/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627961322.jpg)
Indian Hockey Team
ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତ-ବେଲଜିୟମ ମଧ୍ୟରେ ଚାଲିଥିବା ଟକ୍କରରେ ଭାରତ ପରାସ୍ତ ହୋଇଛି। ବେଲଜିୟମ ଠାରୁ ୫-୨ ଗୋଲ୍ରେ ହାରିଲା ଭାରତ।ଭାରତକୁ ହରାଇ ଫାଇନାଲରେ ବେଲଜିୟମ ପହଞ୍ଚିଛି। ଏହି ମ୍ୟାଚରେ ପ୍ରତି ମୁହୂର୍ତ୍ତରେ ଖେଳର ମୋଡ ବଦଳିଥିଲା। ପ୍ରଥମ କ୍ୱାର୍ଟରରେ ଟିମ୍ ଇଣ୍ଡିଆ ପ୍ରଭାବ ବିସ୍ତାର କରି ଖେଳିଥିଲା। ଏଥିରେ ମନଦୀପ ସିଂ ଓ ହରମନପ୍ରୀତ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।
ପ୍ରଥମ କ୍ୱାର୍ଟରରେ ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ୱାର୍ଟରରେ ବେଲଜିୟମ ଗୋଲ ସୁଝାଇବାକୁ ବାରମ୍ବାର ଉଦ୍ୟମ କରିଥିଲା। ବେଲଜିୟମର ଆଲେକଜାଣ୍ଡାର ହେଣ୍ଡେରିକ୍ସ ୧୯ତମ ମିନିଟରେ ଗୋଲ ଦେଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ। କିନ୍ତୁ ୪ର୍ଥ କ୍ୱାଟରରେ ଅତିରିକ୍ତ ୨ଟି ଗୋଲ ଦେଇଥିଲା ବେଲଜିୟମ। ଦୀର୍ଘ ୪ ଦଶନ୍ଧି ପରେ ଅଲିମ୍ପିକ୍ସ ଫାଇନାଲ୍ରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିଲା ଟିମ୍ ଇଣ୍ଡିଆ।
ଏବେ ଭାରତ ବ୍ରୋଞ୍ଜ ପାଇଁ ଲଢେଇ କରିବ। ଆଜି ହେବାକୁ ଥିବା ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଯିଏ ବିଜୟ ହେବ ସିଏ ଫାଇନାଲକୁ ଯିବ। ଯିଏ ହାରିବ, ସେ ଭାରତ ବିପକ୍ଷରେ ମ୍ୟାଚ ଖେଳିବ।
ଅନ୍ୟପକ୍ଷେ ଭାରତୀୟ ପୁରୁଷ ହକି ଟିମ ସେମିରେ ହାରିଯାଇଥିଲେ ମଧ୍ୟ ଚମତ୍କାର ପ୍ରଦର୍ଶନ ପାଇଁ ଦଳକୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଜୟ ପରାଜୟ ଖେଳର ଏକ ଅଂଶ ବିଶେଷ, ଭାରତୀୟ ପୁରୁଷ ହକି ଟିମ୍ ଟୋକିଓ ଅଲିମ୍ପିକ୍ସରେ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ବ୍ରୋଞ୍ଜ ପଦକ ମ୍ୟାଚ ପାଇଁ ଭାରତୀୟ ପୁରୁଷ ହକି ଟିମକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ ମଧ୍ୟ ଭାରତୀୟ ପୁରୁଷ ହକି ଟିମର ପ୍ରଦର୍ଶନକୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ବିଶ୍ୱ ଚାମ୍ପିୟନ ବେଲଜିୟମ ବିପକ୍ଷରେ ସେମି ଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡଆର ପ୍ରଦର୍ଶନ ପ୍ରଶଂସନୀୟ । ସେମାନଙ୍କର ପ୍ରଦର୍ଶନ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଟ୍ବିଟ କରିଛନ୍ତି ।
ସେପଟେ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ ମହିଳା ହକି ଦଳ ଆସନ୍ତାକାଲି ସେମି ଫାଇନାଲ ମ୍ୟାଚ ଖେଳିବ। ଶକ୍ତିଶାଳୀ ଆର୍ଜେଣ୍ଟିନା ବିରୋଧରେ ଲଢେଇ କରିବ ଭାରତୀୟ ମହିଳା ହକି ଟିମ୍। ଏହି ମ୍ୟାଚରେ ବିଜୟୀ ହେଲେ ପ୍ରଥମ ଥର ପାଇଁ ଫାଇନାଲ ଖେଳିବା ସହ ପଦକ ନିଶ୍ଚିତ କରିବ ଦଳ। ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ଲାଗି ଅଲମ୍ପିକ୍ସ ସେମି ଫାଇନାଲରେ ସ୍ଥାନ ପକ୍କା କରି ମନୋବଳକୁ ବେଶ ଦୃ୍ଢ କରିଛନ୍ତି ଟିମ୍ ଇଣ୍ଡିଆର ସଦସ୍ୟା।
ଏପଟେ ମହିଳା ଟିମ୍ରେ ଖେଳୁଥିବା ଓଡିଆ ଖେଳାଳି ଦୀପଗ୍ରେସ ଏକ୍କା ଡିଫେନ୍ସରେ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଥିବା ଭାରତୀୟ ମହିଳା ହକି ଦଳ ଆଉ ଏକ କିର୍ତ୍ତୀମାନ କରିବାକୁ ଯାଉଛନ୍ତିି। ଉଭୟ ପୁରୁଷ ଓ ମହିଳା ହକି ଦଳର ଜବରଦସ୍ତ ପ୍ରଦର୍ଶନକୁ ନେଇ ଦେଶବ୍ୟାପୀ ଉତ୍କଣ୍ଠା ଲାଗି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)