• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: IPL ୨୦୨୨ ପାଇଁ ୮ଟି ଯାକ ଦଳ କେଉଁ କେଉଁ ଖେଳାଳିଙ୍କୁ ରିଟେନ୍‌ କରିଛନ୍ତି । ଆଉ କେଉଁ ଖେଳାଳିଙ୍କୁ ରିଲିଜ୍‌ କରିଛନ୍ତି । ତାହା ଖୁବ୍‌ ଶୀଘ୍ର ସ୍ପଷ୍ଟ ହେବାକୁ ଯାଉଛି । ଗୋଟିଏ ଦଳ ସର୍ବାଧିକ ୪ ଜଣ ଖେଳାଳିଙ୍କୁ ରିଟେନ୍‌ କରିପାରିବ । ଏହି ସମୟରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍ ରାହୁଲ ଏବଂ ସନରାଇଜର୍ସ ହାଇଦ୍ରାବାଦର ରସିଦ ଖାନ ବଡ଼ ବିବାଦରେ ଫସିଛନ୍ତି । ବିସିସିଆଇ ଏହି ମାମଲାର ଯାଞ୍ଚ କରୁଛି । ଯଦି ଏହା ସତ ପ୍ରମାଣିତ ହୁଏ ତେବେ ଦୁଇ ଖେଳାଳିଙ୍କୁ ଟି-୨୦ ଲିଗ୍‌ ଖେଳିବାରୁ ବ୍ୟାନ୍‌ କରାଯାଇପାରେ । ଆଗାମୀ ସଂସ୍କରଣରୁ ଟି-୨୦ ଲିଗ୍‌ରେ ୮ ବଦଳରେ ୧୦ଟି ଦଳ ମଇଦାନକୁ ଓହ୍ଲାଇବେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୩୦ ନଭେମ୍ବର ପର୍ଯ୍ୟନ୍ତ କେ.ଏଲ୍ ରାହୁଲ ଏବଂ ରସିଦ୍‌ ଖାନ୍‌ଙ୍କ ପୁରୁଣା ଫ୍ରାଞ୍ଚାଇଜ୍ ସହ ଚୁକ୍ତି ରହିଛି । ଏଭଳି ସ୍ଥିତିରେ ଏହି ଦୁଇ ଖେଳାଳି ଅନ୍ୟ ଦଳର ଫ୍ରାଞ୍ଚାଇଜ୍‌ ସହ ଯୋଗାଯୋଗରେ ରହିଛନ୍ତି । ଯାହାକି ନିୟମ ବିରୁଦ୍ଧ । ଗୋଟିଏ ଦଳରେ ଥିବା ବେଳେ ଅନ୍ୟ ଦଳର ଯୋଗାଯୋଗ ରଖିବା ସମ୍ପୂର୍ଣ୍ଣ ବେଆଇନ୍‌ । ଏହାପୂର୍ବରୁ ୨୦୧୦ରେ ରବୀନ୍ଦ୍ର ଜାଡେଜା ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବେଳେ ଅନ୍ୟ ଦଳ ସହ ଯୋଗାଯୋଗରେ ରହିଥିଲେ । ସେ ଏଥିପାଇଁ ଦୋଷୀ ମଧ୍ୟ ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ଗୋଟିଏ ବର୍ଷ ପାଇଁ ଟି-୨୦ ଲିଗ୍‌ରୁ ସସ୍‌ପେଣ୍ଡ ମଧ୍ୟ କରାଯାଇଥିଲା । ଏଭଳି ସ୍ଥିତିରେ ଯଦି ରାହୁଲ ଏବଂ ରସିଦ୍‌ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କୁ ମଧ୍ୟ ବ୍ୟାନ୍‌ କରାଯିବ ।

ରାହୁଲଙ୍କୁ ୨୦ କୋଟିର ଅଫର୍‌

କେ.ଏଲ୍ ରାହୁଲ ଏବେ ପଞ୍ଜାବ କିଙ୍ଗ୍ସର ଅଧିନାୟକ । କିନ୍ତୁ ସେ ଦଳରୁ ଅଲଗା ହେବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି । ସେ ଗତ ସିଜନରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୬୦୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ । କିନ୍ତୁ ଦଳର ପ୍ରଦର୍ଶନ ସେତେ ଭଲ ନଥିଲା । ଏମିତିକି ଦଳ ପ୍ଲେ-ଅଫ୍‌ରେ ମଧ୍ୟ ପହଞ୍ଚି ପାରିନଥିଲା । ଅନ୍ୟପଟେ ମିଳୁଥିବା ସୂଚନା ଅନୁଯାୟୀ, ନୂଆ କରି IPL ମଇଦାନକୁ ଓହ୍ଲାଉଥିବା ଦଳ ଲକ୍ଷ୍ନୌ ପକ୍ଷରୁ ତାଙ୍କୁ ୨୦ କୋଟି ଟଙ୍କା ଅଫର୍‌ ଦିଆଯାଇଛି । ତାଙ୍କୁ ଦଳର ଅଧିନାୟକ ମଧ୍ୟ କରାଯିବାର ସମ୍ଭାବନା ରହିଛି । ସେପଟେ ରାହୁଲଙ୍କ ସ୍ଥାନରେ ମୟାଙ୍କ ଅଗ୍ରୱାଲଙ୍କୁ ପଞ୍ଜାବର ନୂଆ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇପାରେ ବୋଲି ଆଶଙ୍କା କରାଯାଉଛି ।

ହାଇଦ୍ରାବାଦ ଛାଡିବାକୁ ରସିଦ୍‌ ପ୍ରସ୍ତୁତ

ଆଫଗାନିସ୍ତାନର ଲେଗ୍ ସ୍ପିନର ରସିଦ୍ ଖାନ୍ ଏବେ ସନରାଇଜର୍ସ ହାଇଦ୍ରାବାଦ ଦଳ ସହ ଜଡିତ ଅଛନ୍ତି । ସେ ମଧ୍ୟ ଦଳ ଛାଡିବାକୁ ଚାହୁଁଛନ୍ତି । ତାଙ୍କୁ ଲକ୍ଷ୍ନୌ ଟିମ୍‌ ପକ୍ଷରୁ ୧୬ କୋଟି ଟଙ୍କା ଅଫର୍‌ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ସେ ଏବେ ପୁରୁଣା ଫ୍ରାଞ୍ଚାଇଜ୍‌ ଠାରୁ ୯ କୋଟି ଟଙ୍କା ପାଉଛନ୍ତି । ତାଙ୍କୁ ଅତି ବେଶିରେ ୧୨ରୁ ୧୪ କୋଟି ଟଙ୍କା ଦେବା ପାଇଁ ହାଇଦ୍ରାବାଦ ପ୍ରସ୍ତୁତ ଅଛି । ଯଦି ରସିଦ୍‌ ଦଳ ଛାଡ଼ୁଛନ୍ତି ତେବେ କେନ୍‌ ୱିଲିୟମ୍‌ସନ୍‌ଙ୍କୁ ଦଳ ରିଟେନ୍‌ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।