Advertisment

Sports: ଟେଷ୍ଟ କ୍ରିକେଟ୍ ପାଇଁ ଲାଭଦାୟକ ହେବ କି ଦ୍ୱି-ସ୍ତରୀୟ ବ୍ୟବସ୍ଥା

ବଦଳିଯିବ କି ଟେଷ୍ଟ କ୍ରିକେଟ୍‌ର ରୂପରେଖ? ୨୦୨୭ରୁ ପାରମ୍ପରିକ ଫର୍ମାଟ୍‌ରେ ଲାଗୁ ହେବ କି ‘ଦ୍ୱି-ସ୍ତରୀୟ ବ୍ୟବସ୍ଥା’? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଆରମ୍ଭ ହୋଇଯାଇଛି ବିତର୍କ।

author-image
Biswajit Mohanty
ଅଦ୍ୟତନ ହୋଇଛି
Will a two-tier system be beneficial for Test cricket

Will a two-tier system be beneficial for Test cricket

କ୍ରିକେଟ୍‌ର ପ୍ରଶାସକମାନେ ଏବେ ଟେଷ୍ଟ କ୍ରିକେଟ୍‌ର ରୂପରେଖ ବଦଳାଇବା ଲକ୍ଷ୍ୟରେ ଅଛନ୍ତି । ପାରମ୍ପରିକ ଫର୍ମାଟ୍‌ରେ ‘ଦ୍ୱି-ସ୍ତରୀୟ ବ୍ୟବସ୍ଥା’ ଲାଗୁ କରିବା ପାଇଁ ଯୋଜନା ଚାଲିଛି ।

Advertisment

ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ମୁଖ୍ୟ ଜୟ ଶାହା ଜାନୁଆରୀ ଶେଷ ବେଳକୁ କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ ମାଇକ୍ ବେୟର୍ଡ ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ମୁଖ୍ୟ ରିଚାର୍ଡ ଥମ୍ପସନ୍‌ଙ୍କୁ ଭେଟିବେ । ଏହି ଅବସରରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ (ଡବ୍ଲ୍ୟୁଟିସି)କୁ ଦୁଇ ସ୍ତରରେ ବିଭାଜନ ପ୍ରସ୍ତାବ ଉପରେ ଆଲୋଚନା ହେବ ।

ଏହି ପ୍ରସ୍ତାବକୁ ନେଇ ଏବେ କ୍ରିକେଟ୍ ମହଲରେ ବିତର୍କ ଆରମ୍ଭ ହୋଇଯାଇଛି । ତେବେ କ୍ରିକେଟ୍‌ର ସବୁଠାରୁ ଲମ୍ବା ଫର୍ମାଟ୍ ପାଇଁ ଏହା କେତେଦୂର ଲାଭଦାୟକ ହେବ, ତାହା ଏକ ବଡ଼ ପ୍ରଶ୍ନ ।

Advertisment

୨୦୨୭ରୁ ଲାଗୁ ହୋଇପାରେ ନୂଆ ବ୍ୟବସ୍ଥା

ଯଦି ଟେଷ୍ଟ କ୍ରିକେଟ୍‌ରେ ଦ୍ୱି-ସ୍ତରୀୟ ବ୍ୟବସ୍ଥା ଲାଗୁ ହୁଏ, ତା’ହେଲେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ପାକିସ୍ତାନ ଟିମ୍ ଶୀର୍ଷ ଡିଭିଜନ୍‌ରେ ରହିପାରନ୍ତି । ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ, ଆଫଗାନିସ୍ତାନ, ଆୟରଲାଣ୍ଡ ଓ ଜିମ୍ବାୱେ ଟିମ୍ ଦ୍ୱିତୀୟ ଡିଭିଜନ୍‌ରେ ସ୍ଥାନ ପାଇପାରନ୍ତି ।

