/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677489305.jpg)
Fitness of this 73 YO coach
ତାଙ୍କ ଓ୍ୱାର୍କ ଆଉଟ୍ ଆଗରେ ଯୁବକ ବି ଥକିଯାନ୍ତି.. ତାଙ୍କ ପ୍ରାକ୍ଟିସ୍ ସେସନ୍ ଓ ଦୌଡ଼ର ଠାଣିକୁ ଦେଖି ଚକିତ ହୋଇଯାନ୍ତି ସମସ୍ତେ । ଫିଜିକ୍ ଏମିତି ଯେମିତି ଏବେ ଏବେ କଲେଜପଢା ସରିଛି.. ସ୍ଟ୍ରେଚିଂ, ଜଗିଂ, ଓ୍ୱେଟ୍ ଲିଫ୍ଟିଂ, ଥ୍ରୋଇଂ ଗେମସ ସବୁଥିରେ ସେ ନମ୍ବର ଓ୍ୱାନ୍। ମନ ଓ ଶରୀରରୁ ସେ ପୂରା ଫିଟ। ସମସ୍ତଙ୍କ ଭାଷାରେ ସେ ହେଉଛନ୍ତି 73 ବର୍ଷର ଯୁବ କୋଚ୍ ସୁରେନ୍ଦ୍ର ପଟ୍ଟନାୟକ।
ରାଜ୍ୟ ସ୍ତରୀୟ ଆଥଲେଟ୍ କୋଚ୍ ଭାବେ ସୁନାମ ଅର୍ଜିଥିବା ସୁରେନ୍ଦ୍ର ପଟ୍ଟନାୟକ ବ୍ରହ୍ମପୁର ମହାନଗର ଲାଞ୍ଜିପଲ୍ଲୀ ଅଞ୍ଚଳରେ ରୁହନ୍ତି, ୫୮ ବର୍ଷରେ ଅବସର ନେଲା ପରେ ବି ୧୫ ବର୍ଷ ହେଲା ନିଜର କ୍ରୀଡ଼ାଯାତ୍ରା ଜାରି ରଖିଛନ୍ତି । ନିଶା ନିଜେ ଫିଟ୍ ରହିବା ଆଉ ନୂଆ ନୂଆ କ୍ରୀଡାବିତଙ୍କୁ ଟ୍ରେନିଂ ଦେଇ ସେମାନଙ୍କ କ୍ୟାରିୟର୍ ଗଢିବା। ୭୩ ବର୍ଷ ପାର କଲା ପରେ ବି ସୁରେନ୍ଦ୍ର ଅନେକ ଜାତୀୟ ଭେଟେରାନ୍ ଚାମ୍ପିଅନ୍ସିପ୍ରେ ବହୁ ରୌପ୍ୟ ଓ ସ୍ୱର୍ଣ୍ଣପଦକ ଜିତି ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
ଅଧିକ ପଢ଼ନ୍ତୁ: ବୟସ କେବଳ ସଂଖ୍ୟା ମାତ୍ର;୯୭ ବୟସରେ ବି ନଇଁନି ଅଣ୍ଟା, ଏବେବି ବି ଫିଟ୍ ଆଉ ହେଲଦି
ସକାଳ ୭ଟା ହେଲେ ଘରୁ ବାହାରି ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ ଗ୍ରାଉଣ୍ଡକୁ ଚାଲିଆସନ୍ତି ସୁରେନ୍ଦ୍ର । ସେଠାରେ ଓ୍ୱାର୍ମ ଅପ୍ କରିବା ପରେ ଡିସକସ୍, ଜାଭେଲିନ୍, ପୋଲ ଭୋଲ୍ଟ ପ୍ରାକ୍ଟିସ୍ ଆରମ୍ଭ କରିଦିଅନ୍ତି । କେବଳ ନିଜେ ପ୍ରାକ୍ଟିସ୍ କରନ୍ତି ତାହା ନୁହେଁ ଯୁବ କ୍ରୀଡାବିତଙ୍କୁ ଟ୍ରେନିଂ ମଧ୍ୟ ଦିଅନ୍ତି । ଦୀର୍ଘ ୧୫ବର୍ଷ ହେଲା ଯୁବକଯୁବତୀଙ୍କୁ ମାଗଣାରେ ଟ୍ରେନିଂ ଦେଇଆସୁଛନ୍ତି ସୁରେନ୍ଦ୍ର । ସୁରେନ୍ଦ୍ରଙ୍କଠାରୁ ଟ୍ରେନିଂ ପାଇ ଅନେକ କ୍ରୀଡାବିତ୍ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଅନେକ ଆର୍ମୀ, ପୋଲିସ ତଥା ଅନ୍ୟାନ୍ୟ ସରକାରୀ କ୍ଷେତ୍ରରେ ଚାକିରି ବି ପାଇସାରିଛନ୍ତି ।
୧୯୭୧ କଲେଜ କ୍ୟାରିୟରରୁ ଫୁଟବଲ୍ ଓ ଆଥଲେଟିକ୍ସ ଖେଳୁଥିଲେ ସୁରେନ୍ଦ୍ର। କଟକର ରାଇଜିଂ ଷ୍ଟାର ଟିମ୍ରେ ଖେଳିବା ସହ ୧୯୭୪ରୁ ୧୯୭୭ ସନ୍ତୋଷ ଟ୍ରଫିରେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିଥିଲେ । ୧୯୮୦ରୁ କ୍ରୀଡ଼ା ବିଭାଗରେ ଆଥଲେଟିକ୍ କୋଚ୍ ଭାବେ କାର୍ଯ୍ୟ କରି ୨୦୦୮ରେ ଅବସର ନେଲେ । ଅବସର ପରେ ବି ସେ ଜାତୀୟ ସ୍ତରରେ ରୌପ୍ୟ ଓ ସ୍ୱର୍ଣ୍ଣ ପଦକ ଜିତୁଛନ୍ତି । ତାଙ୍କର ଏ ଅପରାଜେୟ ଯାତ୍ରା ପଛରେ ପରିବାରର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା, ସୁରେନ୍ଦ୍ର ଜଣେ ଆଥଲେଟ୍ ବୋଲି ତାଙ୍କ ସ୍ୱାସ୍ଥ୍ୟର ବିଶେଷ ଭାବେ ଯତ୍ନ ନିଅନ୍ତି ତାଙ୍କ ପତ୍ନୀ । ଦୁଇ ଝିଅ ମଧ୍ୟ ସବୁ ପ୍ରକାର ସହଯୋଗ କରନ୍ତି ।
(ରିପୋର୍ଟ-ଜଗନ୍ନାଥ ସାହୁ, ବ୍ରହ୍ମପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)