• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କିଏ ହେବ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ । ରାହୁଲ ଦ୍ରାବିଡଙ୍କ ପରେ କିଏ ଧରିବ ଭାରତୀୟ ପୁରୁଷ କ୍ରିକେଟ ଦଳର ମଙ୍ଗ । ତାହା ଜାଣିବା ପାଇଁ ସମସ୍ତ କ୍ରିକେଟ ପ୍ରେମୀ ଅପେକ୍ଷା କରି ରହିଛି । ତେବେ ଖୁବଶୀଘ୍ର ଏହି ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ମୁଖ୍ୟକୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି । ଆଇପିଏଲରେ ସିଜିନ୍‌-୧୭ରେ କୋଲକାତା ନାଇଟ ରାଇଡର୍ସର ମେଣ୍ଟର ଭାବେ ଦାୟିତ୍ୱ ତୁଲାଇଥିଲେ ଗମ୍ଭୀର । ଗମ୍ଭୀରଙ୍କ ତତ୍ତ୍ୱାବଧାନରେ କେକେଆର ଆଇପିଏଲ ସିଜିନ୍‌-୧୭ରେ ଟ୍ରଫି ଜିତିବାରେ ସଫଳ ହୋଇଥିଲା । ଏହି ଉପଲବ୍ଧି ପରେ ଗମ୍ଭୀର ଟିମ୍‌ ଇଣ୍ଡିଆ କୋଚ୍‌ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

ବିସିସିଆଇ ଭାରତୀୟ ଦଳର ମୁଖ୍ୟ କୋଚ୍‌ ପାଇଁ ଷ୍ଟିଫେନ୍‌ ଫ୍ଲେମିଂ ଏବଂ ଆଣ୍ଡି ଫ୍ଲାୱାରଙ୍କ ପରି ଆଇପିଏଲ ଟିମ୍‌ର କୋଚ୍‌ଙ୍କ ପ୍ରତି ଆଗ୍ରହୀ ଥିବା ମନେ ହେଉଥିଲା । କିନ୍ତୁ ଏହି ସବୁ ନାଁ ମଧ୍ୟରେ ଏବେ ଗମ୍ଭୀରଙ୍କ ନାଁ ସବୁଠୁ ଆଗରେ ଥିବା ମନେ ହେଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସିସିଆଇ ଗମ୍ଭୀରଙ୍କ ନାଁ ଚୂଡ଼ାନ୍ତ କରିସାରିଛି । କେବଳ ଔପଚାରିକ ଘୋଷଣା ବାକି ରହିଛି ବୋଲି କୁହାଯାଇଛି। ତେବେ ଏନେଇ ଗୌତମ ଗମ୍ଭୀର କିମ୍ବା ବିସିସିଆଇ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ସୂଚନା ଅନୁସାରେ ଗୌତମ ଗମ୍ଭୀର କୌଣସି ଜାତୀୟ କିମ୍ବା IPL ଦଳରେ ମୁଖ୍ୟକୋଚ୍‌ ଭାବେ ଦାୟିତ୍ୱ ତୁଲାଇ ନାହାନ୍ତି । କିନ୍ତୁ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ୍‌ ଓ କୋଲକାତା ନାଇଟ ରାଇଡର୍ସର ମେଣ୍ଟର ଭାବେ କାର୍ଯ୍ୟ କରିଛନ୍ତି । ମେଣ୍ଟର ଭାବେ ଗମ୍ଭୀର ଲକ୍ଷ୍ନୌକୁ ପ୍ରଥମ ସିଜିନ୍‌ରେ ପ୍ଲେ ଅଫ୍‌କୁ ନେଇଥିଲେ । ସେହିପରି ଗମ୍ଭୀରଙ୍କ ମେଣ୍ଟରସିପ୍‌ କେକେଆର ଚଳିତ ବର୍ଷ ଟ୍ରଫି ଜିତିବାରେ ସଫଳ ହୋଇଛି । ଆଇପିଏଲ ଫାଇନାଲ ପରେ ଗୌତମ ଗମ୍ଭୀର ଓ ବିସିସିଆଇ ସଚିବ ଜୟ ଶାହଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଯଦିଓ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନାହିଁ । କିନ୍ତୁ ଉଭୟଙ୍କ ମଧ୍ୟରେ ଏହି ଆଲୋଚନାକୁ ନେଇ ବେଶ୍‌ ଚର୍ଚ୍ଚା ଜାରି ରହିଛି ।

ଅନ୍ୟପକ୍ଷରେ ଗମ୍ଭୀରଙ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ଯଦି ଗୌତମ ଗମ୍ଭୀର ମୁଖ୍ୟକୋଚ୍‌ ପଦ ପାଇଁ ଆବେଦନ କରିଛନ୍ତି ତେବେ ସେ ଭାରତୀୟ ଦଳର ଜଣେ ଭଲ ପ୍ରଶିକ୍ଷକ ହେବେ । ଏହା ବ୍ୟତୀତ ଗାଙ୍ଗୁଲି ମୁଖ୍ୟ ପ୍ରଶିକ୍ଷକ ପଦରେ ଘରୋଇ ପ୍ରତିଭା ନିଯୁକ୍ତିକୁ ସମର୍ଥନ କରିଛନ୍ତି । ଗାଙ୍ଗୁଲି କହିଛନ୍ତି, ‘ମୁଁ ଭାରତୀୟ ପ୍ରଶିକ୍ଷକଙ୍କ ସପକ୍ଷରେ ଅଛି। ଯଦି ସେ ଆବେଦନ କରିଛନ୍ତି ତେବେ ଗମ୍ଭୀର ଜଣେ ଭଲ ପ୍ରଶିକ୍ଷକ ହେବେ’।

ସୂଚନା ଅନୁସାରେ ଆଗାମୀ ଟି -୨୦ ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଆଉ ଆଗକୁ ଦ୍ରାବିଡ୍‌ ଏହି ପଦରେ ରହିବେ ନାହିଁ ବୋଲି ମଧ୍ୟ ବିସିସିଆଇକୁ ଜଣାଇସାରିଛନ୍ତି । ଏଭଳି ସ୍ଥିତିରେ ବିସିସିଆଇ ନୂଆ କୋଚ୍ ପାଇଁ ଆବେଦନ ଆମନ୍ତ୍ରଣ କରିଛି । ତେଣୁ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆ ନୂଆ କୋଚ୍‌ ପାଇବା ଏକପ୍ରକାର ନିଶ୍ଚିତ ।

OTV is now on Whatsapp

Join and get latest news update delivered to you via whatsapp

Join Now