• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ ସିଜିନ୍‌-୧୭। ଏଥିପାଇଁ ସମସ୍ତ ୧୦ଟି ଦଳ ଜୋରସୋରରେ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି। ଆଉ କ୍ରିକେଟ୍ ପ୍ରଶଂସକମାନେ ଏବେ ଉତ୍କଣ୍ଠାର ସହ ଅପେକ୍ଷା କରିରହିଛନ୍ତି ଆଇପିଏଲର ପ୍ରଥମ ମ୍ୟାଚ୍‌କୁ। ଆଇପିଏଲ ସିଜିନ୍‌-୧୭ର ପ୍ରଥମ ମ୍ୟାଚ୍‌ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍‌ ମାର୍ଚ୍ଚ ୨୨ ରାତି ୮ଟାରେ ଚେନ୍ନାଇରେ ଖେଳାଯିବ।

ତେବେ ଆଇପିଏଲର ଆଗାମୀ ସିଜିନ୍‌ରେ ବିଶେଷ ଭାବରେ ତିନିଜଣ ଅଧିନାୟକଙ୍କ ପାଇଁ କଠିନ ପରୀକ୍ଷା ହେବ। ଏହି ଅଧିନାୟକମାନେ ହେଉଛନ୍ତି- ଋଷଭ ପନ୍ଥ, ଶ୍ରେୟସ୍ ଆୟର ଏବଂ ଶୁବମନ ଗିଲ। ଋଷଭ ପନ୍ଥ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିବା କୋଲକାତା ନାଇଟ୍ ରାଇଡର୍ସର ଦାୟିତ୍ୱ ସମ୍ଭାଳିବେ ଶ୍ରେୟସ୍ ଆୟର। ସେହିପରି ଗୁଜରାଟ ଟାଇଟନ୍ସର ଅଧିନାୟକ ଭାର ଶୁବମନ ଗିଲଙ୍କ କାନ୍ଧରେ ରହିବ।

ଋଷଭ ପନ୍ଥଙ୍କ କଥା ଯଦି କହିବା ତାହାଲେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏକ ଆଶ୍ୱସ୍ତିକର ଖବର ଯେ ପନ୍ଥ ଚଳିତ ଆଇପିଏଲ ସିଜିନ୍‌ରେ ଅଂଶଗ୍ରହଣ କରିବେ। ଏହି ୱିକେଟ୍ କିପର ବ୍ୟାଟ୍ସମ୍ୟାନଙ୍କୁ ବିସିସିଆଇ ଆଇପିଏଲ ପୂର୍ବରୁ ଫିଟ୍ ଘୋଷଣା କରିଛି। ୨୦୨୨ ଡିସେମ୍ବର ୩୦ ହୋଇଥିବା ଦୁର୍ଘଟଣା ପରେ ଅନୁମାନ କରାଯାଉଥିଲା କି ପନ୍ଥଙ୍କୁ ଫିଟ୍‌ ହେବାକୁ ଦୁଇ ବର୍ଷ ସମୟ ଲାଗିବ। ସେ ଆଇପିଏଲ ସିଜିନ୍‌-୧୭ରେ ମଧ୍ୟ ସାମିଲ ହୋଇପାରିବେ ନାହିଁ। କିନ୍ତୁ ସେ କଠିନ ପରିଶ୍ରମ କରି ମାତ୍ର ୧୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଭାବରେ ଫିଟ୍ ହୋଇଯାଇଛନ୍ତି।

ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ଋଷଭ ପନ୍ତ କ୍ରିକେଟରୁ ପୁରା ଦୂରେଇ ରହିଥିଲେ। ମୋଟ ଉପରେ ପନ୍ଥଙ୍କୁ ବର୍ତ୍ତମାନ ପ୍ରତିଯୋଗିତାମୂଳକ କ୍ରିକେଟରେ ଏକ ନୂଆ ଢ଼ଙ୍ଗରେ ଡେବ୍ୟୁ କରିବାକୁ ପଡିବ। ଏବେ ଦେଖିବାକୁ ବାକି ରହିଲା ପନ୍ତଙ୍କ ପ୍ରତ୍ୟାବର୍ତ୍ତନ କେତେ ପ୍ରଭାବଶାଳୀ। ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ଗୋଟିଏ ବି ଟାଇଟଲ୍ ଜିତି ନାହିଁ। ଏଭଳି ପରିସ୍ଥିତିରେ ପନ୍ତଙ୍କ କାନ୍ଧରେ ଏକ ବଡ଼ ଚ୍ୟାଲେଞ୍ଜ ରହିଛି।

ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟରଙ୍କୁ ନିକଟ ଅତୀତରେ ଆଘାତ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। ମୁମ୍ବାଇ ଏବଂ ବିଦର୍ଭ ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ୍‌ ମ୍ୟାଚ୍‌ର ଚତୁର୍ଥ ଏବଂ ପଞ୍ଚମ ଦିନରେ ସେ ଫିଲ୍ଡିଂ କରିନଥିଲେ। ସେହି ମ୍ୟାଚ୍‌ରେ ଶ୍ରେୟାସ ମୁମ୍ବାଇର ଦ୍ୱିତୀୟ ଇନିଂସରେ ୯୫ ରନ୍ ସଂଗ୍ରହ କରିଥିଲେ, ଯେଉଁଠାରେ ତାଙ୍କ ପିଠିରେ ଆଘାତ ଲାଗିଥିଲା।

ଏହାରି ମଧ୍ୟରେ ଏକ ଖବର ଆସିଥିଲା ​​ଯେ ଶ୍ରେୟସ୍ ଆଇପିଏଲର ପ୍ରାରମ୍ଭିକ କିଛି ମ୍ୟାଚ୍ ଖେଳିନପାରନ୍ତି। ଯଦି ଶ୍ରେୟାସ ଆୟର ଦୁର୍ଭାଗ୍ୟବଶଃ କିଛି ମ୍ୟାଚ୍ ବାହାରେ ରୁହନ୍ତି, ତେବେ ନୀତୀଶ ରାଣାଙ୍କୁ ଅଧିନାୟକତ୍ୱ ଗ୍ରହଣ କରିବାକୁ ପଡିବ, ଯାହା କୋଲକାତା ନାଇଟ୍ ରାଇଡର୍ସ ପାଇଁ ଏକ ଝଟକାଠାରୁ କମ୍ ହେବ ନାହିଁ। ଯଦିଓ ସମଗ୍ର ଆଇପିଏଲ୍ ସିଜିନ୍‌ ପାଇଁ ଶ୍ରେୟସ୍ ଉପଲବ୍ଧ, ତଥାପି ତାଙ୍କର ପ୍ରଭାବଶାଳୀ ପ୍ରତ୍ୟାବର୍ତ୍ତନ ଉପରେ ଏକ ପ୍ରଶ୍ନ ଚିହ୍ନ ରହିବ।

ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପରେ ଶୁଭମନ ଗିଲଙ୍କୁ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସ ୨୦୨୨ ମସିହାରେ ଆଇପିଏଲ୍ ଟାଇଟଲ୍ ଜିତିଥିବାବେଳେ ୨୦୨୩ ସିଜନରେ ଫାଇନାଲରେ ପରାଜୟର ସ୍ୱାଦ ଚାଖିଥିଲା। ବର୍ତ୍ତମାନ ଅଧିନାୟକ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମତ୍କାର ପ୍ରଦର୍ଶନକୁ ପୁନରାବୃତ୍ତି କରିବା ଗିଲଙ୍କୁ ପାଇଁ ବଡ଼ ଚ୍ୟାଲେଞ୍ଜ। ସୂଚନା ଅନୁସାରେ ଗତ ଆଇପିଏଲ୍ ସିଜିନ୍‌ରେ ସର୍ବାଧିକ ରନ୍ (୮୯୦) ସ୍କୋର କରି ଗିଲ୍ ଅରେଞ୍ଜ କ୍ୟାପ୍ ନିଜ ନାଁରେ କରିଥିଲେ। ତେବେ ସେ ସମୟରେ ଗିଲଙ୍କ ଉପରେ କ୍ୟାପଟେନସିପ୍‌ ପ୍ରେସର ନଥିଲା। ଏଥର କିନ୍ତୁ ତାଙ୍କ ଉପରେ ଅଧିନାୟକତ୍ୱ ଭାର ରହିବ। ଅଧିନାୟକ ଦାୟିତ୍ୱ ନେବା ପରେ ତାଙ୍କ ବ୍ୟାଟିଂ ପ୍ରଭାବିତ ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା।