୫୨ ବର୍ଷରେ ପାଦ ଦେଲେ ପ୍ରିନ୍ସ ଅଫ୍ କୋଲକାତା, ଜାଣନ୍ତୁ କେମିତି ଥିଲା ଖେଳ ଜୀବନ...

ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଆଜି ହେଉଛି ଜନ୍ମଦିନ । କପିଲ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟକୁ ଜୀବଦାନ ଦେଇଥିବା ଅଧିନାୟକ ସେ ।

Sourav Ganguly

ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ଆଜି ହେଉଛି ଜନ୍ମଦିନ । କପିଲ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟକୁ ଜୀବଦାନ ଦେଇଥିବା ଅଧିନାୟକ ସେ । ଆଜି ସେ ୫୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ନିଜର ଆଗ୍ରେସନ ଓ ଖେଳୁଆଡ଼ପଣ ପାଇଁ ସେ ବେଶ୍ ଜଣାଶୁଣା । ତାଙ୍କର ଅଧିନାୟକତ୍ୱ ଭାରତର କ୍ରିକେଟ୍ ଇତିହାସରେ ଏକ ମାଇଲ୍ ଖୁଣ୍ଟ ।

ଇଂଲଣ୍ଡର ପୂର୍ବତନ ଅଧିନାୟକ ଜିଓଫ୍ରେ ବଏକଟ୍‌ ଗାଙ୍ଗୁଲିଙ୍କ ନାମ 'ପ୍ରିନ୍ସ ଅଫ୍ କୋଲକାତା' ଦେଇଥିଲେ । ପ୍ରସିଦ୍ଧ ଲର୍ଡ୍ସ ଷ୍ଟାଡିୟମରେ ତାଙ୍କର ଟେଷ୍ଟ ଡେବ୍ୟୁ ହୋଇଥିଲା । ଆଉ ନିଜର ପ୍ରଥମ ମ୍ୟାଚରେ ହିଁ ସେ ଶତକ ଅର୍ଜନ କରିଥିଲେ । ନିଜର ଟେଷ୍ଟ ଡେବ୍ୟୁର ଚାରି ବର୍ଷ ପରେ ଭାରତର ଅଧିନାୟକତ୍ୱର ଦାୟିତ୍ୱ ତାଙ୍କୁ ମିଳିଥିଲା ।

ଅଧିକ ପଢ଼ନ୍ତୁ: ମାହିଙ୍କ ପାଦ ଛୁଇଁଲେ, ଆଶୀର୍ବାଦ ନେଲେ ସାକ୍ଷୀ..ଭିଡିଓ ଭାଇରାଲ..

ଏହାପରେ ହିଁ ଭାରତର କ୍ରିକେଟ ଇତିହାସ ପୂରାପୁରି ବଦଳି ଯାଇଥିଲା । ୨୦୦୦ରେ ସେ ଅଧିନାୟକତ୍ୱ ଗ୍ରହଣ କରିଥିଲେ । ଏହି ସମୟ ଭାରତ କ୍ରିକେଟ ଇତିହାସର ଏକ କଳା ସମୟ ଭାବେ ବିବେଚନା କରାଯାଏ । କ୍ରିକେଟ ଦଳ ସେତେବେଳେ ମ୍ୟାଚ୍ ଫିକ୍ସିଂର ନିଆଁ ଭିତରୁ ବାହାରିବାକୁ ଚେଷ୍ଟା କରୁଥିଲା ।

ଫଳରେ ଅନେକ ଯୁବ ପ୍ରତିଭାଙ୍କୁ ଫିକ୍ସିଂ ଭଳି ନିଆଁରେ ପୋଡ଼ି ହେବାକୁ ଛଡ଼ା ହୋଇଯାଉଥିଲା । ତେବେ ସେ ସମୟରେ ଗାଙ୍ଗୁଲିଙ୍କର ନେତୃତ୍ୱରେ ଭାରତ ୨୦୦୦ ରେ ଆଇସିସି ନକ୍ଆଉଟ୍ ଟ୍ରଫିର ଫାଇନାଲରେ ପ୍ରବେଶ କରିଥିଲା । ଏହା ସହ ପରେ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆଠାରୁ ବର୍ଡର୍-ଗାଭାସ୍କର ଟ୍ରଫିକୁ ୨-୧ରେ ମଧ୍ୟ ଜିତିଥିଲା ।