Will a two-tier system be beneficial for Test cricket ଟେଷ୍ଟ କ୍ରିକେଟ୍ ପାଇଁ ଲାଭଦାୟକ ହେବ କି ଦ୍ୱି-ସ୍ତରୀୟ ବ୍ୟବସ୍ଥା

ବର୍ତ୍ତମାନର ଟୁର୍ କାର୍ଯ୍ୟକ୍ରମ ୨୦୨୭ରେ ଶେଷ ହେବ । ଏହାପରେ ଆଇସିସି ଦ୍ୱି-ସ୍ତରୀୟ ବ୍ୟବସ୍ଥା ଲାଗୁ କରିପାରେ । ଏହାଦ୍ୱାରା ଟେଷ୍ଟ କ୍ରିକେଟ୍‌ର ଶକ୍ତିଶାଳୀ ଟିମ୍‌ଗୁଡ଼ିକ ପରସ୍ପରକୁ ଅଧିକ ଥର ଭେଟିବେ, ଯାହା ଫଳରେ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ସଂଖ୍ୟା ବି ବଢ଼ିବ ।

ଭାରତର ପୂର୍ବତନ କୋଚ୍ ରବି ଶାସ୍ତ୍ରୀ ଓ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ ଏହାକୁ ସମର୍ଥନ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଅଧିନାୟକ କ୍ଲାଇଭ୍ ଲଏଡ୍‌, ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗା ପ୍ରମୁଖ ଏହାକୁ ବିରୋଧ କରିଛନ୍ତି ।

ଜନାଦୃତ ହୋଇଥିଲା ବିଜିଟି ଟ୍ରଫି ୨୦୨୪-୨୫

ନିକଟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି (ବିଜିଟି) ଆୟୋଜନରେ ବିଶେଷ ସଫଳତା ମିଳିଥିଲା । ଏଥିରେ ପାଞ୍ଚ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା ।

ପ୍ରାୟ ଦୁଇ ମାସ ଧରି ଚାଲିଥିବା ଏହି ସିରିଜ୍‌କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଦର୍ଶକ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ । ତେଣୁ ଶକ୍ତିଶାଳୀ ଟେଷ୍ଟ ଟିମ୍‌ଗୁଡ଼ିକ ପରସ୍ପର ମଧ୍ୟରେ ଅଧିକରୁ ଅଧିକ ମ୍ୟାଚ୍ ଖେଳିବା କଥା ଉଠୁଛି ।

ଏପରି ସ୍ଥଳେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଟିମ୍ ପରସ୍ପର ମଧ୍ୟରେ ଅଧିକ ଟେଷ୍ଟ ଖେଳି କେବଳ ଖେଳକୁ ଲୋକପ୍ରିୟ କରାଇବାକୁ ଚେଷ୍ଟା କରିବେନି, ସମ୍ପୃକ୍ତ ଦେଶଗୁଡ଼ିକର ବୋର୍ଡ ଅର୍ଥନୈତିକ ଦୃଷ୍ଟିରୁ ବି ଲାଭାନ୍ୱିତ ହେବେ ।

ଟେଷ୍ଟକୁ ଲୋକପ୍ରିୟ କରାଇବା ଲକ୍ଷ୍ୟରେ ଡବ୍ଲ୍ୟୁଟିସି ଆରମ୍ଭ କରାଯାଇଥିଲା । ଏଥିରେ ଟିମ୍‌ଗୁଡ଼ିକ କେବଳ ସିରିଜ୍ ଜିତିବା ପାଇଁ ଖେଳୁ ନାହାନ୍ତି, ସେମାନଙ୍କର ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌କୁ ଯିବାର ଲକ୍ଷ୍ୟ ବି ରହୁଛି । ଏବେ ଆଇସିସି ଏହା ଠାରୁ ଆଗକୁ ଯାଇ ଡବ୍ଲ୍ୟୁଟିସିର ବିଭାଜନ କରିବାକୁ ବିଚାର କରୁଛି ।

