IPL ଟ୍ରଫି ଜିତିଲା କୋଲକାତା, ଫାଇନାଲରେ ହାଇଦ୍ରାବାଦକୁ ହରାଇ ହାତେଇଲା ଟାଇଟଲ୍‌

ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର ଫାଇନାଲ୍‌ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ... ୱିକେଟ୍‌ରେ ପରାସ୍ତ କରି ତୃତୀୟ ଥର ପାଇଁ ହାତେଇଛି ଆଇପିଏଲ ଟାଇଟଲ ।

KKR vs SRH

ଆଇପିଏଲ ସିଜିନ୍‌-୧୭ରେ ଚମ୍ପିଆନ୍‌ ହେଲା କୋଲକାତା ନାଇଟ୍‌ ରାଇଡର୍ସ । ପ୍ରଥମେ ଆକ୍ରମଣାତ୍ମକ ବୋଲିଂ ପରେ ଧୁଆଁଧାର ବ୍ୟାଟିଂ । ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର ଫାଇନାଲ୍‌ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟ୍‌ରେ ପରାସ୍ତ କରି ତୃତୀୟ ଥର ପାଇଁ ହାତେଇଛି ଆଇପିଏଲ ଟାଇଟଲ । ୧୦ ବର୍ଷ ପରେ ପୁଣି ଥରେ ଟ୍ରଫି ଜିତିଲା କୋଲକାତା । ଲୋ ସ୍କୋରିଂ ଫାଇନାଲକୁ କୋଲକାତା ମାତ୍ର ୧୦.୩ ଓଭରରେ ନିଜ ନାମରେ କରିଛି । ଏହାପୂର୍ବରୁ କୋଲକାତା ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ୨୦୧୨ ଓ ୨୦୧୪ରେ ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଥିଲା ।

ଅଧିକ ପଢ଼ନ୍ତୁ: କୋଲକାତାକୁ ୨୦ କୋଟି, ହାଇଦ୍ରାବାଦକୁ ୧୨.୫ କୋଟି; ଜାଣନ୍ତୁ ଅନ୍ୟମାନଙ୍କୁ ମିଳିଲା କେତେ...

ସୂଚନା ଅନୁସାରେ ଆଜି କୋଲକାତା ନାଇଟ୍‌ ରାଇଡର୍ସ ଓ ସନ୍‌ ରାଇଜର୍ସ ହାଇଦ୍ରାବଦ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯାଇଥିଲା । ଚେନ୍ନାଇର ଏମ୍‌ଏ ଚିଦାମମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଇଥିଲା ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ହାଇଦ୍ରାବାଦ । କିନ୍ତୁ ହାଇଦ୍ରାବାଦ ପାଇଁ ଏହି ନିଷ୍ପତ୍ତି ଭୁଲ ସାବ୍ୟସ୍ତ ହୋଇଥିଲା । ମିଚେଲ୍‌ ଷ୍ଟାର୍କଙ୍କ ଆକ୍ରମଣାତ୍ମକ ବୋଲିଂର ସାମ୍ନା କରିପାରିନଥିଲେ ହାଇଦ୍ରାବାଦର ଟପ୍‌ ଅର୍ଡର।

ପାୱାର ପ୍ଲେ ମଧ୍ୟରେ ୩ଟି ୱିକେଟ୍‌ ଅକ୍ତିଆର କରି ହାଇଦ୍ରାବାଦକୁ ବ୍ୟାକ୍‌ଫୁଟକୁ ଠେଲିଦେଇଥିଲା କେକେଆର । ଏହାପରେ ଆଉ କୌଣସି ବ୍ୟାଟ୍ସମ୍ୟାନ୍‌ ବଡ଼ ସ୍କୋର କରିବାରେ ସଫଳ ହୋଇନଥିଲେ । ୧୮.୩ ଓଭରରେ ମାତ୍ର ୧୧୩ ରନ୍‌ କରି ଅଲଆଉଟ ହୋଇଥିଲା ହାଇଦ୍ରାବାଦ । SRH ପକ୍ଷରୁ ଅଧିନାୟକ ପ୍ୟାଟ୍‌ କମିନ୍ସ ସର୍ବାଧିକ ୨୪ ରନ୍‌ କରିଥିଲେ । ସେହିପରି କୋଲକାତା ପକ୍ଷରୁ ରସଲ୍‌ ୩ଟି ୱିକେଟ୍‌ ନେଇଥିବାବେଳେ ମିଚେଲ୍‌ ଷ୍ଟାର୍କ ଓ ହର୍ଷିତ ରାଣା ଦୁଇଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

ଅଧିକ ପଢ଼ନ୍ତୁ: ବିରାଟ ଫ୍ୟାନ୍‌ଙ୍କ ପାଇଁ ମାଗଣା ଖାଦ୍ୟ; କିଙ୍ଗ୍‌ଙ୍କୁ ଦେଖିବା ପାଇଁ କଲେ ୧୫୬୮ କିମି ଯାତ୍ରା...

୧୧୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କେକେଆର ଆରମ୍ଭରୁ ଧୁଆଁଧାର ଖେଳିଥିଲେ । ମାତ୍ର ୧୦.୩ ଓଭର ଏହି ଲକ୍ଷ୍ୟକୁ ହାସଲ କରିଥିଲା କୋଲକାତା । କେକେଆର ପକ୍ଷରୁ ଭେଙ୍କଟେଶ ଆୟର ସର୍ବାଧିକ ୫୨ ରନ୍‌ କରିଥିବା ବେଳେ ଗୁରବାଜ୍‌ ୩୯ ରନ୍‌ କରିଛନ୍ତି । ସେହିପରି ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍‌ କମିନ୍ସ ଓ ଶହବାଜ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲା ।