• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ହାର୍‌କୁ ଜିତ୍‌ରେ ବଦଳାଇଦେବାର ନାଁ ହେଉଛି ରିଙ୍କୁ ସିଂ। ବିରୋଧୀଙ୍କ ପଞ୍ଝାରୁ ବିଜୟ ଛଡ଼ାଇନେବାର କୌଶଳ ଜାଣିଥିବା ଯୋଦ୍ଧା ହେଉଛନ୍ତି ରିଙ୍କୁ ସିଂ । ରିଙ୍କୁ ନାଁ ଶୁଣି ଫ୍ଲାୱାର ସମଝା କ୍ୟା...ଫାୟାର ହେ ଫାୟାର । କାଲିଠୁ ସୋସିଆଲ୍‌ ମିଡିଆ ସେନ୍‌ସେସନ୍‌ ପାଲଟିଯାଇଛନ୍ତି କୋଲକାତା ନାଇଟ ରାଇଡର୍ସର ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ । କାଲିର ମ୍ୟାଚ୍ ପରେ ଡ୍ରେସିଂ ରୁମରୁ ନେଇ ଡ୍ରଇଂରୁମ ପର୍ଯ୍ୟନ୍ତ ସବୁଠି ରିଙ୍କୁଙ୍କ ଚର୍ଚ୍ଚା । ରିଙ୍କୁଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଘୁରୁବୁଲୁଛି ଅସଂଖ୍ୟ ମିମ୍ସ । ଲଗାତାର ୫ଟି ଛକା ମାରି ଦଳକୁ ଜିତାଇବା ପରେ କ୍ରିକେଟ ଫ୍ୟାନ୍ସଙ୍କ ମୁହଁରେ ଗୋଟିଏ କଥା, କମାଲ କରିଦେଲେ ରିଙ୍କୁ ।

ଚଳିତ ଆଇପିଏଲରେ ଚମତ୍କାର ଫର୍ମରେ ଅଛନ୍ତି କୋଲକତା ନାଇଟ ରାଇଡର୍ସର ରିଙ୍କୁ ସିଂ । ମ୍ୟାଚ୍‌ର ଶେଷ ଓଭରରେ ୫ଟି ବଲ୍‌ରେ ୫ଟି ଛକା ଦଳକୁ ଆକର୍ଷଣୀୟ ବିଜୟ ଦେବା ସହ ତାଙ୍କୁ ଲୋକଲୋଚନକୁ ଟାଣି ଆଣିଛି । ରିଙ୍କୁଙ୍କୁ ଏହି ସଫଳତା ରାତାରାତି ମିଳିନାହିଁ । ବରଂ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ତାଙ୍କ ବାପା ଘର ଘର ବୁଲି ଘରୋଇ ଗ୍ୟାସ ସିଲିଣ୍ଡର ଯୋଗାଇଥାନ୍ତି । ପରିବାରର ଅବସ୍ଥା ସେତେ ସ୍ୱଚ୍ଛଳ ନଥିଲେ ମଧ୍ୟ କ୍ରିକେଟ ଖେଳିବାର ଝୁଙ୍କ ତାଙ୍କୁ ଆଗକୁ ଟାଣି ଆଣିଛି । ଏଥିପାଇଁ ପରିବାର ପକ୍ଷରୁ ତାଙ୍କୁ ପୁରା ସମର୍ଥନ ମିଳିଥିଲା । ଆଇପିଏଲରେ ରିଙ୍କୁଙ୍କ ଚମତ୍କାର ଇନିଂସ ପରେ ତାଙ୍କୁ କେକେଆର ମାଲିକ ଶାଖାରୁଖ ଖାନ୍ ଫୋନ କରି ଶୁଭେଚ୍ଛା ଜଣାଇଥିଲେ ।

ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି କେକେଆର ଫ୍ୟାନ୍ସଙ୍କ ସହିତ ପଡ଼ିଆରେ ଉପସ୍ଥିତ ସମସ୍ତ ଦର୍ଶକ ଛିଡ଼ାହୋଇ ସାବାସୀ ଜଣାଇଥିଲେ । ଆଇପିଏଲ ୨୦୨୩ରେ କମାଲ କରିଥିବା ଏହି ଯୁବ ଭାରତୀୟ କ୍ରିକେଟର ରିଙ୍କୁ ସିଂ ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାର ଗୋଟିଏ ସାମାନ୍ୟ ପରିବାରରୁ ଆସିଛନ୍ତି । ତାଙ୍କର ସଂଘର୍ଷମୟ କାହାଣୀ ଜାଣିଲେ ଆପଣ ତାଜୁବ ହୋଇଯିବେ । ରିଙ୍କୁଙ୍କ ବାପା ଜଣେ ଗ୍ୟାସ ସିଲିଣ୍ଡର ପହଞ୍ଚାଉଥିବା କର୍ମଚାରୀ । ଘରର ଆର୍ଥିକ ଅବସ୍ଥାରେ ସୁଧାର ଆଣିବା ପାଇଁ ଘରେ ଘରେ ବୁଲି ଚାକର କାମ ବି କରିଛନ୍ତି । ଏମିତିକି ସେ ସୁଇପର୍‌ କାମ ମଧ୍ୟ କରୁଥିଲେ ।

ତେବେ ଆଇପିଏଲରେ ଧୁଆଁଧାର ଇଂନିସ ଖେଳିବା ପରେ ରିଙ୍କୁ କହିଛନ୍ତି, ‘ମୋର ପ୍ରତିଟି ଛକା ମୋ ସଫଳତା ପଛରେ ସଂଘର୍ଷ କରୁଥିବା ସେହି ସମସ୍ତଙ୍କ ପାଇଁ । ମୋର ବିଶ୍ୱାସ ଥିଲା କି ମୁଁ ଏହି ଲକ୍ଷ୍ୟରେ ନିଶ୍ଚୟ ପହଞ୍ଚିବି । ପୂର୍ବଥର ମଧ୍ୟ ଲକ୍ଷ୍ନୌ ବିପକ୍ଷରେ ମ୍ୟାଚ୍‌ ଜିତାଇବାକୁ ସକ୍ଷମ ଥିଲି, କିନ୍ତୁ ତାହା ସଫଳ ହୋଇପାରିନଥିଲା’ ।

ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ସୁଇପରରୁ ସିକ୍ସର କିଙ୍ଗ ବନିଥିବା ରିଙ୍କୁଙ୍କ ଶେଷ ଓଭର ବ୍ୟାଟିଂ ଯିଏ ଦେଖିଛି ସେ ନିଜ ଆଖିକୁ ବିଶ୍ୱାସ କରିପାରୁନି । କ୍ୟାରିୟରରେ ଏପରି ଇଂନିସ କେବେ ଦେଖିନଥିବା କହିଛନ୍ତି କେକେଆର ଟିମର କୋଚ୍ ଚନ୍ଦ୍ରକାନ୍ତ ପଣ୍ତିତ । କେକେଆର୍‌ର ମାଲିକ ଶାହାରୁଖଙ୍କ ଖୁସିର ତ ଠିକଣା ନାହିଁ । ମଜାଦାର ପୋଷ୍ଟ କରି ଲେଖିଛନ୍ତି, ‘ଝୁମେ ଜୋ ରିଙ୍କୁ ଜି’...ଖୁସିରେ ପାଗଳ ଶ୍ରେୟସ ଆୟର ଭିଡିଓ କଲରେ ରିଙ୍କୁ ଭେୟା ଜିନ୍ଦାବାଦ୍ କହିଛନ୍ତି । ସେପଟେ ନୂଆକରି କେକେଆର୍‌ କମାଣ ସମ୍ଭାଳିଥିବା ନୀତିଶ ରାଣା ନିଜକୁ ରୋକିପାରିନଥିଲେ । ପଡ଼ିଆକୁ ଦୌଡ଼ି ଆସି ରିଙ୍କୁଙ୍କୁ କୁଣ୍ଢାଇ ପକାଇଥିଲେ ।

କ୍ରିକେଟ ସମୀକ୍ଷକ ରିଙ୍କୁ ସିଂଙ୍କ ଏହି ଇଂନିସକୁ କ୍ରିକେଟ ଜଗତର ଅନ୍ୟତମ ଶ୍ରେଷ୍ଠ ଇଂନିସ କହୁଥିବାବେଳେ ଫ୍ୟାନ୍ସ କହିଛନ୍ତି ଯେ, ପ୍ରଦର୍ଶନ ଏପରି ହେବା ଉଚିତ୍ ବିରୋଧୀ ବି ପ୍ରଶଂସା ନକରି ରହିପାରିବେନି ।

(ରିପୋର୍ଟ-ସଂଗ୍ରାମ ବେହେରା)