ସମର୍ଥନରେ କ’ଣ କହୁଛନ୍ତି ପୂର୍ବତନ କ୍ରିକେଟର୍‌

ରବି ଶାସ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି, “ଏ କଥାରେ ମୋର ଦୃଢ଼ ବିଶ୍ୱାସ ରହିଛି ଯେ ଯଦି ଆପଣ ଟେଷ୍ଟ କ୍ରିକେଟ୍‌କୁ ଜୀବିତ ରଖିବାକୁ ଚାହାନ୍ତି, ତା’ହେଲେ ତା’ର ଗୋଟିଏ ହିଁ ବାଟ ଅଛି ଯେ ଶୀର୍ଷ ଟିମ୍‌ଗୁଡ଼ିକ ପରସ୍ପର ସହିତ ଅଧିକରୁ ଅଧିକ ମ୍ୟାଚ୍ ଖେଳନ୍ତୁ ।”

ମାଇକେଲ୍ ଭନ୍ ମଧ୍ୟ ଶାସ୍ତ୍ରୀଙ୍କ କଥାରେ ସହମତ ହୋଇଛନ୍ତି । ସେ ନିଜ ସ୍ତମ୍ଭରେ ଲେଖିଛନ୍ତି, “ମୋ ମତରେ ଏବେ ଟେଷ୍ଟ ମ୍ୟାଚ୍ ଚାରିଦିନିଆ ହେବା ଉଚିତ ଏବଂ ପ୍ରତି ଦିବସ ପାଇଁ ଜରୁରୀ ଓଭର୍ ଧାର୍ଯ୍ୟ କରାଯିବା ଦରକାର । ସିରିଜ୍‌ରେ ଅତି କମ୍‌ରେ ତିନି ମ୍ୟାଚ୍ ଖେଳାଯାଉ, ଟେଷ୍ଟ ଟିମ୍‌ଗୁଡ଼ିକର ଦୁଇ ଗ୍ରୁପ୍ ହେଉ ।”

୨୦୨୭ରୁ ଟେଷ୍ଟ କ୍ରିକେଟ୍‌ରେ ଦ୍ୱି-ସ୍ତରୀୟ ବ୍ୟବସ୍ଥା ଲାଗୁ ଉପରେ ଆଇସିସି ବିଚାର କରୁଥିବା କଥା ପଢ଼ି ତାଙ୍କୁ ଖୁସି ଲାଗିଲା ବୋଲି ଏହି ପୂର୍ବତନ କ୍ରିକେଟର୍ କହିଛନ୍ତି ।

Will a two-tier system be beneficial for Test cricket ଟେଷ୍ଟ କ୍ରିକେଟ୍ ପାଇଁ ଲାଭଦାୟକ ହେବ କି ଦ୍ୱି-ସ୍ତରୀୟ ବ୍ୟବସ୍ଥା

ପ୍ରସ୍ତାବ ପଛରେ ରହିଛି କି ଅର୍ଥଲୋଭ

ଟେଷ୍ଟରେ ‘ଦ୍ୱି-ସ୍ତରୀୟ ବ୍ୟବସ୍ଥା’କୁ ସମାଲୋଚନା କରି ଅର୍ଜୁନ ରଣତୁଙ୍ଗା କହିଛନ୍ତି, “ମୁଁ ଅର୍ଥନୀତିକୁ ବୁଝିପାରୁଛି । ଏହାଦ୍ୱାରା ତିନି ବୋର୍ଡକୁ ଫାଇଦା ହେବ; କିନ୍ତୁ ଖେଳ ପାଉଣ୍ଡ, ଡଲାର ଓ ଟଙ୍କା ପାଇଁ ଉଦ୍ଦିଷ୍ଟ ନୁହେଁ । ଏହି ଖେଳ ସହ ସଂଶ୍ଳିଷ୍ଟ ଲୋକମାନଙ୍କୁ ନିଶ୍ଚିତରୂପେ ଏହାର ମଙ୍ଗଳ ପାଇଁ କାମ କରିବାକୁ ହେବ ।”

