Advertisment

ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ କିଶୋର ଜେନା, ଜାଭଲିନ୍‌ ଥ୍ରୋ’ରେ ଜିତିଲେ ରୌପ୍ୟ ପଦକ

ପ୍ରଥମ ପ୍ରୟାସରେ ସେ ୮୧ ଦଶମିକ ୨୬ ମିଟର, ଦ୍ୱିତୀୟରେ ୭୯ ଦଶମିକ ୭୬ ମିଟର ଜାଭେଲିନ୍ ଫିଙ୍ଗିଥିବା ବେଳେ ତୃତୀୟ ଉଦ୍ୟମରେ ୮୬ ଦଶମିକ ୭୭ ମିଟର ଜାଭେଲିନ୍ ଥ୍ରୋ କରିଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Kishore Jena

Kishore Jena

ଇତିହାସ ସୃଷ୍ଟି କଲେ ଓଡ଼ିଆ ପୁଅ କିଶୋର ଜେନା । ହାଙ୍ଗଝୌ ଏସିଆନ୍ ଗେମସରେ ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ରୌପ୍ୟ ପଦକ ଜିତି ରେକର୍ଡ କରିଛନ୍ତି । ଏସିଆନ୍ ଗେମ୍ସରେ ପ୍ରଥମ ଓଡ଼ିଆ ଭାବେ ବ୍ୟକ୍ତିଗତ ଇଭେଣ୍ଟରେ ସିଲଭର ପଦକ ପାଇଛନ୍ତି ପୁରୀ ବ୍ରହ୍ମଗିରିର ଏହି ଆଥଲେଟ୍ । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ନିଜର ସ୍ୱତନ୍ତ୍ର ଛାପ ଛାଡିଥିବା କିଶୋର ଆଜି ଜାଭେଲିନ୍ ଥ୍ରୋ ଇଭେଣ୍ଟ ଆରମ୍ଭରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ।

Advertisment

ପ୍ରଥମ ପ୍ରୟାସରେ ସେ ୮୧ ଦଶମିକ ୨୬ ମିଟର, ଦ୍ୱିତୀୟରେ ୭୯ ଦଶମିକ ୭୬ ମିଟର ଜାଭେଲିନ୍ ଫିଙ୍ଗିଥିବା ବେଳେ ତୃତୀୟ ଉଦ୍ୟମରେ ୮୬ ଦଶମିକ ୭୭ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ଏହା ଥିଲା ତାଙ୍କର ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ତେବେ ଚତୁର୍ଥ ପ୍ରୟାସରେ ସେ ୮୭ ଦଶମିକ ୫୪ ମିଟର ଫିଙ୍ଗି ଏହି ରେକର୍ଡଙ୍କୁ ଭାଙ୍ଗିଥିଲେ କିଶୋର । ତେବେ ଅଲିମ୍ପିକ୍ସ ଚାମ୍ପିୟନ ନୀରଜ ଚୋପ୍ରା ୮୮ ଦଶମିକ ୮୮ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ସେପଟେ ଖୁସିରେ ଉଛୁଳି ଉଠୁଛି ପୁରୀ ବ୍ରହ୍ମଗିରିର କୋଠସାହି ଗାଁ। ଏଇ ଗାଁର ପୁଅ ଆଜି ଦେଶର ଟେକ ରଖିଛି ଚୀନ ମାଟିରେ । କିଶୋର ଜେନାଙ୍କୁ ନେଇ ଗର୍ବ କରୁଛି ଜନ୍ମମାଟି । ହାଙ୍ଗ୍ଜୋ ଏସିଆଡରେ ଜାଭେଲିନ୍ ଥ୍ରୋ ଚୂଡ଼ାନ୍ତ ପ୍ରତିଯୋଗିତା ଚାଲିଥିବା ବେଳେ, ଉତ୍ସୁକତାର ସହ ଅନାଇ ରହିଥିଲେ ସମସ୍ତେ । ଆଉ କିଶୋର ସମସ୍ତଙ୍କୁ ଚମକାଇ ଦେଇ ରୌପପଦକ ଜିତିବା ପରେ ଖୁସିରେ ଝୁମୁଛି ପୂରା ଗାଁ । ପରିବାର ଲୋକେ ଖୁସିରେ ଆତ୍ମହରା ହୋଇଥିବା ବେଳେ, କିଶୋରଙ୍କ ମାଆଙ୍କ ଆଖିରେ ଆନନ୍ଦର ଅଶ୍ରୁ ।

Advertisment

ଉଭୟ ପଦକ ସଂଖ୍ୟା ଓ ସର୍ଣ୍ଣ ଜିତିବାରେ ରେକର୍ଡ କରିଛନ୍ତି ଭାରତୀୟ ଆଥଲେଟ୍। ଆଜି ପ୍ରତିଯୋଗିତାର ଏକାଦଶ ଦିନ ସୁଦ୍ଧା ଭାରତ ଖାତାକୁ ଆସିଛି ମୋଟ ୧୮ଟି ସ୍ୱର୍ଣ୍ଣ ପଦକ। ସେହିଭଳି ୩୧ ରୌପ୍ୟ ଓ ୩୨ ବ୍ରୋଞ୍ଜ ସହ ମୋଟ୍ ପଦକ ସଂଖ୍ୟା 81 ଛୁଇଁଛି। ଯାହାକି ଏସିଆଡରେ ଭାରତ ପାଇଁ ସର୍ବଶ୍ରେଷ୍ଠ ରେକର୍ଡ। ଏହା ପୂର୍ବରୁ ୨୦୧୮ ଜାକର୍ତ୍ତା ଏସିଆଡରେ ଭାରତ ମୋଟ ୧୬ଟି ସ୍ୱର୍ଣ୍ଣ ସହ ମୋଟ ୭୦ଟି ପଦକ ଜିତିଥିଲେ ଭାରତୀୟ ଆଥଲେଟ୍ ।

ଏକାଦଶ ଦିନରେ ଆଜି ୪x୪୦୦ ପୁରୁଷ ରିଲେରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଛି । ସେହିଭଳି ଜାଭେଲିନରେ ନୀରଜ ଚୋପ୍ରା ମଧ୍ୟ ସ୍ୱର୍ଣ୍ଣ ପଦକ ବଜାୟ ରଖିଛନ୍ତି। ଆର୍ଚେରୀ କମ୍ପାଉଣ୍ଡ ମିକ୍ସରେ ସ୍ୱର୍ଣ୍ଣ ଜିତିଛି ଭାରତୀୟ ଦଳ। ଏସିଆଡରେ ଏବେ ଆହୁରି କିଛି ବିଭାଗରେ ଲଢେଇ ବାକି ଥିବାରୁ ପଦକ ସଂଖ୍ୟା ଆହୁରି ବଢ଼ିବା ଆଶା କରାଯାଉଛି ।

India Asian Games
Advertisment
Advertisment