• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଶ୍ୱିନଙ୍କ ସ୍ପିନ୍ ଯାଦୁ ଆଗରେ ୱେଷ୍ଟଇଣ୍ଡିଜ୍ ଚିତପଟାଙ୍ଗ । ପ୍ରଥମ ଟେଷ୍ଟରେ ବାଜି ମାରିଲା ଟିମ୍ ଇଣ୍ଡିଆ। ଇନିଂସ ଏବଂ ୧୪୧ ରନ୍‌ର ବିଶାଳ ବ୍ୟବଧାନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ବିଜୟୀ ହୋଇଛି । ବ୍ୟାଟିଂ ପରେ ଭାରତର ଜବରଦସ୍ତ ବୋଲିଂ ଆଗରେ ଧରାଶାୟୀ ହୋଇଛି କାରବିୟାନ ଟିମ୍ । ଫଳରେ ତୃତୀୟ ଦିନରେ ହିଁ ମ୍ୟାଚର ରେଜଲ୍ଟ ବାହାରିଯାଇଛି ।

ଦ୍ୱିତୀୟ ଇନିଂସରେ ମାତ୍ର ୧୩୦ ରନ୍‌ରେ ୱେଷ୍ଟଇଣ୍ଡିଜ୍ ଅଲ୍ ଆଉଟ୍ ହୋଇଛି । ଭାରତ ପକ୍ଷରୁ ଆର. ଅଶ୍ୱିନୀ ସର୍ବାଧିକ ୭ଟି ୱିକେଟ୍ ଅକ୍ତିଆର କରିଥିବା ମୋଟ ଉପରେ ମ୍ୟାଚ୍‌ରେ ଆର. ଅଶ୍ୱିନୀ ୧୨ଟି ୱିକେଟ୍ ହାସଲ କରିଛନ୍ତି । ସେହିଭଳି ଦ୍ୱିତୀୟ ଇନିଂସରେ ରବୀନ୍ଦ୍ର ଜାଡେଜା ୩ଟି ୱିକେଟ୍ ନେଇଥିବା ବେଳେ ମୋଟ ପରେ ସେ ୫ଟି ୱିକେଟ୍ ହାସଲ କରିଛନ୍ତି ।

ଅନ୍ୟପଟେ ଆରମ୍ଭରୁ ଏହି ମ୍ୟାଚ୍‌ରେ ଭାରତର ଦବ୍‌ଦବା ଦେଖିବାକୁ ମିଳିଥିଲା । ପ୍ରଥମ ଦିନରେ ହିଁ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ୱେଷ୍ଟଇଣ୍ଡିଜ ଟିମ୍ ପ୍ରଥମ ଇନିଂସରେ ୧୫୦ରନରେ ଅଲ୍ ଆଉଟ୍ ହୋଇ ଯାଇଥିବା ବେଳେ ମଜବୁତ ସ୍ଥିତିରେ ରହିଥିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ୍‌ ବ୍ରାଥ୍‌ୱେଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ । ମାତ୍ର ରବିଚନ୍ଦ୍ରନ ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରି ନ ଥିଲା ଘରୋଇ ଦଳ। ପ୍ରଥମ ଇନିଂସରେ ଅଶ୍ୱିନ୍ ୫ଟି ୱିକେଟ୍‌ ନେଇଥିଲେ, ଜାଡେଜା ୨ଟି ୱିକେଟ୍ ନେଇଥିଲେ ।

ଆଉ ଏକ ବଡ଼ କଥା ହେଲା, ଏହି ମ୍ୟାଚ୍‌ରେ ଯଶସ୍ୱୀ ଜୈସୱାଲଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ ଏବଂ ବିରାଟ କୋହଲି ରନ୍ ନେବାକୁ ଦୌଡ଼ୁଥିଲେ । ଏହି ସମୟରେ, ଜଣେ ଖେଳାଳି ଯଶସ୍ୱୀ ଜୈସୱାଲଙ୍କ ସାମ୍ନାକୁ ଆସିଥିଲେ । ଯଦିଓ ସେ ନାଁ ନେଇ ନାହାଁନ୍ତି, କିନ୍ତୁ ଯେଉଁ ଖେଳାଳି ତାଙ୍କ ସାମ୍ନାକୁ ଆସିଥିଲେ, ତାଙ୍କ ଉଦେଶ୍ୟରେ ଯଶସ୍ୱୀ ଜୈସୱାଲ ଅପଶବ୍ଦ ବ୍ୟବହାର କରିଥିଲେ । ସେ କୋହଲିଙ୍କ ଆଡ଼କୁ ଚାହିଁ ଏଭଳି କହିଥିଲେ । ଯାହାର ଭିଡିଓ ଭାଇରାଲ ହେଉଛି । କ୍ୟାମେରାରେ ମଧ୍ୟ ତାହା ସ୍ପଷ୍ଟ ଜଣାପଡ଼ୁଛି ।