Advertisment

Sports: ୪୪ ବର୍ଷ ପରେ ହକିରେ ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତିପାରିବ କି ଭାରତ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଜୁଲାଇ ୨୭ରୁ ଆରମ୍ଭ ହେବ ପୁରୁଷ ହକି ପ୍ରତିଯୋଗିତା। କ୍ରେଗ୍ ଫୁଲ୍‌ଟନ୍‌ଙ୍କ ପ୍ରଶିକ୍ଷଣ ଓ ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ ଏଥର ସ୍ୱର୍ଣ୍ଣ ପଦକ ଜିତିପାରିବ କି ଭାରତ? ୪୪ ବର୍ଷର ଦୀର୍ଘ ପ୍ରତୀକ୍ଷାର ଘଟିବ କି ଅନ୍ତ?

author-image
Biswajit Mohanty
ଅଦ୍ୟତନ ହୋଇଛି
Hockey Olympic Gold

Can India win Olympic gold in hockey after 44 years

ଗୋଟିଏ ସମୟରେ ଅଲିମ୍ପିକ୍ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଟିମ୍‌ର ଅଖଣ୍ଡ ରାଜତ୍ୱ ଥିଲା। ୧୯୨୮-୧୯୫୬ ସମୟକୁ କ୍ରୀଡ଼ା ମହାକୁମ୍ଭରେ ଭାରତୀୟ ହକିର ‘ସୁବର୍ଣ୍ଣ ଯୁଗ’ କୁହାଯାଏ, ତେବେ ୧୯୮୦ରେ ଶେଷ ଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ମିଳିବା ଯାଏଁ ଏହାର ପ୍ରଭାବ ରହିଥିଲା।

Advertisment

ଏହି ୫୨ (୧୯୨୮-୧୯୮୦) ବର୍ଷ ମଧ୍ୟରେ ଭାରତ ଆଠ ଥର ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଥରେ ରୌପ୍ୟ ଓ ଦୁଇ ଥର କାଂସ୍ୟ ହାସଲ କରିଥିଲା। ଇତ୍ୟବସରେ ୧୯୭୫ରେ ଭାରତୀୟ ଟିମ୍ ବିଶ୍ୱକପ୍‌ରେ ମଧ୍ୟ ଚାମ୍ପିଅନ୍ ହୋଇଥିଲା।

କିନ୍ତୁ ୧୯୮୦ ପର ଠାରୁ ପତନ ଆରମ୍ଭ ହୋଇଯାଇଥିଲା ଏବଂ ବହୁ ବର୍ଷ ପର୍ଯ୍ୟନ୍ତ ଭାରତର ସଫଳତା କେବଳ ଏସିଆ ମହାଦେଶ ମଧ୍ୟରେ ସୀମିତ ରହିଯାଇଥିଲା। ସେବେ ଠାରୁ ଭାରତୀୟ ଟିମ୍ କେବଳ ଅଲିମ୍ପିକ୍ସ ନୁହେଁ, କୌଣସି ଗ୍ଲୋବାଲ୍ ଇଭେଣ୍ଟରେ ଆଉ ସ୍ୱର୍ଣ୍ଣ ପଦକ ଜିତିପାରି ନାହିଁ । ବେଜିଂ ଅଲିମ୍ପିକ୍ସ ୨୦୦୮ ପାଇଁ ଭାରତ ହକିରେ ଯୋଗ୍ୟତା ଅର୍ଜନ କରି ନ ପାରିବା ବଡ଼ ଝଟ୍‌କା ଥିଲା

Advertisment

ଅଧିକ ପଢ଼ନ୍ତୁ: ଜୈସ୍ୱାଲଙ୍କ ଐତିହାସିକ ରେକର୍ଡ, ଗୋଟିଏ ବଲ୍‌ରେ ୧୩ ରନ୍‌ ସଂଗ୍ରହ କଲେ...

