• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସନ୍ତାକାଲି ଅଷ୍ଟ୍ରେଲିଆ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ କରିବ ଭାରତ । ମୋହାଲିରେ ପ୍ରଥମ ମ୍ୟାଚ ଖେଳିବା ପୂର୍ବରୁ ଭାରତ ଅଭ୍ୟାସ ଆରମ୍ଭ କରିଛି । ଦୁଇ ଦେଶ ସହ ହେବାକୁ ଥିବା ୬ଟି ମ୍ୟାଚରେ ଭାରତ କିଛି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା । ଏସିଆ କପରେ ବିରାଟ କୋହଲି ଫର୍ମକୁ ଫେରିବା ଭାରତ ଲାଗି ଶୁଭ ସଙ୍କେତ ବୋଲି କୁହାଯାଉଛି ।

ଏମିତିକି ଟି-ଟ୍ୱେଣ୍ଟି ଫର୍ମାଟରେ ବିରାଟ ଓପନ କଲେ ଦଳ ପାଇଁ ଲାଭଦାୟକ ହେବ ବୋଲି ରୋହିତ କହିଛନ୍ତି । ଅଷ୍ଟ୍ରେଲିଆ ସହ ମୋହାଲିରେ ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବା ବେଳେ ନାଗପୁରରେ ୨୩ ସେପ୍ଟେମ୍ବରରେ ଦ୍ୱିତୀୟ ଓ ହାଇଦ୍ରାବାଦ ରାଜୀବ ଗାନ୍ଧି ଷ୍ଟାଡିୟମରେ ତୃତୀୟ ମ୍ୟାଚ ଖେଳାଯିବ । T-20 ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ସିରିଜ ଖେଳିବ ଭାରତ ।

ଅନ୍ୟପଟେ ଏହି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ଭାରତକୁ ଲାଗିଛି ଝଟକା । ଦଳର ଅନ୍ୟତମ ଦ୍ରୁତ ବୋଲର ମହମ୍ମଦ ଶାମି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌କୁ ବାଦ ପଡ଼ିଛନ୍ତି । ଭାରତ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶାମି ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ ପଡ଼ିବା ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି । ଏବେ ଶାମିଙ୍କ ବଦଳରେ ଭାରତୀୟ ଟି-୨୦ ସ୍କ୍ୱାଡରେ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି । ଦୀର୍ଘ ୩ ବର୍ଷ ପରେ ଉମେଶ ଯାଦବ ଭାରତୀୟ ଟି-୨୦ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି ।

୨୦୧୯ ଫେବୃଆରୀରେ ଉମେଶ ଶେଷଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ହିଁ ନିଜର ଶେଷ ଟି-୨୦ ମ୍ୟାଚ୍‌ ଖେଳିଥିଲେ । ଏବେ ସେହି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ତାଙ୍କୁ ବଦଳ ଖେଳାଳି ଭାବେ ଡକରା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଶାମି କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର କୌଣସି ଲକ୍ଷଣ ଦେଖାଯାଉଛି କି ନାହିଁ, ସେକଥା ସ୍ପଷ୍ଟ ହୋଇନି । ସେ ଅଷ୍ଟ୍ରେଲିଆ ସିରିଜ୍‌ରୁ ବାଦ ପଡ଼ିଥିବା ବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖେଳିପାରନ୍ତି । କିନ୍ତୁ ଏହା ପୂର୍ବରୁ ବିସିସିଆଇର ମେଡିକାଲ ଟିମ୍‌ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବ । ଏହାପରେ ସେ ମ୍ୟାଚ୍‌ ଖେଳିବାକୁ ଫିଟ ଥିବା ଜଣାପଡ଼ିବା ପରେ ତାଙ୍କୁ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ସାମିଲ କରାଯିବ ବୋଲି ଜଣାପଡ଼ିଛି ।