ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ଫେବୃଆରୀ ୯ ତାରିଖ ଦିନ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ଦିନିକିଆ ମ୍ୟାଚ୍ । ଏଥିପାଇଁ ଫେବୃଆରୀ ୨ରେ ଅନଲାଇନ୍ ଟିକେଟ୍ ବିକ୍ରି ହୋଇଥିବାବେଳେ ଆଜି ଅଫଲାଇନ୍ରେ ଟିକେଟ୍ ବିକ୍ରି ହୋଇଥିଲା । ତେବେ ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଟିକେଟ୍ ବିକ୍ରି ହୋଇସାରିଛି । ପ୍ରଥମେ ଏକ ନମ୍ବର କାଉଣ୍ଟରରେ ଟିକେଟ୍ ବିକ୍ରି ଶେଷ ହୋଇଥିଲା। ଏଥିରେ ସ୍ପେଶାଲ ଏନକ୍ଲୋଜର, ଏସି ଗ୍ୟାଲେରୀ ବକ୍ସ ଟିକେଟ୍ , ନ୍ୟୁପାଭିଲିୟନ, କର୍ପୋରେଟ୍ ବକ୍ସର ଟିକେଟ୍ ଶେଷ ହୋଇଛି । ଏହାପରେ ବାକି ସମସ୍ତ ଗ୍ୟାଲେରୀ ଟିକେଟ୍ ଶେଷ ହୋଇଥିବା କଟକ ଡିସିପି ଜଗମୋହନ ମୀନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଅଫଲାଇନ୍ରେ କାଉଣ୍ଟର ଟିକେଟ୍ ବିକ୍ରି ପାଇଁ ପୂର୍ବରୁ ଦୁଇ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ପ୍ରଥମ ଦିନରେ ସବୁ ଟିକେଟ୍ ବିକ୍ରି ହୋଇସାରିଥିବାରୁ ଆସନ୍ତାକାଲି ଆଉ କାଉଣ୍ଟରରେ ଟିକେଟ ବିକ୍ରି ହେବନାହିଁ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।
Also Read
ଅଧିକ ପଢ଼ନ୍ତୁ: କଟକରେ କ୍ରିକେଟ୍ ଟିକେଟ୍ ପାଇଁ ବାଡ଼ାବାଡ଼ି, ଭୁବନେଶ୍ୱରରେ ହକି ଟିକେଟ୍ ମିଳୁଛି ମାଗଣା
ଇଣ୍ଡିଆ-ଇଂଲଣ୍ଡ ଫାଇଟ୍ ପୂର୍ବରୁ ବାରବାଟୀରେ କ୍ରିକେଟ୍ ଫ୍ୟାନଙ୍କ ଟିକଟ ଲଢ଼େଇ...ସାଂଘାତିକ ସ୍ଥିତି...ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଜୀବନକୁ ପାଣି ଛଡ଼ାଇ ଧାଡ଼ିବାନ୍ଧିଥିବା କ୍ରିକେଟ ପ୍ରେମୀଙ୍କ ଅବସ୍ଥା ବେହାଲ ହୋଇଯାଇଥିଲା । ଦଳାଚକଟା ଭଳି ସ୍ଥିତିରେ କିଏ ଚାପି ହୋଇଗଲେଣି ତ ଆଉ କିଏ ଝାଳନାଳ ହୋଇ ଜୀବନ ବଞ୍ଚାଇ ଧାଡ଼ିରୁ ବାହାରି ଗଲେଣି । ଶେଷରେ ପୋଲିସ ସାମ୍ନାରେ ଅସନ୍ତୋଷ ଝାଡ଼ିଛନ୍ତି ମହିଳା ଦର୍ଶକ, ଅବ୍ୟବସ୍ଥା ବିରୋଧରେ ବର୍ଷିଛନ୍ତି । ଗେଟ୍ ଖୋଲିବା ପୂର୍ବରୁ ବେଶ୍ ଉତ୍ସାହିତ ଥିଲେ ଦର୍ଶକ, କ୍ରିକେଟପ୍ରେମୀ ।
ତେବେ ଗେଟ୍ ଖୋଲିବା କ୍ଷଣି ଯେଉଁ ପରିସ୍ଥିତି ଉପୁଜିଲା, ସବୁ ଖୁସି ପାଣି ଫାଟିଗଲା । ଧସ୍ତାଧସ୍ତି...ଠେଲାପେଲା..ଦଳାଚକଟା ଭଳି ଅବସ୍ଥା । ତଥାପି ଚାଲିଥିଲା ଟିକଟ ବିକ୍ରି । ଏମାନଙ୍କ ମଧ୍ୟରୁ କିଏ ଗତ ରାତି ୮ଟାରୁ ଧାଡ଼ି ଲଗାଇଥିଲେ ତ ଆଉ କିଏ ଭୋର ୩ଟାରୁ । ଟିକେଟ୍ ପାଇ କିଏ ଖୁସି ତ ଆଉ କିଏ ତିକ୍ତ ଅନୁଭୂତି ସହ ହତାଶ ହୋଇ ବାହୁଡ଼ିଛନ୍ତି । ଏପରିକି ଆଉ କିଛି ଦର୍ଶକ ସଂଧ୍ୟା ୬ଟାରେ କାଉଣ୍ଟର ବନ୍ଦ ହେବା ପୂର୍ବରୁ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରି ବ୍ୟାରିକେଡକୁ ଭଙ୍ଗାରୁଜା କରିଛନ୍ତି ।