ଦାଦାଙ୍କ କଥା ଭାବିଲେ ଅନ୍ୟ ଏକ କଥା ଛାଏଁ ମନକୁ ଆସିଯାଏ । ୨୦୦୨ରେ ଲର୍ଡ୍ସର ବାଲକୋନି । ସେ ସମୟରେ ସାର୍ଟ ଖୋଲିବାର ଦୃଶ୍ୟ ଆଜି ବି ସମସ୍ତଙ୍କର ପ୍ରାୟ ମନେ ଥିବ । ନାଥୱେଷ୍ଟ ଟ୍ରଫି ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରିବା ପରେ ସତେ ଯେପରି ଭାରତୀୟ କ୍ରିକେଟ ଦଳର ଜୀବନ ଫେରି ଆସିଥିଲା ।

ଅଧିକ ପଢ଼ନ୍ତୁ: ଟିମ୍‌ ଇଣ୍ଡିଆ ସହ ମୋଦିଙ୍କ ଆଲୋଚନା, ଖେଳାଳି ଶୁଣାଇଲେ ସଫଳତାର କାହାଣୀ

ଏହା ପରେ ସେ ୨୦୦୩ ODI ବିଶ୍ୱକପର ଫାଇନାଲରେ ଭାରତକୁ ପହଞ୍ଚାଇଥିଲେ । ସେଠାରେ ଭାରତକୁ ଅଷ୍ଟ୍ରେଲିଆ ଯଦିଓ ହରାଇ ଦେଇଥିଲା କିନ୍ତୁ ଗାଙ୍ଗୁଲିଙ୍କର ନାଁ କ୍ରିକେଟ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଯାଇଥିଲା । ଏହା ପରେ ୨୦୦୫-୦୬ ମସିହାରେ ତତ୍କାଳୀନ କୋଚ୍ ଗ୍ରେଗ ଚାପେଲଙ୍କ ସହ ବିବାଦ ତାଙ୍କ ପାଇଁ ଅଭିଶାପ ସଦୃଶ ଥିଲା ।

ପରବର୍ତ୍ତୀ ସମୟରେ ସେ ଭାରତୀୟ ଦଳରୁ ବାଦ୍ ପଡ଼ିଥିଲେ । କିନ୍ତୁ ପରେ ସେ ଅଧ୍ୟବସାୟ ବଳରେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ ଓ ୨୦୦୮ରେ ସେ ନିଜ ଖେଳ ଜୀବନରେ ଶେଷ ଟେଷ୍ଟ ଖେଳିଥିଲେ । ପରବର୍ତ୍ତୀ ସମୟରେ ସେ ଭାରତର ସଫଳତମ ଅଧିନାୟକ ଭାବରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ।

ତେବେ ଗାଙ୍ଗୁଲି ୨୦୧୨ ପର୍ଯ୍ୟନ୍ତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଖେଳିଥିଲେ । ସେ ଭାରତ ପାଇଁ ୧୧୩ ଟେଷ୍ଟ ଏବଂ ୩୧୧ ODI ଖେଳିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୮,୫୭୫ ରନ୍ ସ୍କୋର କରିଥିଲେ । ଏହା ପରେ ଗାଙ୍ଗୁଲି କ୍ରିକେଟ୍ ପ୍ରଶାସକ ଭାବେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲର ନେତୃତ୍ୱ ନେଇଥିଲେ ଏବଂ ପରେ ବିସିସିଆଇର ସଭାପତି ହୋଇଥିଲେ ।