ଇଂଲଣ୍ଡର ପୂର୍ବତନ ପେସର୍ ଷ୍ଟିଭନ୍ ଫିନ୍‌ଙ୍କ କହିବାନୁଯାୟୀ, “ମୋତେ ଏହା ଠିକ୍ ଲାଗୁ ନାହିଁ - ଏହା କ୍ରିକେଟ୍‌ର ହିତରେ ଅଛି ବୋଲି ମୋର ମନେ ହେଉ ନାହିଁ । ମୁଁ ବୁଝିପାରୁଛି ଯେ ଏହା ଲୋଭ । ଏହା ଟେଷ୍ଟ କ୍ରିକେଟ୍ ଭଳି ଖେଳକୁ ଦୂଷିତ କରିଦେବ ।”

ୱେଷ୍ଟଇଣ୍ଡିଜ୍‌କୁ ୧୯୭୫ ଓ ୧୯୭୯ରେ ବିଶ୍ୱକପ୍ ଜିତାଇଥିବା କ୍ଲାଇଭ୍ ଲଏଡ୍ ମଧ୍ୟ ଏହି ପ୍ରସ୍ତାବରେ ସହମତ ନୁହନ୍ତି ।

ଲଏଡ୍ କହିଛନ୍ତି, “ଏହାକୁ ଏବେ ଏଇଠି ଅଟକାଇ ଦେବା ଉଚିତ । ଏହା ସେହିସବୁ ଟିମ୍ ପାଇଁ ହିତକର ନୁହେଁ, ଯେଉଁ ଟିମ୍‌ଗୁଡ଼ିକ ଟେଷ୍ଟ ଦେଶର ମାନ୍ୟତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିଛନ୍ତି ଏବଂ ଏବେ ଦୁର୍ବଳ ଟିମ୍‌ଗୁଡ଼ିକ ସହ ଖେଳୁଛନ୍ତି ।”

ଏହି ପୂର୍ବତନ କ୍ରିକେଟର୍ ଯୁକ୍ତି ବାଢ଼ିଛନ୍ତି, “ଏହାଦ୍ୱାରା ଏହି ଟିମ୍‌ଗୁଡ଼ିକ କିଭଳି ଶୀର୍ଷରେ ପହଞ୍ଚିପାରିବେ? ଯେତେବେଳେ ଆପଣ ନିଜ ଠାରୁ ଉନ୍ନତ ଟିମ୍‌ଗୁଡ଼ିକ ସହ ଖେଳନ୍ତି, ଆପଣଙ୍କ ଖେଳ ସୁଧୁରିଥାଏ । ସେତେବେଳେ ଜାଣିବାକୁ ପାଆନ୍ତି ଯେ ଆପଣ ପ୍ରକୃତରେ କେତେ ଭଲ ଟିମ୍ । ମୁଁ ଏହି ପ୍ରସ୍ତାବରେ ବ୍ୟଥିତ ।”

ଗୋଟିଏ ସମୟରେ ଟେଷ୍ଟ କ୍ରିକେଟ୍‌ରେ ୱେଷ୍ଟଇଣ୍ଡିଜ୍‌ର ଆଧିପତ୍ୟ ଥିଲା । ୧୯୮୦ରୁ ୧୯୯୫ ଯାଏଁ କାରିବୀୟ ଟିମ୍ ଟେଷ୍ଟରେ ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିଥିଲା । କିନ୍ତୁ ଏହାପର ଠାରୁ ଟିମ୍ ସଂଘର୍ଷ କରିଆସୁଛି । ଚଳିତ ଡବ୍ଲ୍ୟୁଟିସି ଚକ୍ରରେ ୱେଷ୍ଟଇଣ୍ଡିଜ୍ ଟେବୁଲ୍‌ରେ ନବମ ସ୍ଥାନରେ ରହିଛି ।

