• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଇପିଏଲରେ ଇତିହାସ ରଚିଲେ ରିଙ୍କୁ ସିଂ । ଅହମ୍ମଦାବାଦ ଦେଖିଲା ରିଙ୍କୁ ସିଂ ସୋ’। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେଲା ଧୂଆଁଧାର ଛକା ବର୍ଷା । ଶେଷ ଓଭରରେ ୫ ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ ଦମଦାର ବିଜୟ ଭେଟି ଦେଇଛନ୍ତି ଯୁବ କ୍ରିକେଟର୍‌ ରିଙ୍କୁ ସିଂ । ଅନଭିଜ୍ଞ ୟାଶ ଦୟାଲଙ୍କ ଏହି ୫ ବଲ୍‌କୁ ଲଗାତାର ଛକା ମାରି କ୍ରିକେଟପ୍ରେମୀଙ୍କ ମନରେ ଶିହରଣ ‌ଖେଳାଇ ଦେଇଛନ୍ତି ।

ଗତକାଲି ଗୁଜୁରାଟ ଟାଇଟନ୍ସ ଓ କୋଲାକାତା ନାଇଟ ରାଇଡର୍ସ ମଧ୍ୟରେ ରୋମାଂଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । ଗୁଜୁରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ ୱିକେଟ ହରାଇ ୨୦୪ ରନ କରିଥିଲା । ୨୦୫ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା କୋଲକତା ୧୫୫ ରନରେ ଲଗାତର ୩ଟି ୱିକେଟ ହରାଇବା ପରେ ସଙ୍କଟରେ ପଡିଥିଲା ।

ରଷିଦ ଖାନଙ୍କ ହାଟ୍ରିକ୍ ୱିକେଟ ପରେ ନିଶ୍ଚିତ ପରାଜୟ ଆଶଙ୍କା ଦେଖାଦେଇଥିଲା । କିନ୍ତୁ ଚମତ୍କାର କରିଥିଲେ ଯୁବ କ୍ରିକେଟର ରିଙ୍କୁ ସିଂ । ତେବେ ଶେଷ ଓଭରରେ ବିଜୟ ପାଇଁ ଦଳ ୨୯ ରନ ଆବଶ୍ୟକ କରୁଥିବା ବେଳେ ଅଷ୍ଟମ ୱିକେଟ ଯୋଡ଼ିରେ ପଡ଼ିଆକୁ ଆସିଥିବା ରିଙ୍କୁ ସିଂ ତାଙ୍କ ବ୍ୟାଟର କମାଲ ଦେଖାଇଥିଲେ । ଶେଷ ଓଭରରେ ସେ ୫ଟି ବଲରେ ୫ଟି ଛକା ମାରି ଦଳକୁ ଅବିଶ୍ୱସନୀୟ ବିଜୟ ଦେଇଥିଲେ।

ରିଙ୍କୁଙ୍କ ଦମଦାର ୪୬ ରନ ବଳରେ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୨୦୭ ରନ କରି ୩ ୱିକେଟରେ ବିଜୟୀ ହୋଇଥିଲା । ବିରଳ ରେକର୍ଡ ସହ ବିଜୟରେ ପ୍ରମୁଖ ଭୂମିକା ପାଇଁ ରିଙ୍କୁ ସିଂଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି।

ତେବେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ । ବେଙ୍ଗଳୁରୁର ଏମ୍ . ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ସଂଧ୍ୟା ୭ଟା ୩୦ରେ ଏହି ମ୍ୟାଚ୍ ଖେଳାଯିବ। ବାଙ୍ଗାଲୋର ଚଳିତ ସିଜନରେ ଏଯାଏଁ ଦୁଇଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏରେ ବିଜୟୀ ଏବଂ ଅନ୍ୟଟିରେ ପରାଜିତ ହୋଇଛି । ହୋମ୍ ଗ୍ରାଉଣ୍ଡରେ ଆଜିର ମ୍ୟାଚ୍ ଜିତି ପୁଣି ଥରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିବ ଆର୍‌ସିବି ।

ଏପଟେ ଲକ୍ଷ୍ନୌ ସୁପରଜିଆଣ୍ଟସ୍‌ ଏଯାଏଁ ୩ଟି ମ୍ୟାଚ୍ ଖେଳିଥିବା ବେଳେ ଦୁଇଟିରେ ବିଜୟୀ ହୋଇସାରିଛି । ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଦଳ।