଇନାଲ ମୁକାବିଲା ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ।

author-image
Chandan Shishu
ଅଦ୍ୟତନ ହୋଇଛି
Lionel Messi’s World Cup history

Lionel Messi’s World Cup history

ଲିଓନେଲ ମେସି, ଫୁଟବଲ ଜଗତର ସବୁଠୁ ପରିଚିତ ଏହି ନାମ । ଏହା କେବଳ ଏକ ନାମ ନୁହେଁ ବରଂ ବିଶ୍ୱ ଫୁଟବଲର ଅନ୍ୟତମ ପରିଚୟ ଓ ବିଶ୍ୱର ଅଗଣିତ ଫୁଟବଲ ପ୍ରେମୀଙ୍କ ଇମୋସନ । ଯେବେଯେବେ ମେସି ବିପକ୍ଷ ଟିମର ଡିଫେଣ୍ଡକୁ ଅସାଧାରଣ ଭାବେ ଭେଦକରି ଗୋଲପୋଷ୍ଟ ଆଡ଼କୁ ଫୁଟବଲକୁ ନେଇଯାନ୍ତି, ଫୁଟବଲ ପ୍ରେମୀଙ୍କ ବଢିଯାଏ ହୃଦସ୍ପନ୍ଦନ। ତେବେ ବିଶ୍ୱ ଫୁଟବଲର ସବୁଠୁ ବଡ଼ ମଞ୍ଚରେ ନିଜର ଶେଷ ଇଂନିସ ରବିବାର ଖେଳିବାକୁ ଯାଉଛନ୍ତି ଏହି ମହାନ ଫୁଟବଲ ଖେଳାଳି।

Advertisment

ରବିବାର ଫ୍ରାନ୍ସ ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିବ ଆର୍ଜେଣ୍ଟିନା। ଏହି ମ୍ୟାଚରେ ଆର୍ଜେଣ୍ଟିନାର ନେତୃତ୍ୱ ନେବାସହ ଫୁଟବଲ ବିଶ୍ୱକପର ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡ କରିବେ ମେସି। ୧୬ ବର୍ଷ ତଳେ ନିଜର ପ୍ରଥମ ଫୁଟବଲ ବିଶ୍ୱକପ ଖେଳିଥିବା ମେସି ଫିଫା ବିଶ୍ୱକପରେ ୨୫ଟି ମ୍ୟାଚ୍ ଖେଳିସାରିଛନ୍ତି । ଫଳରେ ରବିବାର 26ତମ ମ୍ୟାଚ୍ ସହ ଜର୍ମାନୀର ମହାନ ଖେଳାଳି ଲୋଥର ମାଥହସଙ୍କ ରେକର୍ଡକୁ ଭାଙ୍ଗିବେ। ରବିବାର ନିଜର ଦ୍ୱିତୀୟ ଫିଫା ବିଶ୍ୱକପ ଫାଇନାଲ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି ଲିଓନେଲ।

ନଜର ପକାନ୍ତୁ ମେସିଙ୍କ ବିଶ୍ୱକପ ଯାତ୍ରା ଉପରେ...

2006

ମ୍ୟାଚ୍: 3 ଗୋଲ୍ : 1

ଏହି ସଂସ୍କରଣର ବିଶ୍ୱକପରେ ମେସି 3ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି ଓ ଗୋଟିଏ ଗୋଲ୍ କରିଛନ୍ତି । ନିଜର ପ୍ରଥମ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ମେସିଙ୍କୁ ଅଧିକାଂଶ ମ୍ୟାଚ ଖେଳିବାର ସୁଯୋଗ ମିଳିନଥିଲା । ତେବେ ଏହି ପ୍ରତିଭାବାନ ଯୁବ ଖେଳାଳିଙ୍କୁ ସର୍ବିଆ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ମିଳେ ଓ ସେ ଗୋଟିଏ ଚମତ୍କାର ଗୋଲ୍ ସହ ଟିମର 6-0 ବିଜୟରେ ଗୋଟିଏ ଚମତ୍କାର ଗୋଲ୍ କରନ୍ତି ।

Advertisment

2010

ମ୍ୟାଚ: 5, ଗୋଲ୍: 0

ଏହି ସଂସ୍କରଣର ବିଶ୍ୱକପରେ ମେସି ତାଙ୍କର ଟ୍ରେଡମାର୍କ ନମ୍ବର 10 ସାର୍ଟ ପିନ୍ଧି ଚର୍ଚ୍ଚିତ ହୋଇସାରିଥାନ୍ତି । ମେସି ଆର୍ଜେଣ୍ଟିନାର ସମସ୍ତ ମ୍ୟାଚ୍ ଖେଳିଥିଲେ ମଧ୍ୟ 5ଟି ମ୍ୟାଚରୁ ଗୋଲ୍ କରିବାରେ ସଫଳ ହୋଇନଥିଲେ ।

ତେବେ ମେକ୍ସିକୋ ବିପକ୍ଷ ଶେଷ 16 ପର୍ଯ୍ୟାୟ ମ୍ୟାଚରେ ଟିମ ପାଇଁ ଗୁରୁତ୍ୱପୂର୍ଣ୍ଣ ଗୋଲ ଆସିଷ୍ଟ କରିଥିଲେ । ମାତ୍ର ପରବର୍ତ୍ତୀ ରାଉଣ୍ଡରେ ଜର୍ମାନୀ ଠାରୁ 4-0ରେ ପରାଜିତ ହେବାସହ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲା ଆର୍ଜେଣ୍ଟିନା ।

2014

ମ୍ୟାଚ: 7 ଗୋଲ୍: 4

ମେସି ଓ ଆର୍ଜେଣ୍ଟିନାର ବିଶ୍ୱକପ ଅଭିଯାନରେ ପୁଣି କଣ୍ଟା ସାଜେ ଜର୍ମାନୀ । ମେସି ଟିମ ପକ୍ଷରୁ ସମସ୍ତ 7ଟି ମ୍ୟାଚ୍ ଖେଳି 4ଟି ଗୋଲ୍ କରିଥିଲେ ଓ ପ୍ଲେଆର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ରହିଥିଲେ ।

2018

ମ୍ୟାଚ: 4 ଗୋଲ୍: 1

ଏହି ସଂସ୍କରଣର ଟୁର୍ଣ୍ଣାମେଣ୍ଟ ଆର୍ଜେଣ୍ଟିନା ପାଇଁ ନୈରାଶାଜନକ ରହିଥିଲା । ମାତ୍ର ମେସିଙ୍କ ପାଇଁ ବେଶ ଭଲ ରହିଥିଲା ।

କ୍ରୋଏସିଆ ଠାରୁ 3-0ରେ ପରାଜୟ ପରେ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ନାଇଜେରିଆ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଥିଲା ଆର୍ଜେଣ୍ଟିନା ଓ ପ୍ରଥମ ଗୋଲ୍ କରିଥିଲେ ମେସି । ତେବେ ମେସି ପେନାଲିଟି ସୁଯୋଗ ହାତଛଡା କରିଥିଲେ । ଶେଷ 16 ପର୍ଯ୍ୟାୟରେ ପହଞ୍ଚିବାକୁ ସମସ୍ତ ପ୍ରୟାସ ସତ୍ତ୍ୱେ ନିରାଶ ହୋଇଥିଲା ଆର୍ଜେଣ୍ଟିନା ।

2022

ମ୍ୟାଚ: 6 ଗୋଲ୍: 5

ମେସିଙ୍କ ପାଇଁ ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟ ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ସାଉଦୀ ଆରବ ଠାରୁ ପ୍ରଥମ ମ୍ୟାଚରେ ପରାଜୟ ପରେ ଆର୍ଜେଣ୍ଟିନା ଅବିଶ୍ୱସନୀୟ ପ୍ରଦର୍ଶନ ସହ ଫାଇନାଲରେ ସ୍ଥାନ ପକ୍କା କରିସାରିଛି ।

35 ବର୍ଷୀୟ ମେସି ଖେଳିଥିବା ୬ଟି ମ୍ୟାଚରୁ 5ଟି ଗୋଲ୍ କରିସାରିଛନ୍ତି। ଏହାମଧ୍ୟରେ ୪ଟି ପେନାଲିଟି ଗୋଲ୍ ସାମିଲ ରହିଛି। ଗୋଲ୍ଡେନ ବୁଟ୍ ଦୌଡରେ ଯୁଗ୍ମ ଭାବେ ଫ୍ରାନ୍ସ ଫରୱାର୍ଡ ଓ PSG ସାଥି ଖେଳାଳି କେଲିଆନ ମ୍ବାପେ ସହ ରହିଛନ୍ତି। ଏଥିସହ ୩ଟି ଆସିଷ୍ଟ ମଧ୍ୟ ମେସିଙ୍କ ନାମରେ ରହିଛି । ଅର୍ଥାତ ଆର୍ଜେଣ୍ଟିନା ଚଳିତ ଟୁର୍ଣ୍ଣାମେଣ୍ଟରେ କରିଥିବା ମୋଟ୍‌ ୧୨ଟି ଗୋଲ୍ ମଧ୍ୟରୁ ୮ଟିରେ ମେସିଙ୍କ ବିଶେଷ ଭୂମିକା ରହିଛି।

ଲୋକପ୍ରିୟତାରେ ସମସ୍ତଙ୍କୁ ପଛରେ ପକାଇଥିବା ଏହି ଖେଳାଳି ନିଜର ଅନ୍ତର୍ଜାତୀୟ ଫୁଟବଲ କ୍ୟାରିୟରରେ ଅନେକ ବିରଳ ରେକର୍ଡ ନିଜ ନାମରେ କରିଛନ୍ତି କିନ୍ତୁ ଏଯାବତ ବିଶ୍ୱକପ ଟ୍ରଫି ବିଜେତା ହୋଇପାରି ନାହାନ୍ତି । ସୋସିଆଲ ମିଡିଆରେ ମେସିଙ୍କର ପ୍ରାୟ 499 ମିଲିଅନ ଫଲୋର୍ସ ରହିଛନ୍ତି, ଯାହାକି ଆର୍ଜେଣ୍ଟିନାର ମୋଟ ଜନସଂଖ୍ୟାର ପ୍ରାୟ 10 ଗୁଣାରୁ ଅଧିକ । ଏହା ବୟାନ କରୁଛି ବିଶ୍ୱରେ କେତେ ଲୋକପ୍ରିୟ ଏହି ଖେଳାଳି ।

ରବିବାର ଫିଫା ବିଶ୍ୱକପ 2022ର ହାଇଭୋଲଟେଜ ଫାଇନାଲ ମୁକାବିଲା ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ । ମେସିଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହୋଇଥିବାରୁ ଏହି ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିବ ।

(ରିପୋର୍ଟ: ସଂଗ୍ରାମ ବେହେରା)

Lionel Messi Football World Cup
Advertisment
Advertisment