/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700316216.jpg)
World Cup Final
ଦୁଇ ଦଶନ୍ଧି ପରେ ଆଉ ଏକ ମହାମୁକାବିଲା । ଜୋହାନ୍ସବର୍ଗର ବଦଲା ନେବ କି ଅହମ୍ମଦାବାଦରେ। ପୁଣି ଥରେ କଙ୍ଗାରୁକୁ ଟକ୍କର ଦେବେ ମେନ୍ ଇନ୍ ବ୍ଲୁ। ସୁପର୍ ସନ୍ ଡେ’ରେ ହେବ ସୁପର ଫାଇନାଲ। ଆଉ ଟାଇଟଲ୍ ଟକ୍କର ପୂର୍ବରୁ ଭାଇରାଲ୍ ହେଉଛି ଦୁଇ କ୍ୟାପଟେନଙ୍କ ଏହି ଫଟୋ ସୁଟ୍। ଗାନ୍ଧିନଗର ନିକଟ ଅଡାଲଜ୍ ଷ୍ଟେପ୍ ୱେଲରେ ବିଶ୍ୱକପ୍ ସହ ରୋହିତ ଶର୍ମା ଓ ପ୍ୟାଟ୍ କମିନ୍ସଙ୍କ ଏହି ଫଟୋ ସୁଟ୍ କରାଯାଇଛି । ତେବେ କିଏ ହେବ ଏହି ବିଶ୍ୱକପର ହକଦାର। ଅଷ୍ଟ୍ରେଲିଆ ଷଷ୍ଠ ଥର ଲାଗି ଏହାକୁ ନିଜ କବଜାକୁ ନେବ ନା ତୃତୀୟ ଥର ଏହାକୁ ନିଜ ନାଁରେ କରିବ ଟିମ୍ ଇଣ୍ଡିଆ।
ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ସୁପର ମୁକାବିଲା ଲାଗି ସାରା ଦେଶରେ ବଢିଚାଲିଛି କ୍ରିକେଟ ଫିଭର୍ । ସମସ୍ତେ ଭିନ୍ନ ଭିନ୍ନ ଢଙ୍ଗରେ ମେନ୍ ଇନ୍ ବ୍ଲୁକୁ ଚିୟର୍ ଅପ୍ କରୁଛନ୍ତି। କିଏ ହୋମ ଯଜ୍ଞ କରୁଛନ୍ତି ତ ଆଉ କିଏ ୫୦୦ ଫୁଟର ତ୍ରିରଙ୍ଗା ଧରି ରୋହିତ ବାହିନୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ଏଣେ ମହାମୁକାବିଲାକୁ ସ୍ମରଣୀୟ କରିବା ଲାଗି ବିସିସିଆଇ, ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରିଛି । ଭାରତୀୟ ବାୟୁସେନାର ଏରୋବେଟିକ୍ ଟିମ୍ ସୂର୍ଯ୍ୟକିରଣର ଏୟାର ଶୋ’ରୁ ଆରମ୍ଭ ହେବ ଫାଇନାଲ ଏକ୍ସଟ୍ରାଭେଙ୍ଗେଜା। ଏହାପରେ ଇନିଂସ ବ୍ରେକ୍ ବେଳକୁ ଦେଶର ଷ୍ଟାର୍ ସିଙ୍ଗରମାନେ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷେରୁ ଅଧିକ ଦର୍ଶକଙ୍କ ମନୋରଞ୍ଜନ କରିବେ । ଏହାବ୍ୟତୀତ ବିସିସିଆଇ ପକ୍ଷରୁ ବିଶ୍ୱକପ୍ ଜିତିଥିବା ସମସ୍ତ ଅଧିନାୟକଙ୍କୁ ନିମନ୍ତ୍ରିତ କରାଯାଇଛି । ସେମାନଙ୍କୁ ସ୍ୱତନ୍ତ୍ର ବ୍ଲେଜର୍ ଦିଆଯାଇ ସମ୍ବର୍ଦ୍ଧିତ କରାଯିବ। ଫାଇନାଲ ମ୍ୟାଚ ଦେଖିବାକୁ ଆସିବେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ରିଚାର୍ଡ ମାର୍ଲସ ମଧ୍ୟ ଉପସ୍ଥିତ ରହିବେ। ସେପଟେ ଏହି ହାଇଭୋଲଟେଜ୍ ମ୍ୟାଚ ଦେଖିବା ଲାଗି ଅହମ୍ମଦାବାଦରେ ଦେଶ ବିଦେଶରୁ ହଜାର ହଜାର କ୍ରିକେଟ ପ୍ରେମୀ ପହଞ୍ଚିବାରେ ଲାଗିଲେଣି ।
ଓଡ଼ିଶାରେ ମଧ୍ୟ ମ୍ୟାଚର ମଜା ନେବା ଲାଗି ଫ୍ୟାନଙ୍କ ମଧ୍ୟରେ ନାହିଁ ନ ଥିବାର ଆଗ୍ରହ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବଡ ଏଲଇଡି ଲଗାଇ ମ୍ୟାଚକୁ ଉପଭୋଗ କରିବାର ବ୍ୟବସ୍ଥା ହୋଇଛି । ଭୁବନେଶ୍ୱରର ବିଭିନ୍ନ ହୋଟେଲରେ ଖାଇବା ସହ ମ୍ୟାଚର ମଜା ନେବାକୁ ବ୍ୟବସ୍ଥା କରାଯାଇଛି। ଏଣେ ଭାରତ ଫାଇନାଲରେ ଥିବାରୁ ଟିମ୍ ଇଣ୍ଡିଆ ଜର୍ସିର ଡିମାଣ୍ଡ ବଢିଯାଇଛି। ଚଳିତ ବିଶ୍ୱକପରେ ଅପରାଜେୟ ଥିବା ଭାରତ ଘରୋଇ ମାଟିରେ ଫାଇନାଲ ଜିତି ଟାଇଟଲ କବଜା କରିବାକୁ ଚେଷ୍ଟା କରିବ। ପୁରା ଟୁର୍ଣ୍ଣାମେଣ୍ଟରେ ଟିମ୍ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ଖେଳ ପ୍ରଦର୍ଶନ କରିଛି । ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିବାରୁ ଭାରତୀୟ ଖେଳାଳିଙ୍କ ନିକଟରେ ଏହାର ଏଡଭାଣ୍ଟେଜ୍ ରହିବ। ତେବେ କଙ୍ଗାରୁ ଦଳ ପାଖରେ ନକଆଉଟ୍ ଗେମରେ ଭଲ ପ୍ରଦର୍ଶନ କରିଥିବା ରେକର୍ଡ ରହିଛି । ତେଣୁ ଫାଇନାଲ ମୁକାବିଲା ଜୋରଦାର ହେବ ବୋଲି ଆଶା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)