• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

CWGରେ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କଲା ଭାରତ । ୨୨ଟି ସ୍ୱର୍ଣ୍ଣ ସହ ୧୬ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ୍ ପଦକ ପାଇଛି ଭାରତ । ମୋଟ ୬୧ ପଦକ ହାତେଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି । ସୁଟିଂକୁ ବାଦ ଦିଆଯାଇଥିବାରୁ ଭାରତର ପଦକ ତୁଳନାତ୍ମକ ଭାବେ କମିଛି । ତେବେ ୧୭୮ ପଦକ ସହ ଅଷ୍ଟ୍ରେଲିଆ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ୧୭୬ ପଦକ ସହ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ୯୨ ପଦକ ସହ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କଲା କାନାଡ଼ା । ଏହାପରେ ଚତୁର୍ଥ ସ୍ଥାନରେ ରହିଛି ଭାରତ ।

ଅନ୍ୟପଟେ ଆଜି ଶେଷ ଦିନରେ କମାଲ କରିଛନ୍ତି ଦେଶର କନ୍ୟାରତ୍ନ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଖେଳାଳିଙ୍କ ସଫଳତା । କମନୱେଲ୍ଥ ଗେମ୍ସରେ ପ୍ରଥମ କରି ସାମିଲ ହୋଇଥିବା ମହିଳା କ୍ରିକେଟରେ ଭାରତ ଗୋଲ୍ଡ ମେଡାଲରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ବି ରୌପ୍ୟ ପଦକ ହାତେଇ ଇତିହାସ ରଚିଛି । ସେହିପରି ମହିଳା ହକିରେ ମଧ୍ୟ ଭାରତୀୟ ଟିମ୍ ମେଡାଲ୍ ଆଣିବାରେ ସଫଳ ହୋଇଛି । ଯଦିଓ ଏହା ବ୍ରୋଞ୍ଜ ପଦକ, ତଥାପି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ହକି ଟିମ୍ ୧୬ ବର୍ଷ ପରେ ଏହାକୁ ହାତେଇବାରେ ସକ୍ଷମ । ନ୍ୟୁଜିଲାଣ୍ଡକୁ ପେନାଲଟି ସୁଟଆଉଟରେ ହରାଇ ଭାରତୀୟ ମହିଳା ହକି ଟିମ୍ ଏହି ସଫଳତା ପାଇଛି ।

ଏହି ହକି ଦଳରେ ଥିଲେ ଓଡିଆ ଖେଳାଳି ଦୀପଗ୍ରେସ ଏକ୍କା । ତେଣୁ ଏହା ନିଶ୍ଚିତ ଭାବେ ଓଡ଼ିଆଙ୍କ ପାଇଁ ମଧ୍ୟ ଗର୍ବର ବିଷୟ । ୧୬ ବର୍ଷ ତଳେ ୨୦୦୬ ମେଲୋବର୍ଣ୍ଣ କମନେଓ୍ୱଲ୍ଥ୍ ଗେମ୍ସରେ ଭାରତୀୟ ମହିଳା ହକି ଟିମ୍ ରୌପ୍ୟ ଜିତିଥିଲା ।

ଖାଲି କ୍ରିକେଟ୍ ଏବଂ ହକି କାହିଁକି ଅନ୍ୟ ଇଭେଣ୍ଟରେ ମଧ୍ୟ ମହିଳା ଆଥଲେଟିକ୍‌ ଚମକପ୍ରଦ ପ୍ରଦର୍ଶନ କରି ମେଡାଲ୍ ଆଣିଛନ୍ତି । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁରୁଷ ବିଭାଗରେ ୩୫ଟି ମେଡାଲ୍ ମିଳିଥିବା ବେଳେ ମହିଳା ବିଭାଗରେ ୨୩ଟି ଏବଂ ମିକ୍ସଡ ଇଭେଣ୍ଟରେ ୩ଟି ମେଡାଲ୍ ମିଳିଛି । ୨୨ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ, ୨୩ଟି ବ୍ରୋଞ୍ଜ ସହ ମୋଟ ୬୧ଟି ମେଡାଲ୍ ପାଇ ଭାରତ ଚଳିତ କମନୱେଲ୍ଥ ଗେମ୍ସରେ ନିଜର ଅଭିଯାନ ଶେଷ କରିଛି ।