• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଇସିସି ଟି-୨୦ ବିଶ୍ୱକପ୍‌ ପାଇଁ ଗ୍ରୁପ୍ ଘୋଷଣା ।

  • ଉଭୟ ଗ୍ରୁପ୍‌ ଶକ୍ତିଶାଳୀ ଦଳ ।

  • ଅଧିକ ରୋମାଞ୍ଚକର ହେବ ଟୁର୍ଣ୍ଣାମେଣ୍ଟ ।

ଦୁବାଇ: ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ୍‌ ପାଇଁ ଗ୍ରୁପ୍ ଘୋଷଣା ହୋଇସାରିଛି । ଉଭୟ ଗ୍ରୁପ୍‌ ଶକ୍ତିଶାଳୀ ରହିଥିବା ଦେଖାଯାଇଛି । ଏଥର ଟୁର୍ଣ୍ଣାମେଣ୍ଟ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ତେବେ ସବୁଠାରୁ ବଡ଼ କଥା ହେଲା ପୂର୍ବ ଭଳି ଭାରତ ଓ ପାକିସ୍ତାନକୁ ଗୋଟିଏ ହିଁ ଗ୍ରୁପ୍‌ରେ ହିଁ ରଖାଯାଇଛି । କିଛ ଦିନ ହେବ ଏନେଇ ସୋସିଆଲ ମିଡିଆରେ ଢ଼େର ଚର୍ଚ୍ଚା ହେଉଥିଲା ଯେ, ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ରହୁଛନ୍ତି ନା ଭିନ୍ନ ଗ୍ରୁପ୍‌ରେ । ଏହା ଉପରେ ସମସ୍ତଙ୍କ ନଜର ରହିଥିଲା । ଏବେ ସବୁ ଅପେକ୍ଷାର ଅନ୍ତଃ ଘଟିଛି । ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ରହିଛନ୍ତି । ଅର୍ଥାତ୍ ଗ୍ରୁପ୍ ମ୍ୟାଚ୍ ପରେ ନକ୍ଆଉଟ୍‌ରେ ମଧ୍ୟ ଉଭୟ ଦଳ ସାମ୍ନା ସାମ୍ନି ହେବାର ସମ୍ଭାବନା ରହିଛି । ଦ୍ୱିତୀୟ ଗ୍ରୁପରେ ଡିଫେଣ୍ଡିଂ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍ ସ୍ଥାନିତ ହୋଇଛି । ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇ ଏବଂ ଓମାନରେ ଏହି ଟୁର୍ନାମେଣ୍ଟର ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହେବ ବୋଲି ପୂର୍ବରୁ ସ୍ଥିର ହୋଇସାରିଛି । ଏଥିରେ ମୋଟ ୧୬ଟି ଟିମ୍ ସାମିଲ ଅଛନ୍ତି ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ଆୟୋଜନ ସହିତ ଓମାନକୁ ବିଶ୍ୱ କ୍ରିକେଟର ଆଭିମୁଖ୍ୟ ଭିତରକୁ ଆଣିବା ଭଲ କଥା । ଏହା ଅନେକ ଯୁବ ଖେଳାଳିଙ୍କୁ ଖେଳ ପ୍ରତି ଆଗ୍ରହ ଦେଖାଇବାରେ ସାହାଯ୍ୟ କରିବ । ବିଶ୍ୱର ଏହି ଭାଗରେ ଏହା ଏକ ବିଶ୍ୱସ୍ତରୀୟ ଆୟୋଜନ ହେବ । ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୧ ପାଇଁ ସ୍ଥାନ ହେଉଛି ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଆବୁଧାବିରେ ଶେଖ ଜାଏଦ ଷ୍ଟାଡିୟମ, ଶାରଜାହ ଷ୍ଟାଡିୟମ ଏବଂ ଓମାନ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡ । ତେବେ ଆଗକୁ ଠିକ୍ ସମୟରେ ଟୁର୍ନାମେଣ୍ଟର କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ସୌରଭ ଗାଙ୍ଗୁଲି କହିଛନ୍ତି । ସେପଟେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ, ଗ୍ରୁପ୍‌ ଘୋଷଣା ପରେ ଏବେ ଆଇସିସି ଟି -୨୦ ବିଶ୍ୱକପର କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଯାଇଛି ।

ତେବେ ଶେଷଥର ପାଇଁ ୨୦୧୯ରେ ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିଲେ । ଏବେ ପୁଣିଥରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିବାରୁ ଫ୍ୟାନଙ୍କ ମଧ୍ୟରେ ଏବେଠାରୁ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଲାଣି ।

ଅନ୍ୟପଟେ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାର ଭାରତ ହାତରେ ରହିବ । କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଭାରତରେ ଟି-୨୦ ବିଶ୍ୱକପ୍ କରାଯାଇପାରିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଦେଇଥିଲା । ଯାହା ପରେ ଆଇସିସି, ଟି-୨୦ ବିଶ୍ୱକପକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି ।

ଶୁକ୍ରବାର ଆଇସିସି ଟି-୨୦ ବିଶ୍ୱକପ୍‌ର କ୍ରୀଡ଼ାସୂଚୀ ଘୋଷିତ କରିଛି । ପ୍ରଥମ ରାଉଣ୍ଡରେ ୮ଟି ଟିମକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି। ପ୍ରଥମ ରାଉଣ୍ଡର ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ନାମିବିଆ ରହିଛନ୍ତି। ଗ୍ରୁପ୍-ବି’ରେ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି ଓ ଓମାନ୍ ଟିମ୍ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପ୍‌ର ଶୀର୍ଷ ଦୁଇ ଟିମ୍ ସୁପର୍-୧୨କୁ କ୍ୱାଲିଫାଏ କରିବେ। ସୁପର୍-୧୨ର ମୁକାବିଲା ଗୁଡ଼ିକ ୟୁଏଇର ଆବୁଧାବି, ଦୁବାଇ ଓ ଶାରଜାରେ ଖେଳାଯିବ। ଏସବୁ ମ୍ୟାଚ୍ ଗୁଡ଼ିକ ଓମାନ୍‌ରେ ଅନୁଷ୍ଠିତ ହେବ। ସୁପର୍-୧୨ରେ ମୋଟ ୩୦ଟି ମ୍ୟାଚ୍ ଖେଳାଯିବ, ଯାହାର ଶୁଭାରମ୍ଭ ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହୋଇପାରେ।