• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଅପରାଜେୟ ବାଦଶାହା ବନିବ ଟିମ୍ ଇଣ୍ଡିଆ ନା ପ୍ରଥମ ଆଇସିସି ଟ୍ରଫି ସହ ଇତିହାସ ରଚିବ ଦକ୍ଷିଣ ଆଫ୍ରିକା ? ଟି-୨୦ ବିଶ୍ବକପ୍ ଗ୍ରାଣ୍ଡ ଫିନାଲେରେ କାହାର ହେବ ଜିତ୍ ? ସାରା ବିଶ୍ୱର ନଜର ଭିତରେ ଆଜି ୱେଷ୍ଟଇଣ୍ଡିଜର ବାର୍ବଡାସରେ ମୁହାମୁହିଁ ହେବାକୁ ଯାଉଛନ୍ତି ଦୁଇ ଶକ୍ତିଶାଳୀ ଟିମ୍ । ବ୍ରିଜଟାଉନ୍ ସ୍ଥିତ ଓଭାଲ ଗ୍ରାଉଣ୍ଡରେ ରାତି ୮ଟାରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ରୋହିତ ବନାମ ମାକ୍ରମ ସେନା ମଧ୍ୟରେ ହେବ ବିଗ୍ ଫାଇଟ୍ ।

ଦୁଇ ସୁପର ଟିମ୍ ଭିତରେ ମ୍ୟାଚକୁ ନେଇ କମ୍ପିବ କ୍ରିକେଟ୍ ମୈଦାନ । ୨୦୧୧ରେ ଆଇସିସି ଦିନିକିଆ ବିଶ୍ବକପ୍ ଜିତିବା ପରଠୁ ବିଗତ ୧୩ ବର୍ଷ ଭିତରେ ଆଉ ବିଶ୍ବକପ୍ ଆଣିପାରନି ଭାରତ । ତେଣୁ ଏଥର ରୋହିତ ଶର୍ମାଙ୍କ ନେତୃତ୍ବରେ ଆରମ୍ଭରୁ ଦମଦାର ପ୍ରଦର୍ଶନ ସହ ଭାରତ ଗୋଟିଏ ବି ମ୍ୟାଚ୍ ହାରି ନଥିବାରୁ ଫାଇନାଲ ମ୍ୟାଚ୍ ଜିତି ବିଶ୍ବକପ୍ ମରୁଡ଼ିର ଅନ୍ତ ଘଟାଇବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ବିଶେଷକରି ବିରାଟ, ରୋହିତ, ଋଷଭ ଓ ସୂର୍ଯ୍ୟକୁମାରଙ୍କ ବ୍ୟାଟରୁ ବଡ଼ ସ୍କୋର ଆଶା କରୁଛନ୍ତି ଦର୍ଶକ ।

ସେପଟେ ଏଡେନ୍ ମାକ୍ରମଙ୍କ ଟିମ୍ ବି ଚଳିତ ଟୁର୍ଣ୍ଣାମେଣ୍ଟ ସାରା ଅପରାଜେୟ ରହିଛି । ପ୍ରଥମ ଥର ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ସହ ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା ଦଳ । ତେଣୁ ମନୋବଳ ଦୃଢ଼ ସହ ଦେଶବାସୀଙ୍କୁ ପ୍ରଥମ ଥର ବିଶ୍ୱକପ ସ୍ୱାଦ ଚଖାଇବାର ସୁଯୋଗକୁ ଆଦୌ ହାତଛଡ଼ା କରିବାକୁ ଚାହିଁବନି ଦକ୍ଷିଣ ଆଫ୍ରିକା ଦଳ।

