Advertisment

ଅଲରାଉଣ୍ଡର ଅଭାବ ! ସାମ୍ନାରେ ନ୍ୟୁଜିଲ୍ୟାଣ୍ଡ, କ’ଣ କରିବ ଭାରତ ?

ଚଳିତ ବଶ୍ୱକପ ଟି-୨୦ ଜିତିବାର ପ୍ରବଳ ଦାବିଦାର ହେଉଛି ଭାରତ । ଦଳରେ ଅନେକ ମ୍ୟାଚ୍‌ ୱିନର ଅଛନ୍ତି। କିନ୍ତୁ ପ୍ରଥମ ମ୍ୟାଚ୍‌ରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ହାରିବା ପରେ ପୂରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Virat Kohli

Virat Kohli

ଭୁବନେଶ୍ୱର (ହେମନ୍ତ ଲେଙ୍କା): ଚଳିତ ବଶ୍ୱକପ ଟି-୨୦ ଜିତିବାର ପ୍ରବଳ ଦାବିଦାର ହେଉଛି ଭାରତ । ଦଳରେ ଅନେକ ମ୍ୟାଚ୍‌ ୱିନର ଅଛନ୍ତି । କିନ୍ତୁ ପ୍ରଥମ ମ୍ୟାଚ୍‌ରେ ଭାରତ ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ହାରିବା ପରେ ପୂରା କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ଏହା ପଛରେ ଅନେକ କାରଣ ବି ରହିଛି । ଭାରତ କେବେ ହେଲେ ବିଶ୍ୱକପରେ ପାକିସ୍ତାନ ଠାରୁ ହାରି ନଥିଲା ।

Advertisment

ଚଳିତ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ସପକ୍ଷରେ ୧୨-୦ର ବିଜୟ ଧାରା ଅବ୍ୟାହତ ରହିଥିଲା । କିନ୍ତୁ ବାବର ଆଜମଙ୍କ ପାକିସ୍ତାନ ଇତିହାସ ବଦଳାଇ ଦେଇଛି । ୨୪ ତାରିଖ ମୁକାବିଲାରେ ପାକିସ୍ତାନ ୧୦ ୱିକେଟରେ ଭାରତକୁ ପରାସ୍ତ କରି ସମସ୍ତଙ୍କୁ ଜଳକା କରିଛି । ଉଭୟ ବ୍ୟାଟିଂ ଓ ବୋଲିଂରେ ପାକିସ୍ତାନ ଭାରତ ଠାରୁ ଯଥେଷ୍ଟ ଆଗରେ ରହିଥିଲା ।

Virat KohliVirat Kohli

ଭାରତ ପାଖରେ ବିଶ୍ୱର ବଡ଼ବଡ଼ ବ୍ୟାଟ୍ସମ୍ୟାନ୍‌ ଓ ବୋଲର ଥିଲେ ମଧ୍ୟ ପାକିସ୍ତାନ ବିପକ୍ଷରେ ଏମାନଙ୍କର ଅକଲ ଗୁଡ଼ୁମ ହେବା ପରି ଲାଗୁଥିଲା । ପାକିସ୍ତାନ ବୋଲର ଭାରତର ୭ ଜଣ ବ୍ୟାଟସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ଥିଲେ ମଧ୍ୟ ଟିମ୍‌ ଇଣ୍ଡିଆର କୌଣସି ବୋଲର ୱିକେଟ ପାଇ ନଥିଲା । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ତଥାପି ଟିମ୍‌ ଇଣ୍ଡିଆ କମବ୍ୟାକ୍‌ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି ।

