• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଲ୍ଡ କୋଷ୍ଟ: ଭାରତ ଏବଂ ଅଷ୍ଟ୍ରେଲିଆର ମହିଳା ଦଳ ମଧ୍ୟରେ ଚାଲିଥିବା ଦିବା-ରାତ୍ର ଟେଷ୍ଟ ଡ୍ର ରହିଛି । ରବିବାର, ମ୍ୟାଚର ଚତୁର୍ଥ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୨ ୱିକେଟ୍‌ ହରାଇ ୩୬ ରନ୍ ସଂଗ୍ରହ କରିଥିଲା । ଦଳ ଆଗରେ ୨୭୨ ରନ୍‌ର ଟାର୍ଗେଟ ଥିଲା । ପ୍ରଥମ ଇନିଂସ ଆଧାରରେ ଭାରତୀୟ ଦଳ ଏକ ବଡ଼ ବ୍ୟବଧାନରେ ରହିଥିଲା । ଦୁଇ ଦଳ ମଧ୍ୟରେ ମୋଟ ଦଶଟି ଟେଷ୍ଟ ଖାଳାଯାଇଛି । ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଅଗ୍ରଣୀ ହାସଲ କରିବାରେ ସଫଳ ହୋଇଥିଲା । ଏହା ମହିଳା ବର୍ଗରେ ଦ୍ୱିତୀୟ ଦିବା-ରାତ୍ର ଟେଷ୍ଟ ଥିଲା ଏବଂ ଉଭୟ ଡ୍ର ରହିଛି । ଏବେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳାଯିବ ।

ମ୍ୟାଚର ଚତୁର୍ଥ ତଥା ଅନ୍ତିମ ଦିନରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪ ୱିକେଟ୍ ହରାଇ ୧୪୩ ରନ୍‌ରୁ ଖେଳିବା ଆରମ୍ଭ କରିଥିଲା । ଦଳ ୯ ୱିକେଟ୍ ହରାଇ ୨୪୧ ରନ୍ କରି ଇନିଂସ ସମାପ୍ତି ଘୋଷଣା କରିଥିଲା । ୬୮ ରନ୍‌ କରି ଏଲିସ ପେରି ନଟ୍‌ଆଉଟ୍‌ ରହିଛନ୍ତି । ସେ କ୍ରମାଗତ ଭାବେ ଚତୁର୍ଥ ଟେଷ୍ଟରେ ଇନିଂସରେ ୫୦ରୁ ଅଧିକ ସ୍କୋର କରିଛନ୍ତି । ପୂଜା ବସ୍ତ୍ରାକର ଭାରତ ପାଇଁ ସର୍ବାଧିକ ୩ ୱିକେଟ୍ ନେଇଛନ୍ତି । ଏହା ବ୍ୟତୀତ ଝୁଲନ ଗୋସ୍ୱାମୀ, ମେଘନା ସିଂହ ଏବଂ ଦୀପ୍ତି ଶର୍ମାଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଛି । ପ୍ରଥମ ଇନିଂସରେ ଭାରତ ୮ ୱିକେଟ୍‌ରେ ୩୭୭ ରନ୍ ସଂଗ୍ରହ କରିଥିଲା । ଫଳରେ ୧୩୬ ରନରେ ଦଳ ଆଗୁଆ ରହିଥିଲା ।

ଦ୍ୱିତୀୟ ଇନିଂସରେ ଓପନିଂ ବ୍ୟାଟ୍ସମ୍ୟାନ୍ ଶେଫାଲୀ ବର୍ମା (୫୨) ଏବଂ ସ୍ମୃତି ମନ୍ଧାନା (୩୧) ଭାରତୀୟ ଦଳକୁ ପୁଣି ଥରେ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୭୦ ରନ୍ ଯୋଡିଥିଲେ । ପୁନମ ରାଉତ ୪୧ ରନରେ ନଟ୍‌ଆଉଟ୍‌ ରହିଥିଲେ । ୩୭ ଓଭରରେ ୩ ୱିକେଟ୍ ହରାଇ ଦଳ ୧୩୫ ରନ୍ କରି ଇନିଂସ ଘୋଷଣା କରିଥିଲା । ଫଳରେ ଅଷ୍ଟ୍ରେଲିଆ ଆଗରେ ୨୭୨ ରନ୍‌ର ଲକ୍ଷ୍ୟ ରହିଥିଲା । ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୧୫ ଓଭରରେ ୨ଟି ୱିକେଟ୍ ହରାଇ ୩୬ ରନ୍ ସଂଗ୍ରହ କରିଥିଲା । ଝୁଲନ ଗୋସ୍ୱାମୀ ଏବଂ ପୂଜା ବସ୍ତ୍ରାକର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ସ୍ମୃତି ମନ୍ଧାନା ପ୍ରଥମ ଇନିଂସରେ ୨୧୭ ବଲରେ ୧୨୭ ରନର ଜବରଦସ୍ତ ପ୍ରଦର୍ଶନ କରିଥିଲେ । ୨୨ ଚୌକା ଓ ଗୋଟିଏ ଛକା ମାରିଥିଲେ । ସେ ମହିଳା ଦିବା-ରାତ୍ରି ଟେଷ୍ଟରେ ଶତକ ହାସଲ କରିବାରେ ଦୁନିଆର ଦ୍ୱିତୀୟ ଖେଳାଳି ଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଛି । ଏହାପୂର୍ବରୁ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତି ନେଇଥିଲା । ଆଗକୁ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୭ ଅକ୍ଟୋବରରୁ ଆରମ୍ଭ ହେଉଛି । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏବେ ସୁଦ୍ଧା ୧୦ ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି । ସେଥିରୁ ଅଷ୍ଟ୍ରେଲିଆ ୪ଟି ମ୍ୟାଚ୍ ଜିତିଥିବା ବେଳେ ୬ ଟି ମ୍ୟାଚ୍ ଡ୍ର ରହିଛି । ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଜିତିପାରି ନାହିଁ ।