• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତ ୧୭ ତାରିଖରେ ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ଫେରିଥିଲେ ରେସଲର ଭିନେଶ ଫୋଗଟ । ପ୍ୟାରିସରୁ ଭାରତ ଫେରିବା ପରେ ତାଙ୍କୁ ଗ୍ରାଣ୍ତ ୱେଲକମ୍ କରାଯାଇଥିଲା । ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଫାଇନାଲରେ ପହଞ୍ଚିବା ପରେ ଅଧିକ ଓଜନ ହେତୁ ଅଯୋଗ୍ୟ ଘୋଷିତ ହୋଇଥିବା ଭିନେଶଙ୍କୁ ସମର୍ଥନ ଦେଇ ବିମାନବନ୍ଦର ବାହାରେ ଶହ ଶହ ସମର୍ଥକ ଏକତ୍ରିତ ହୋଇଥିଲେ ।

ତେବେ ସେ ଉକ୍ତ ପଦକ ପାଇଁ CAS ରେ ଆବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବିମାନ ବନ୍ଦରରେ ପହଞ୍ଚିବା ପରେ ଏକ ରୋଡ୍ ସୋରେ ବହୁ ସଂଖ୍ୟାରେ ଲୋକ ତାଙ୍କୁ ଅନୁସରଣ କରିଥିଲେ । ଦିଲ୍ଲୀରୁ ବାଲାଲି ଅଭିମୁଖେ ଯାଉଥିବା ବେଳେ ଭିନେଶଙ୍କୁ ତାଙ୍କ ସମର୍ଥକ ଅଦ୍ଭୁତପୂର୍ବ ଭାବେ ସମର୍ଥନ କରିଥିଲେ । ମାତ୍ର ୧୩୫ କିଲୋମିଟର ଦୀର୍ଘ ଯାତ୍ରା ତାଙ୍କୁ ଅହେତୁକ ଭିଡ଼ ପାଇଁ ପ୍ରାୟ ୧୩ ଘଣ୍ଟା ସମୟ ନେଇଥିଲା ।

ତେବେ ଏହା ମଧ୍ୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ତାଙ୍କ ଗ୍ରାମ ବାଲାଲିରେ, ଭିନେଶଙ୍କୁ ସମ୍ମାନିତ କରାଯାଇଛି । ଗାଁର ବୟସ୍କଙ୍କ ଦ୍ୱାରା ଭିନେଶଙ୍କୁ ଏହି ସମ୍ମାନ ମିଳିଛି । ଏହାକୁ ନେଇ ଭିନେଶ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲେ ।  

ତେବେ ଭିନେଶଙ୍କ ଗାଁରେ ଥିବା ଖାପ୍ ପଞ୍ଚାୟତ ତରଫରୁ କୁହାଯାଇଛି, ଫୋଗଟକୁ ଏକ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବ। ଉକ୍ତ ପଦକଟି ୫୦ କିମ୍ବା ୧୦୦ ଗ୍ରାମର ହୋଇପାରେ । ଫୋଗଟ୍‌ଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ମେଡାଲ ଦିଆଯିବ ବୋଲି ପଞ୍ଚାୟତ ତରଫରୁ ସ୍ପଷ୍ଟ କରାଯାଇଛି ।

ଅନ୍ୟପଟେ ଅଲିମ୍ପିକ୍ସରେ ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ପରେ ଭାରତ ତଥା ସମଗ୍ର କୁସ୍ତି ଜଗତରେ ଏହା ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ନିଜର ଅଯୋଗ୍ୟତା ବିରୋଧରେ ଭିନେଶଙ୍କ ଆବେଦନ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS) ଦ୍ୱାରା ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଥିଲା ।

୨୯ ବର୍ଷୀୟ ଭିନେଶ ନିଜ ଗାଁରେ ପହଞ୍ଚିବା ପରେ ତାଙ୍କର ବନ୍ଧୁ ତଥା ଗାଁଲୋକେ ତାଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ଭିନେଶ କହିଥିଲେ ଯେ, ନିଜ ଗାଁରେ କୁସ୍ତିର ଉନ୍ନତି କରିବା ପାଇଁ ସେ ଯଥାସାଧ୍ୟ କାର୍ଯ୍ୟ କରିବେ । ସେ ଏହା ମଧ୍ୟ କହିଥିଲେ ଯେ, ଯଦି ଏହି ଗାଁରୁ କୌଣସି କୁସ୍ତି ଖେଳାଳି ବାହାରକୁ ନଆସନ୍ତି ତେବେ ଏହା ନିରାଶାଜନକ ହେବ ।

“ମୁଁ ଆପଣଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି ଗାଁର ମହିଳାମାନଙ୍କୁ ସମର୍ଥନ କରନ୍ତୁ । ସେମାନେ ଆପଣମାନଙ୍କର ସମର୍ଥନ, ଆଶା ଏବଂ ବିଶ୍ୱାସ ଆବଶ୍ୟକ କରନ୍ତି । ଏହା ହିଁ ଭବିଷ୍ୟତରେ ଆମକୁ ସଫଳତାର ରାସ୍ତାରେ ନେଇଯିବ ।”

ସେ ଆହୁରି ମଧ୍ୟ କହିଛନ୍ତି, "ସେମାନେ ବହୁତ କିଛି ହାସଲ କରିପାରିବେ । ସେମାନଙ୍କୁ କେବଳ ସମର୍ଥନର ଦରକାର ରହିଛି । ମୋତେ ଏତେ ଭଲ ପାଇବା ଏବଂ ସମ୍ମାନ ଦେଇଥିବାରୁ ମୁଁ ଏହି ଦେଶ, ଏହି ଗାଁ ପ୍ରତି ସର୍ବଦା ଋଣୀ ରହିବି ବୋଲି ସେ କହିଛନ୍ତି ।

"ମୁଁ କୁସ୍ତିରେ ଯାହା ଶିଖିଛି, ମୁଁ ଜାଣେ ନାହିଁ ତାହା ଭଗବାନଙ୍କ ଉପହାର କି ମୋର କଠିନ ପରିଶ୍ରମ । କିନ୍ତୁ ମୋ ଭିତରେ ଆଉ ଯାହା ବାକି ଅଛି, ମୁଁ ଏହି ଗାଁର ଭଉଣୀମାନଙ୍କ ସହ ବାଣ୍ଟିବାକୁ ଚାହେଁ । ମୁଁ ସେତେବେଳେ ଗର୍ବର ସହିତ କହିପାରିବି ଯେ ସେମାନଙ୍କୁ ମୁଁ ତାଲିମ ଦେଇଛି ।”

ସୂଚନାଯୋଗ୍ୟ, ଭିନେଶ ଦୁଇଥର CWG ସ୍ୱର୍ଣ୍ଣ ପଦକ ବିଜେତା ରହିବା ସହ ଏସୀୟ ଗେମ୍ସ ଚାମ୍ପିଅନ୍ ଏବଂ ଆଠଟି ଏସୀୟ ଚାମ୍ପିଅନସିପ୍ ପଦକ ଜିତିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now