• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବେଙ୍ଗାଳୁରୁରେ ଭାରତ-ଦକ୍ଷିଣ ଆଫ୍ରିକା T-20 ସିରିଜ୍ ଡ୍ର । ପାଞ୍ଚ ମ୍ୟାଚ୍ ସିରିଜ ୨-୨ରେ ଅମିମାଂସିତ ଭାବେ ଶେଷ । ନିର୍ଣ୍ଣାୟକ ଅନ୍ତିମ ମୁକାବିଲା ବର୍ଷାରେ ଧୋଇଯିବାରୁ ସିରିଜ୍ ଡ୍ର । ଭୁବନେଶ୍ୱର କୁମାରଙ୍କୁ ପ୍ଲେୟାର ଅଫ୍ ଦ ସିରିଜ୍ ପୁରସ୍କାର ।

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ର ଶେଷ ତଥା ଟ୍ରଫି ଟକ୍କର ମ୍ୟାଚ୍‌ରେ ପ୍ରଥମେ ଟିମ୍‌ ଇଣ୍ଡିଆ ଟସ୍‌ ହାରିଥିଲା । ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର କାମଚଳା ଅଧିନାୟକ କେଶବ ମହାରାଜ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଫଳରେ ଭାରତ ପ୍ରଥମେ ବ୍ୟାଟ୍‌ ଧରି ମଇଦାନଳକୁ ଓହ୍ଲାଇଥିଲା । ଏହି ସିରିଜରେ ଋଷଭ ପନ୍ତ ତାଙ୍କ କ୍ୟାପ୍ଟେନ୍‌ସିପ୍‌ କ୍ୟାରିୟର ଆରମ୍ଭ କରିଛନ୍ତି । ହେଲେ ଲଗାତାର ୫ଟି ଯାକ ମ୍ୟାଚ୍‌ରେ ସେ ଟସ୍‌ ହାରି ଅଲୋଡ଼ା ରେକର୍ଡ ନିଜ ନାଁରେ କରିଛନ୍ତି ।

ଭାରତ ପ୍ରଥମେ ମଇଦାନକୁ ଓହ୍ଲାଇ ଧୁଆଁଧାର ତଥା ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲା । ମାତ୍ର ୩.୩ ଓଭର ଖେଳ ମଧ୍ୟରେ ୨୮ ରନ୍‌ ସଂଗ୍ରହ କରିଥିଲା ଭାରତ । ଏହାସହ ଦୁଇଟି ୱିକେଟ୍ ମଧ୍ୟ ହରାଇଥିଲା । ତେବେ ୩.୩ ଓଭର ଚାଲିଥିବାବେଳେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ତେଣୁ କିଛି ସମୟ ପାଇଁ ଖେଳକୁ ସ୍ଥଗିତ ରଖାଯାଇଥିଲା । ହେଲେ ପରେ ବର୍ଷା ନଛାଡ଼ିବାରୁ ଆଜିର ମ୍ୟାଚ୍‌କୁ ବାତିଲ କରାଯାଇଥିଲା ।

ଏବେ ଏହି ୫ଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ରେ ଭାରତ ଦୁଇଟି ମ୍ୟାଚ୍‌ ଜିତିଥିବା ବେଳେ ସାଉଥ୍‌ ଆଫ୍ରିକା ମଧ୍ୟ ଦୁଇଟି ମ୍ୟାଚ୍‌ ଜିତିଛି । ଆଜି ଶେଷ ଏବଂ ନିର୍ଣ୍ଣାୟକ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଛି । ଫଳରେ ସିରିଜ ଡ୍ର ରହିଛି ।

ଭାରତ ପକ୍ଷରୁ ଓପନିଂ କରିବାକୁ ଆସିଥିଲେ ଇଶାନ କିଶନ ଓ ଋତୁରାଜ ଗାଇକ୍ୱାଡ଼ । ଇଶାନ ୭ଟି ବଲ୍ ଖେଳି ୧୫ ରନ୍‌ କରିଥିବା ବେଳେ ଗାଇକ୍ୱାଡ଼ ୧୨ଟି ବଲ୍‌ ଖେଳି ୧୦ ରନ୍‌ କରିଥିଲେ । ସେମାନେ ଆଉଟ ହେବା ପରେ ଶ୍ରେୟସ ଆୟର ଓ ଋଷଭ ପନ୍ତ ମଇଦାନକୁ ଆସିଥିଲେ । ଉଭୟ ଗୋଟିଏ ଲେଖାଏ ବଲ ଖେଳିଥିବା ବେଳେ ପନ୍ତ ଏକ ରନ୍‌ କରିବାରେ ସଫଳ ହୋଇଥିଲେ । ପରେ ବର୍ଷା ଆରମ୍ଭ ହୋଇଥିଲା ।

୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଦିଲ୍ଲୀରେ ଖେଳା ଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଥିଲା। ଦ୍ୱିତୀୟ ଟି-୨୦ କଟକର ବାରବାଟୀରେ ଖେଳା ଯାଇଥିଲେ ହେଁ ଭାରତ କମବ୍ୟାକ କରି ପାରି ନଥିଲା। ଲଗାତର ୨ଟି ମ୍ୟାଚ୍‌ ହାରି ଋଷଭ ପନ୍ତଙ୍କ କ୍ୟାପ୍ଟେନ୍ସିରେ ପ୍ରଥମ ଥର ଖେଳୁଥିବା ଭାରତ ସିରିଜ୍‌ରେ ୦-୨ରେ ପଛୁଆ ହୋଇ ଯାଇଥିଲା।

କିନ୍ତୁ ଏହି ଯୁବ ବାହିନୀ ହାର ମାନିବା ମୁଡରେ ନଥିଲା। ଟିମ୍‌ ଇଣ୍ଡିଆର ଯୁବ ବ୍ରିଗେଡ ବିଶାଖାପଟନମରେ ଜବରଦସ୍ତ କମବ୍ୟାକ୍‌ କରିଥିଲେ। ଏଠାରେ ବିଜୟ ସହ ଦଳ ସିରିଜକୁ ୧-୨କୁ ଆଣିଥିଲେ। ରାଜକୋଟରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିବା ପରେ ୫ ଟିକିଆ ସିରିଜ୍‌ ୨-୨ରେ ବରାବର ହୋଇ ଯାଇଥିଲା।