Advertisment

ଏସବୁ ଭିତରେ ଆସନ୍ତା ରବିବାର ଦିନ ଭାରତ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଟି-୨୦ରେ ଭାରତର ରେକର୍ଡ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅତ୍ୟନ୍ତ ଦୁର୍ବଳ । ସେହିପରି ବିଶ୍ୱକପରେ ଭାରତ କେବଳ ଦୁଇ ଥର ହିଁ ନ୍ୟୁଜିଲ୍ୟାଣ୍ଡକୁ ହରାଇ ପାରିଛି । ୧୯୮୭ ଓ ୨୦୦୩ ଦିନିକିଆ ବିଶ୍ୱକପକୁ ଛାଡ଼ିଦେଲେ ଭାରତ କେବେ ହେଲେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ନାହିଁ । ୨୦୧୬ ଟି-୨୦ ବିଶ୍ୱକପରେ ଭାରତ ସେମିକୁ ଯାଇଥିଲା । କିନ୍ତୁ ଦଳକୁ ଲିଗ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ କ୍ୱିୱି ଟିମ୍‌ ଠାରୁ ହାରିବାକୁ ପଡ଼ିଥିଲା ।

Hardik PandiyaHardik Pandiya

ତେଣୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଟିମ ଇଣ୍ଡିଆ ପାଇଁ ସହଜ ହେବନି । ଯଦି ଏହି ମ୍ୟାଚ୍‌ ଭାରତ ହାରିଯିବ, ତା’ହେଲେ ସେମି ଫାଇନାଲ ରାସ୍ତା ଦଳ ପାଇଁ କଣ୍ଟକିତ ହେବ । କାରଣ ନ୍ୟୁଜିଲ୍ୟାଣ୍ଡ ଭାରତ ଭଳି ପ୍ରଥମ ମ୍ୟାଚ୍‌ରେ ସେ ପାକିସ୍ତାନ ଠାରୁ ହାରିଛି । ଏଥିପାଇଁ କ୍ୱିୱି ଟିମ୍ ବିଜୟ ଭୋକରେ ରହିଛି ।

ଭାରତ ବିପକ୍ଷ ମ୍ୟାଚ୍‌ ପରେ ନ୍ୟୁଜିଲ୍ୟାଣ୍ଡ ଅପେକ୍ଷାକୃତ ୩ ଦୁର୍ବଳ ଦଳ ଆଫଗାନିସ୍ତାନ, ସ୍କଟଲ୍ୟାଣ୍ଡ ଓ ନାମିବିୟା ସହ ଲଢ଼େଇ କରିବ । ଭାରତ ମଧ୍ୟ ଏହି ୩ ଦଳ ସହ ଖେଳିବ । ଯଦି ନ୍ୟୁଜିଲ୍ୟାଣ୍ଡ ଭାରତକୁ ହରାଇବା ପରେ ଏହି ଦଳ ବିପକ୍ଷରେ ଜିତି ଯାଉଛି, ତା’ହେଲେ କ୍ୱିୱି ଟିମ୍‌ ସେମି ଫାଇନାଲକୁ ଯିବା ନିଶ୍ଚିତ ହୋଇଯିବ । ଏପରି ସ୍ଥିତିରେ ଯଦି ଭାରତ ତା’ର ପରବର୍ତ୍ତୀ ୩ ମ୍ୟାଚ୍‌ ଜିତେ, ତା’ହେଲେ ବି ସେମିକୁ ଯାଇ ପାରିବ ନାହିଁ । ତେଣୁ ରବିବାର ମ୍ୟାଚ୍‌ ଭାରତକୁ ଯେମିତି ହେଲେ ଜିତିବାକୁ ପଡ଼ିବ ।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗର ନିଷ୍ପ୍ରଭାବ ଦେଖିବାକୁ ମିଳିଥିଲା । ତେଣୁ ବିଭିନ୍ନ ମହଲରେ ଟିମ୍‌ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରିବାକୁ ଦାବି ହେଉଛି । ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁ ନାହାନ୍ତି । ସେହିପରି ବ୍ୟାଟିଂରେ ତାଙ୍କର ପୁରୁଣା ଚମକ ଦେଖିବାକୁ ମିଳୁନି । ଏପରି ସ୍ଥିତିରେ ତାଙ୍କୁ ଟିମ୍‌ରେ ରଖାଯିବାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ । କାରଣ ପାଣ୍ଡ୍ୟା ଅଲରାଉଣ୍ଡର ଭାବେ ଦଳରେ ସ୍ଥାନ ପାଇଛନ୍ତି । କିନ୍ତୁ ସେ ବୋଲିଂ ନ କରିବାରୁ ଟିମ ମ୍ୟାନେଜମେଣ୍ଟ ଜଣେ ଅତିରିକ୍ତ ବୋଲରଙ୍କୁ ଖେଳାଇବାକୁ ବାଧ୍ୟ ହେଉଛି ।

ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା । ୩ ଦ୍ରୁତ ବୋଲରଙ୍କ ସହ ଦୁଇ ସ୍ପିନରଙ୍କୁ ନେଇ ଟିମ ଇଣ୍ଡିଆ ମୈଦାନକୁ ଓହ୍ଲାଇଥିଲା । ଦଳ ପାଖରେ ୬ଷ୍ଠ ବୋଲର ନାହାନ୍ତି । ଅଧିନାୟକ ବିରାଟ କୋହଲି ଏଥିପାଇଁ ସମ୍ଭବତଃ ନେଟ୍ସରେ ବୋଲିଂ କରୁଛନ୍ତି । ଦଳ ପାଖରେ ପାର୍ଟ ଟାଇମ ସ୍ପିନରଙ୍କ ଅଭାବ ରହିଛି ।

ଏପରି ସ୍ଥିତିରେ ଶାର୍ଦ୍ଦୁଲ ଠାକୁରଙ୍କୁ ଅଲରାଉଣ୍ଡର ଭାବେ ଦଳରେ ସାମିଲ କରାଯାଇ ପାରିବ । ପାଣ୍ଡ୍ୟାଙ୍କ ବଦଳରେ ସେ ପ୍ଲେଇଂ ଇଲେଭେନରେ ସ୍ଥାନ ପାଇବାରେ କୌଣସି ଅସୁବିଧା ନାହିଁ । ଏହାବାଦ ଶାର୍ଦ୍ଦୁଲ ଖେଳିଳେ ଦଳ ଜଣେ ଦ୍ରୁତ ବୋଲରଙ୍କ ବଦଳରେ ଅତିରିକ୍ତ ବ୍ୟାଟସମ୍ୟାନଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ କରିପାରିବ ।

Varun ChakrabortyVarun Chakraborty

ପାକ ବିପକ୍ଷ ମ୍ୟାଚ୍‌ରେ ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆଦୌ ଭଲ ପ୍ରଦର୍ଶନ କରିନାହାନ୍ତି । ତାଙ୍କ ବଦଳରେ ରବି ଅଶ୍ୱିନଙ୍କୁ ସ୍ଥାନ ଦିଆଯିବା ଉଚିତ।  ବିଶ୍ୱକପ ଚାପର ଅଭିଜ୍ଞତା ତାଙ୍କ ପାଖରେ ରହିଛି । ସେ ନୂଆ ବଲ ଓ ପାୱାର ପ୍ଲେରେ ମଧ୍ୟ ବେଶ ପ୍ରଭାବୀ । ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଅଶ୍ୱିନ ପାୱାର ପ୍ଲେରେ ବୋଲିଂ କରିଥିଲେ । ୨ ଓଭର୍‌ରେ ସେ ୮ ରନ୍‌ ଦେଇ ୨ଟି ୱିକେଟ ମଧ୍ୟ ନେଇଥିଲେ । ତେଣୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସାମିଲ କରାଯିବା ଦରକାର ।

ଓପନିଂ ଯୋଡ଼ି ବି ଭାରତ ବଦଳାଇ ପାରିବ। ରାହୁଲ ୪ନଂରେ ଖେଳିବାକୁ ସକ୍ଷମ। ୨୦୧୯ ଦିନିକିଆ ବିଶ୍ୱକରେ ସେ ୪ନଂରେ ବ୍ୟାଟିଂ କରିଥିଲେ। ଅବଶ୍ୟ ଶିଖର ଧୱନ ଆହତ ହେବା ପରେ ତାଙ୍କୁ ଓପନିଂ କରିବାକୁ ସୁଯୋଗ ମିଳିଥିଲା। ହେଲେ ଏହାପୂର୍ବରୁ ସେ ୪ନଂରେ ବି ବଡ଼ ଶଟ ଖେଳୁଥିଲେ। ଏପରି ସ୍ଥିତିରେ ରୋହିତଙ୍କ ସହ ଯୁବ ତାରକା ଇଶାନ କିଶନ ପାଳି ଆରମ୍ଭ କରିପାରିବେ।

ଏପରି ହେଲେ ବ୍ୟାଟିଂ ଲାଇନ ଅପ୍‌ରେ ମଧ୍ୟ ଗଭୀରତା ବଢ଼ିବ। ୩ନଂରେ ବିରାଟ କୋହଲି, ରାହୁଲ ୪ନଂରେ ଓ ଋଷଭ ପନ୍ତ ୫ନଂରେ ବ୍ୟାଟିଂ କରିବେ। ୬ଷ୍ଠରେ ସୂର୍ଯ୍ୟ କୁମାର ଯାଦବ, ୭ ରବୀନ୍ଦ୍ର ଜାଡେଜା, ୮ମରେ ଶାର୍ଦ୍ଦୁଲ ଠାକୁର, ୯ମରେ ଅଶ୍ୱିନ, ୧୦ମରେ ଭୁବନେଶ୍ୱର କୁମାର/ମହମ୍ମଦ ଶାମି ଓ ୧୧ଶରେ ଯଶପ୍ରୀତ ବୁମ୍ରା ବ୍ୟାଟିଂ କରିବେ।

Sardul ThakurSardul Thakur

କ୍ରିକେଟର ଲିଜେଣ୍ଡ ସୁନୀଲ ଗାଭାସ୍କର ଓ ହରଭଜନ ସିଂହ ମଧ୍ୟ ନ୍ୟୁଜିଲ୍ୟାଣ୍ତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ ପାଇଁ କହିଛନ୍ତି । ଗାଭାସ୍କରଙ୍କ ମତରେ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ବଦଳରେ ଈଶାନ କିଶନ ଓ ଭୁବନେଶ୍ୱର କୁମାରଙ୍କ ବଦଳରେ ଶାର୍ଦ୍ଦୁଲ ଠାକୁର ଖେଳିବା ଦରକାର । ହରଭଜନ ସିଂହ କିନ୍ତୁ ସୂର୍ଯ୍ୟ କୁମାରଙ୍କ ବଦଳରେ ଈଶାନଙ୍କ ସପକ୍ଷରେ ଯୁକ୍ତି ରଖିଛନ୍ତି। ରୋହିତଙ୍କ ସହ ସେ ଓପନିଂ କଲେ ପାୱାର ପ୍ଲେରେ ଦଳ ୪୦ରୁ ୫୦ ରନ୍‌ ଆଦାୟ କରିପାରିବ। ସେହିପରି ୮ନଂରେ ଶାର୍ଦ୍ଦୁଲ ଠାକୁର ବ୍ୟାଟିଂ କଲେ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ସେ କହିଛନ୍ତି।

ସେ ଯାହା ବି ହେଉ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ଯେଉଁ ଭୁଲ କରିଛି ସେ ଭୁଲ ଯଦି ପୁଣି ଦୋହରାଇବ, ତା’ହେଲେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହଯିବ। ବ୍ୟାଟସମ୍ୟାନଙ୍କ ସହ ବୋଲରମାନଙ୍କୁ ମଧ୍ୟ ନିଜର କାମ ଦେଖାଇବାକୁ ପଡ଼ିବ। ଅଧିନାୟକ ଭାବେ ବିରାଟଙ୍କ ଏହା ଶେଷ ବିଶ୍ୱକପ।

ସେହିପରି ମହେନ୍ଦ୍ର ସିଂହ ଧୋନି ମଧ୍ୟ ଦଳର ମାର୍ଗଦର୍ଶକ ରହିଛନ୍ତି। ଏପରି ସ୍ଥିତିରେ ଭାରତ ସାରା ବିଶ୍ୱ କ୍ରିକେଟ ପ୍ରେମୀଙ୍କ ନଜରରେ ଟ୍ରଫି ଜିତିବାର ଦାବିଦାର ରହିଛି। ଏକଥାକୁ କ୍ରିକେଟ ବିଶେଷଜ୍ଞମାନେ ମଧ୍ୟ ସ୍ୱୀକାର କରିଛନ୍ତି।

T20 World Cup 2021 India Vs Newzeland
Advertisment
Advertisment