india
ମାଲେସିଆରେ ଅନୁଷ୍ଠିତ ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ବକପ ଜିତିଛି ଭାରତ। ରବିବାର ଅନୁଷ୍ଠିତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ପରାସ୍ତ କରିଛି ଭାରତ। ଟୁର୍ଣ୍ଣାମେଣ୍ଟର ଏହା ଦ୍ବିତୀୟ ସଂସ୍କରଣ ହୋଇଥିବା ବେଳେ ଦୁଇ ଥର ଯାକ ଟ୍ରଫି ହାସଲ କରିଛି ଭାରତ। ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ପ୍ରଥମ ସଂସ୍କରଣରେ ଶେଫାଳି ବର୍ମାଙ୍କ ଅଧିନାୟକତ୍ବରେ ଭାରତ ଟ୍ରଫି ଜିତିଥିବା ବେଳେ ଚଳିତ ବର୍ଷ ନିକି ପ୍ରସାଦଙ୍କ ନେତୃତ୍ବରେ ଭାରତୀୟ ଦଳ ସମାନ ସଫଳତା ଦୋହରାଇଛି। ରବିବାର ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୨୦ ଓଭରରେ ଦଳ ୮୨ ରନରେ ଅଲଆଉଟ ହୋଇଥିଲା। ଜବାବରେ ଭାରତ ୧୧.୨ ଓଭରରେ ୧ ଉଇକେଟ ହରାଇ ୮୪ ରନ କରି ଜିତି ନେଇଥିଲା।
ଅଧିକ ପଢ଼ନ୍ତୁ: ବାରବାଟୀରେ ଦିନିକିଆ ମ୍ୟାଚ୍; କାଲି ବିକ୍ରି ହେବ ଅନଲାଇନରେ ଟିକେଟ୍, ଜାଣନ୍ତୁ କେମିତି କିଣିବେ...
ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଭାରତୀୟ ସ୍ପିନରଙ୍କ ସ୍ପିନ ଜାଲରେ ଫସି ଯାଇଥିଲେ ଆଫ୍ରିକୀୟ ବ୍ୟାଟର। ଭାରତର ୪ ସ୍ପିନର ମିଳିତ ଭାବରେ ୯ ଉଇକେଟ ନେଇଥିଲେ। ପାରୁଣିକା ସିସୋଦିଆ, ଆୟୁଷୀ ଶୁକ୍ଳା ଓ ବୈଷ୍ଣବୀ ଶର୍ମା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଗୋଙ୍ଗାଡି ତ୍ରିଶା ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଶବନମ ଶକିଲଙ୍କ ଖାତାକୁ ଆସିଥିଲା ୧ ଉଇକେଟ। ଦକ୍ଷିଣ ଆଫ୍ରିକା ପକ୍ଷରୁ ମାତ୍ର ୪ ଜଣ ଖେଳାଳି ଦୁଇ ଅଙ୍କ ସ୍କୋରରେ ପହଞ୍ଚି ପାରିଥିଲେ। ମିକ ଭାନ ଭୁର୍ଷ୍ଟ ୨୩ ରନ କରିଥିବା ବେଳେ ଜେମା ବୋଥା ୧୬, ଫେ କୋଲିଙ୍ଗ ୧୫ ଓ କାରାବୋ ମେସୋ ୧୦ ରନ ସ୍କୋର କରିଥିଲେ।
ଭାରତୀୟ ବୋଲରଙ୍କ ମଧ୍ୟରେ ପାରୁଣିକା ଓ ଆୟୁଷୀ ଘାତକ ବୋଲିଂ କରି ଟପ ଅର୍ଡର ବିପର୍ଯ୍ୟୟ ଘଟାଇଥିଲେ। ଅନ୍ୟ ପକ୍ଷରେ ତ୍ରିଶା ଓ ବୈଷ୍ଣବୀ ଲୋୟର ଅର୍ଡର ପୋଛି ନେଇଥିଲେ। ୮୫ ରନ ଲକ୍ଷ୍ୟର ପିଛା କରୁଥିବା ଭାରତ ପକ୍ଷରୁ ଜି. କମଳିନୀ ଓ ତ୍ରିଶା ଇନିଂସ ଆରମ୍ଭ କରିଥିଲେ। କମଳିନୀ ମାତ୍ର ୮ ରନ କରି ଦଳୀୟ ସ୍କୋର ୩୬ରେ ପ୍ୟାଭିଲିୟନ ଫେରିଥିଲେ। ତେବେ ବୋଲିଂରେ ସଫଳ ତ୍ରିଶା ବ୍ୟାଟିଂରେ ମଧ୍ୟ ମ୍ୟାଜିକ ଦେଖାଇଥିଲେ। ସେ ୩୩ ବଲ ଖେଳି ୮ ଚୌକା ସହ ୪୪ ରନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାନିକା ଚଲକେ ୨୨ ବଲରୁ ୪ ଚୌକା ମାରି ୨୬ ରନରେ ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ କାଏଲା ରେନେକେ ଗୋଟିଏ ଉଇକେଟ ନେଇଥିଲେ। ଟୁର୍ଣ୍ଣାମେଣ୍ଟର ହାଇଏଷ୍ଟ ସ୍କୋରର ଗୋଙ୍ଗାଡି ତ୍ରିଶା ଉଭୟ ପ୍ଲେୟର ଅଫ ଦ ମ୍ୟାଚ ଓ ପ୍ଲେୟର ଅଫ ଦ ଟୁର୍ନାମେଣ୍ଟ ହୋଇଥିଲେ। ତ୍ରିଶା ୭ ମ୍ୟାଚରୁ ୭୭.୨୫ର ଆଭରେଜ ସହିତ ୩୦୯ ରନ ସ୍କୋର କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ବୈଷ୍ଣବୀ ଶର୍ମା ୧୭ ଓ ଆୟୁଷୀ ଶୁକ୍ଲା ୧୪ ଉଇକେଟ ନେବା ସହ ବୋଲରଙ୍କ ମଧ୍ୟରେ ପ୍ରଥମ ଦୁଇ ସ୍ଥାନ ହାସଲ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/india_1738498073.jpg)