• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଜିତିଲା ଭାରତ ହାରିଲା ହଂକଂ। ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ ଆଗରେ ହଂକଂ ଧରାଶାୟୀ। ଲଗାତାର ଦ୍ୱିତୀୟ ମ୍ୟାଚ୍ ଜିତିଲା ଭାରତ। ଦ୍ୱିତୀୟ ମ୍ୟାଚ୍ରେ ହଂକଂକୁ ୪୦ ରନ୍ରେ ହରାଇଲା ଭାରତ। ଭାରତର ୧୯୨/୨ ରନ୍ ଜବାବରେ ହଂକଂ ୧୫୨/୫ରେ ସୀମିତ ରହିଛି।

ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ହଂକଂ ଅଧିନାୟକ ନିଜାକତ ଖାନ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତର ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ବେଶ ସତର୍କତାର ସହ ପ୍ରଥମ ଦୁଇ ଓଭର ବ୍ୟାଟିଂ କରିଥିଲେ। ହେଲେ ତୃତୀୟ ଓଭରରୁ ରୋହିତ ଆଟାକ ଆରମ୍ଭ କରିଥିଲେ।

କିନ୍ତୁ ବଡ଼ ଶଟ ଖେଳିବା ଲୋଭରେ ସେ ୨୧ ରନ କରି ଆୟୂଷ ଶୁକ୍ଳାଙ୍କ ବଲରେ ଆଉଟ ହୋଇଯାଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ ଅନ୍ୟତମ ଓପନର କେଏଲ ରାହୁଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୫୬ ରନ ଯୋଡ଼ିଇଥିଲେ। ପ୍ରଥମ ମ୍ୟାଚରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିବା ରାହୁଲ ଆଜି ୩୬ ରନ କରି ଆଉଟ ହୋଇଛନ୍ତି। ତାଙ୍କ ୱିକେଟ ଅପସ୍ପିନର ମହମ୍ମଦ ଘାଜନଫର ନେଇଛନ୍ତି।

ବିରାଟ କୋହଲି ଆଜି ହଂକଂ ବିରୋଧରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି। ସେ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ବିରାଟ ଶେଷ ଯାଏ ୪୪ ବଲରେ ୫୯ ଓ ସୂର୍ଯ୍ୟ କୁମାର ୨୬ ବଲରେ ବିସ୍ଫୋରକ ୬୮ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଏପରି କି ଇନିଂସର ଶେଷ ଓଭରରେ ସୂର୍ଯ୍ୟ ୪ ଛକା ସହ ୨୬ ରନ ଆଦାୟ କରିଥିଲେ।

ଦୁଇ ବ୍ୟାଟରଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୧୯୨ ରନ କରିଛି। ଫଳରେ ହଂକଂକୁ ୧୯୩ ରନର ଟାର୍ଗେଟ ମିଳିଛି। ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଥିଲା।