Champions Trophy Squad: ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ, ଶୁଭମନ ଗିଲ୍‌ ଉପଅଧିନାୟକ

ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରିଛନ୍ତି ।

ଘୋଷଣା ହେଲା ଟିମ୍‌ ଇଣ୍ଡିଆ

ଚାମ୍ପିଆନ୍ସ ଟ୍ରଫି ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୫ ଜଣିଆ ଟିମ୍‌ ଘୋଷଣ କରିଛି ଭାରତ । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରିଛନ୍ତି । ଏହା ସହିତ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ମଧ୍ୟ ଆଜି ଦଳ ଚୟନ କରାଯାଇଛି । ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ତାହା ହୋଇଛି । ଅର୍ଥାତ ଭାରତ ରୋହିତ ଶର୍ମାଙ୍କ ନେତୃତ୍ୱରେ ହିଁ ଚାମ୍ପିଅନ୍ସ ଟ୍ରଫି ଖେଳିବ ।

ସେହିପରି ଚାମ୍ପିଅନ୍ସ ଟ୍ରଫି ଟିମ୍‌ କଥା ଯଦି କହିବା ତାହାଲେ ଏହି ଦଳରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଉଥିବା ବେଳେ ଶୁଭମନ ଗିଲ୍‌ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିପରି ଦଳରେ ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ଅର୍ଶଦୀପ ସିଂ, ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି ।

ସୂଚନା ଅନୁସାରେ ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ଏଥର ହାଇବ୍ରିଡ୍‌ ମଡେଲରେ ଖେଳାଯିବ । ପାକିସ୍ତାନ ଓ ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ । ଏହି ମେଗା ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କରାଚୀରେ ଖେଳାଯିବ । କିନ୍ତୁ ଟିମ୍ ଇଣ୍ଡିଆ ତା’ର ପ୍ରଥମ ମ୍ୟାଚ୍‌ ଫେବ୍ରୁଆରୀ ୨୦ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ଖେଳିବ ।

ଅଧିକ ପଢ଼ନ୍ତୁ: ଟେଷ୍ଟ କ୍ରିକେଟ୍ ପାଇଁ ଲାଭଦାୟକ ହେବ କି ଦ୍ୱି-ସ୍ତରୀୟ ବ୍ୟବସ୍ଥା

୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ୮ଟି ଦଳ ମଧ୍ୟରେ ମୋଟ ୧୫ଟି ମ୍ୟାଚ୍ ହେବ । ଦଳଗୁଡ଼ିକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି । ଭାରତ ଏବଂ ପାକିସ୍ତାନ ସମାନ ଗ୍ରୁପ୍-ଏରେ ଅଛନ୍ତି । ସେମାନଙ୍କ ସହିତ ଅନ୍ୟ ଦୁଇଟି ଦଳ ହେଉଛି ନ୍ୟୁଜିଲ୍ୟାଣ୍ଡ ଏବଂ ବାଂଲାଦେଶ । ସେହିପରି ଗ୍ରୁପ୍‌-Bରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ଇଂଲଣ୍ଡ ଗ୍ରୁପ୍ ବିରେ ରହିଛି । ସମସ୍ତ ୮ଟି ଦଳ ନିଜ ନିଜ ଗ୍ରୁପରେ ତିନୋଟି ଲେଖାଏଁ ମ୍ୟାଚ୍ ଖେଳିବେ । ଏହା ପରେ, ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ୨ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ । ପ୍ରଥମ ସେମିଫାଇନାଲ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ଲାହୋରରେ ଅନୁଷ୍ଠିତ ହେବ । ଏହା ପରେ ଫାଇନାଲ ମ୍ୟାଚ୍ ଖେଳାଯିବ।

ଚାମ୍ପିଅନ୍ସ ଟ୍ରଫିର ଏହି ସମସ୍ତ ୧୫ଟି ମ୍ୟାଚ୍ ୪ଟି ସ୍ଥାନରେ ଖେଳାଯିବ। ପାକିସ୍ତାନରେ ୩ଟି ଭେନ୍ୟୁ ରହିଥିବାବେଳେ ଦୁବାଇରେ ଗୋଟିଏ ଭେନ୍ୟୁ ରହିଛି । ଭାରତୀୟ ଦଳ କେବଳ ଦୁବାଇରେ ସମସ୍ତ ମ୍ୟାଚ୍ ଖେଳିବ । ଯଦି ଭାରତୀୟ ଦଳ ଯୋଗ୍ୟତା ଅର୍ଜନ କରେ, ତେବେ ଫାଇନାଲ ମଧ୍ୟ ଦୁବାଇରେ ଅନୁଷ୍ଠିତ ହେବ । ନଚେତ୍ ଟାଇଟଲ୍ ମ୍ୟାଚ୍ ମାର୍ଚ୍ଚ ୯ ତାରିଖରେ ଲାହୋରରେ ଖେଳାଯିବ । ସେମିଫାଇନାଲ ମ୍ୟାଚ୍ ଏବଂ ଫାଇନାଲ୍ ପାଇଁ ଏକ ରିଜର୍ଭ ଡେ ମଧ୍ୟ ରଖାଯାଇଛି ।

ଅଧିକ ପଢ଼ନ୍ତୁ: ବିସିସିଆଇର ‘ଗମ୍ଭୀର’ ନିଷ୍ପତ୍ତି; ଘରୋଇ କ୍ରିକେଟ୍‌ ଖେଳ, ନହେଲେ ଟିମ୍‌ରେ ନାହିଁ ସ୍ଥାନ !