ଆୟରଲାଣ୍ଡ ଓ ଆଫଗାନିସ୍ତାନକୁ ୨୦୧୭ରେ ଟେଷ୍ଟ ଦେଶର ମାନ୍ୟତା ମିଳିଥିଲା । ଏହାପରେ ଏହି ଦୁଇ ଦେଶ କେତେକ ମ୍ୟାଚ୍‌ରେ ଶକ୍ତିଶାଳୀ ଦେଶଗୁଡ଼ିକୁ ଭେଟିଥିଲେ, କିନ୍ତୁ ଫଳାଫଳ ଚକିତଭରା ନ ଥିଲା ।

Will a two-tier system be beneficial for Test cricket ଟେଷ୍ଟ କ୍ରିକେଟ୍ ପାଇଁ ଲାଭଦାୟକ ହେବ କି ଦ୍ୱି-ସ୍ତରୀୟ ବ୍ୟବସ୍ଥା

ପୂର୍ବରୁ ୨୦୧୬ରେ ଆଗତ ହୋଇଥିଲା ପ୍ରସ୍ତାବ

ଟେଷ୍ଟ କ୍ରିକେଟ୍‌ରେ ଦ୍ୱି-ସ୍ତରୀୟ ବ୍ୟବସ୍ଥା ଲାଗୁ କରିବା ଦାବି ନୂଆ ନୁହେଁ । ପ୍ରଥମେ ୨୦୧୬ରେ ଆଇସିସି ସ୍ତରରେ ଏହି ପ୍ରସ୍ତାବକୁ ଆଗତ କରାଯାଇଥିଲା । ସେତେବେଳେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସମେତ ଶ୍ରୀଲଙ୍କା, ବାଂଲାଦେଶ ଓ ଜିମ୍ବାୱେର କ୍ରିକେଟ୍ ବୋର୍ଡ ଏହାକୁ ବିରୋଧ କରିଥିଲେ ।

କିନ୍ତୁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ର ବୋର୍ଡ ଏହାକୁ ସମର୍ଥନ କରିଥିଲେ । ବିଶେଷକରି ବିସିସିଆଇର ବିରୋଧ ଯୋଗୁଁ ଏହାକୁ ଲାଗୁ କରାଯାଇପାରି ନ ଥିଲା ।

ତେବେ ଏହି ଆଠ-ନଅ ବର୍ଷ ମଧ୍ୟରେ ବହୁତ କିଛି ବଦଳି ଗଲାଣି । ବିସିସିଆଇର ଜୟ ଶାହା ଏବେ ଆଇସିସି ମୁଖ୍ୟ । ସବୁ ବୋର୍ଡ ଅର୍ଥରାଶି ଚାହାନ୍ତି । ପ୍ରସାରଣକାରୀ ବି ଚାହୁଁଛନ୍ତି ଯେ ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟରେ ଅଧିକ ଟେଷ୍ଟ ଖେଳାଯାଉ ।

ଦ୍ୱି-ସ୍ତରୀୟ ବ୍ୟବସ୍ଥା ଦ୍ୱାରା ଟେଷ୍ଟର ରୋମାଞ୍ଚ ଓ ଲୋକପ୍ରିୟତା ବଢ଼ିବ ସତ, ଆର୍ଥିକ ଲାଭ ବି ମିଳିବ; କିନ୍ତୁ ଅନେକ ଟିମ୍ (ଯେଉଁମାନେ ଶକ୍ତିଶାଳୀ ନୁହନ୍ତି) ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିପାରେ । ଟେଷ୍ଟ ଖେଳୁଥିବା ସବୁ ଦେଶକୁ ଆଗକୁ ବଢ଼ିବା ପାଇଁ ସୁଯୋଗ ମିଳିବା ଆବଶ୍ୟକ । ବିଶ୍ୱ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥାକୁ ଏ ଦିଗରେ ବୁଝିବିଚାରି ନିଷ୍ପତ୍ତି ନେବାକୁ ହେବ ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Cricket Indian Cricket ICC Cricket World Cup
Advertisment
Advertisment