• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାହାସ୍ଫୋଟ ମାରୁଥିଲେ । ଭାରତରେ ଭାରତକୁ ହରାଇବେ ପୁଣି ବିଶ୍ବକପ ଜିତିବେ । କିନ୍ତୁ ସବୁ ଫସର ଫାଟିଗଲା । ବିଶ୍ବକପ ଆରମ୍ଭ ହେବାର ଅଳ୍ପ କିଛିଦିନ ମଧ୍ୟରେ ହିଁ ପାକିସ୍ତାନ ପାଇଁ ସେମିଫାଇନାଲ ଦ୍ବାର ବନ୍ଦ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଅନ୍ୟପଟେ ପାକିସ୍ତାନକୁ ହରାଇବା ପରେ ଅଫଗାନିସ୍ତାନରେ ଖୁସିର ମାହୋଲ । ଗୁଳି ଫୁଟାଇ, ବାଣ ବଜାଇ କଲେ ସେଲିବ୍ରେଟ । ବିଶ୍ବକପରେ ଲଗାତାର ବିପର୍ଯ୍ୟୟ ପରେ ଅଫଗାନିସ୍ତାନରେ ଅଦିନିଆ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଗତକାଲି କ୍ରିକେଟ ବିଶ୍ବକପରେ ପାକିସ୍ତାନକୁ ହରାଇ ଥିଲା ଅଫଗାନିସ୍ତାନ । ୮ ୱିକେଟରେ ପାକିସ୍ତାନକୁ ହରାଇ ଦେଇଥିଲା ଅଫଗାନିସ୍ତାନ । 
ଏହି ପରାଜୟ ପାକିସ୍ତାନର ସେମି ଫାଇନାଲ ଆଶାକୁ କ୍ଷୀଣ କରି ଦେଇଛି । ପ୍ରଥମେ ଇଂଲଣ୍ଡକୁ ହରାଇବା ପରେ ବର୍ତ୍ତମାନ ପାକିସ୍ତାନକୁ ହରାଇ ବିଶ୍ବକପରେ ଡାର୍କ ହର୍ସ ଭାବେ ଉଭା ହୋଇଛି ଅଫଗାନିସ୍ତାନ । ପାକିସ୍ତାନ ବିପକ୍ଷ ବିଜୟ ଯେ କେତେ ମଧୁର ତାହା ନିମ୍ନୋକ୍ତ ଭିଡ଼ିଓରୁ ଜାଣି ପାରୁଥିବେ । ରାଜଧାନୀ କାବୁଲରେ ବାଣ ବଜାଇ, ଗୁଳି ଫୁଟାଇ ଅଦିନିଆ ଦୀପାବଳି ପାଳନ କରା ଯାଇଛି । 


ମ୍ୟାଚ ଶେଷ ହେବାର ୧୫ ମିନିଟ ମଧ୍ୟରେ ହିଁ ଅଫଗାନିସ୍ତାନରେ ଆରମ୍ଭ ହୋଇ ଯାଇଥିଲା ସେଲିବ୍ରେସନ । କାବୁଲରେ ବନ୍ଧୁକ, ଗୁଳି ଓ ଆତସବାଜି ସହ ଏହି ବିଜୟକୁ ସ୍ୱାଗତ କରାଯାଇଥିଲା । ତେବେ ଆଫଗାନିସ୍ତାନ ପାଇଁ ବିଜୟ, ଦୁଇ ପଡୋଶୀ ଦେଶ ମଧ୍ୟରେ ରାଜନୈତିକ ଏବଂ କୂଟନୈତିକ ସମ୍ପର୍କ ମଧ୍ୟରେ ତିକ୍ତତା ଥିବା ବେଳେ ଆସିଛି ।
ପାକିସ୍ତାନ ଦ୍ବାରା ଆଫଗାନିସ୍ତାନ ଆଗରେ ୨୮୩ ରନର ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ଅନାୟାସରେ ହାସଲ କରିନେଇଥିଲା ଆଫଗାନ ଦଳ । ଦଳ ପକ୍ଷରୁ ରେହମାନୁଲ୍ଲା ଗୁରବାଜ ୬୫ ରନ କରିଥିବାବେଳେ ଇବ୍ରାହିମ ଜଦରାନ ୮୭ ରନ, ରହମତ ଶାହ ୭୭ ରନ ଓ ହସମାତୁଲ୍ଲା ସହିଦି ୪୮ ରନ କରିଥିଲେ । ୧୮ ବର୍ଷୀୟ ଲେଗ୍ ସ୍ପିନର ନୁର ଅହମ୍ମଦ ନିଜର ବିଶ୍ୱକପ୍ ଡେବ୍ୟୁରେ ୩ ଟି ୱିକେଟ ନେଇଥିଲେ ।
ପାକିସ୍ତାନର ଦୁଇ ଓପନର ଅବଦୁଲ୍ଲା ସଫିକ୍ ଓ ଇମାମ-ଉଲ-ହକ୍ ଦଳକୁ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ ପାଇଁ ୫୬ରନ କରିଥିରେ । ମାତ୍ର ମହମ୍ମଦ ରିଜଓ୍ବାନ ମାତ୍ର ୮ ରନ କରି ଆଉଟ ହୋଇଥିଲେ । ତେବେ ଶେଷ ଓଭରଗୁଡ଼ିକରେ ସଦାବ ଖାଁ ଓ ଇଫତିଖାର ଅହମ୍ମଦ ଲଢୁଆ ବ୍ୟାଟିଂ କରି ପାକିସ୍ତାନର ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ ।


ପାକିସ୍ତାନ ନିଜର ପରବର୍ତ୍ତୀ ୪ ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା, ବାଲାଂଦେଶ, ନ୍ୟୁଜିଲାଣ୍ତ ଓ ଇଂଲଣ୍ତକୁ ଭେଟିବ । ସମସ୍ତ ମ୍ୟାଚ ଜିତିବା ପରେ ମଧ୍ୟ ପାକିସ୍ତାନକୁ ଅନ୍ୟ ଦଳର ନେଟ ରନ ରେଟ ଉପରେ ଭରସା କରିବାକୁ ପଡ଼ିବ । ଏଣୁ ଲିଗ ପର୍ଯ୍ୟାୟରୁ ହିଁ ପାକିସ୍ତାନର ବିଶ୍ବକପ ଅଭିଯାନ ଶେଷ ହୋଇପାରେ ବୋଲି ଆଶଙ୍କା କରା ଯାଉଛି ।