ଏପଟେ ବିଶ୍ବକପର ଟାଇଟଲ ଟକ୍କରକୁ ନେଇ ସାରା ଦେଶରେ କ୍ରିକେଟ୍ ଫିଭର । ଭାରତର ବିଶ୍ୱକପ ବିଜୟ ମନାସି ଦେଶବ୍ୟାପୀ ଚାଲିଛି ପୂଜାର୍ଚ୍ଚନା, ନାମ-ଯଜ୍ଞ, ଅଖଣ୍ଡ ଆଳତୀ ଏବଂ ହନୁମାନ ଚାଳିସା ପାଠ ଭଳି କାର୍ଯ୍ୟକ୍ରମ। ଟିମ୍ ଇଣ୍ଡିଆର ଶୁଭ ମନାସି ଚାଲିଛି ଜଜ୍ଞ ଓ ମନ୍ତ୍ରପାଠ । ଉତ୍ତରପ୍ରଦେଶ କାନପୁରରେ ବି ଭାରତୀୟ ଟିମର ମଙ୍ଗଳ ମନାସି ମନ୍ଦିରରେ ଚାଲିଛି ଘଣ୍ଟଘଣ୍ଟା ଆଳତି । ସେହିଭଳି ୟୁପି ପ୍ରୟାଗରାଜରେ ଆବାଳ ବୃଦ୍ଧ ବନିତାଙ୍କୁ ଦେଖିବାକୁ ମିଳିଛି ଭକ୍ତି ମୁଦ୍ରାରେ। ସକାଳୁ ଗଙ୍ଗାକୂଳରେ ଜଳ ଅର୍ଘ୍ୟ ଅର୍ପଣ ସହ ଅଖଣ୍ଡ ମନ୍ତ୍ରୋଜପ କରୁଛନ୍ତି କ୍ରିକେଟପ୍ରେମୀ ।

ଆଜିର ମ୍ୟାଚକୁ ନେଇ ଓଡ଼ିଶାରେ ବି କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଭଦ୍ରକ ସହର ସ୍ଥିତ ବାବା ନୀଳାଲୋହିତ ମନ୍ଦିରରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିଛନ୍ତି କ୍ରୀଡ଼ାପ୍ରେମୀ । ସେହିଭଳି ସେପଟେ ଜୟପୁରରୁ ଏପଟେ ରାଉରକେଲା ସହର ପର୍ଯ୍ୟନ୍ତ ସବୁଠି ମ୍ୟାଚକୁ ନେଇ ଚର୍ଚ୍ଚା ଆଲୋଚନା। ଓଭାଲରେ ଭାରତ ହିଁ ଫେଭରିଟ୍ ବୋଲି ଆଶାବାଦୀ ଅସଂଖ୍ୟ ଫ୍ୟାନ୍ ଓ ସମର୍ଥକ ।

ଚଳିତ ଟି ଟ୍ବେଣ୍ଟି ବିଶ୍ବକପରେ ରହିଛି ରେକର୍ଡ ପରିମାଣର ପୁରସ୍କାର ରାଶି । ପ୍ରଥମ ଥର ପାଇଁ ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ଘୋଷଣା କରିଛି ପ୍ରାୟ ୯୪ କୋଟିର ପ୍ରାଇଜ ମନି । ସେ ଭିତରୁ ଚାମ୍ପିୟନ ଟିମ୍ ପାଇବ ୨୦ କୋଟିରୁ ଅଧିକ ଟଙ୍କା । ୧୭ ବର୍ଷ ପରେ ଟି ଟ୍ବେଣ୍ଟି ବିଶ୍ବକପ୍ ଇତିହାସରେ ପ୍ରଥମ ଥର କୌଣସି ଅପରାଜିତ ଟିମ୍ ହେବାକୁ ଯାଉଛି ଚାମ୍ପିଅନ୍ । ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଫାଇନାଲକୁ ଯାଇଥିବା ବେଳେ ଭାରତ ୨୦୦୭ରେ ବିଶ୍ବ ବିଜେତା ହୋଇସାରିଛି । ତେବେ ଆଜିର ମ୍ୟାଚ୍ ବେଳେ ବର୍ଷା ସମ୍ଭାବନା ଥିବାରୁ କ୍ରିକେଟ୍ ପ୍ରେମୀଙ୍କ ଆଶାରେ ପାଣି ପଶିବାର ଆଶଙ୍କା ବି ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now