ଅବଶ୍ୟ ଚାମ୍ପିଅନ୍ସ ଟ୍ରଫି ୨୦୧୬ ଓ ୨୦୧୮ରେ ଭାରତକୁ ରୌପ୍ୟ ପଦକ ମିଳିଥିଲା। ସେହିପରି ହକି ୱାର୍ଲ୍ଡ ଲିଗ୍ ଫାଇନାଲ୍ ୨୦୧୫ ଓ ୨୦୧୭ରେ ଟିମ୍ କାଂସ୍ୟ ପଦକ ପାଇଥିଲା।

୪୧ ବର୍ଷ ପରେ ଅଲିମ୍ପିକ୍ କ୍ରୀଡ଼ାରେ ଭାରତ ପୁରୁଷ ହକିରେ ପଦକ ଜିତିଥିଲା। ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଟିମ୍‌କୁ କାଂସ୍ୟ ପଦକ ମିଳିଥିଲା। ଏହା ଟିମ୍ ପାଇଁ ଏକ ବଡ଼ ସଫଳତା ଥିଲା, ଯାହା ଟିମ୍‌କୁ ଆଗକୁ ବଢ଼ିବା ପାଇଁ ବାଟ କଢ଼ାଇଥିଲା।

ଏହାପରେ ଭାରତ ଏଫ୍‌ଆଇଏଚ୍ ହକି ପ୍ରୋ ଲିଗ୍‌ର ୨୦୨୧-୨୨ ସଂସ୍କରଣରେ ତୃତୀୟ ସ୍ଥାନ ପାଇ ନିଜ ଦକ୍ଷତା ପ୍ରମାଣିତ କରିଥିଲା। ତେବେ ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ଭାରତ ନିଜ ମାଟିରେ ନବମ ସ୍ଥାନରେ ରହିବା ଚିନ୍ତାଜନକ ଥିଲା। ଏହାପରେ ପ୍ରୋ ଲିଗ୍ ୨୦୨୨-୨୩ରେ ଚତୁର୍ଥ ସ୍ଥାନରେ ରହି ଭାରତୀୟ ଟିମ୍ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲା।

ହାଙ୍ଗଝୁ ଏସିଆଡ୍ ୨୦୨୨ରେ ଭାରତ ଚାମ୍ପିଅନ୍ ହୋଇ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଏହାର ଫାଇନାଲ୍‌ରେ ଭାରତ ୫-୧ରେ ଜାପାନକୁ ହରାଇଥିଲା, ଯେଉଁଥିରେ ଅଧିନାୟକ ହରମନପ୍ରୀତ ସିଂହ ଦୁଇ ଗୋଲ୍ ସ୍କୋର୍ କରିଥିଲେ।

କିନ୍ତୁ ଏଫ୍‌ଆଇଏଚ୍ ପ୍ରୋ ଲିଗ୍ ୨୦୨୩-୨୪ରେ ଭାରତ ସପ୍ତମ ସ୍ଥାନରେ ରହିଥିଲା। ଏଥିରେ ଭାରତ ୧୨ ମ୍ୟାଚ୍ ଖେଳି ପାଞ୍ଚ ମ୍ୟାଚ୍‌ରେ ଧାର୍ଯ୍ୟ ସମୟ ମଧ୍ୟରେ ବିଜୟ ହାସଲ କରିଥିଲା। ଏହାଛଡ଼ା ସୁଟ୍‌ଆଉଟ୍‌ରେ ତିନି ମ୍ୟାଚ୍ ଜିତିଥିବା ବେଳେ ତିନି ମ୍ୟାଚ୍ ହାରିଥିଲା। ପଞ୍ଚମ ସ୍ଥାନରେ ରହିଥିବା ବେଲ୍‌ଜିୟମ୍ ଓ ଷଷ୍ଠରେ ଥିବା ଜର୍ମାନୀ ଠାରୁ ଭାରତ (୨୪) ଗୋଟିଏ ପଏଣ୍ଟରେ ପଛରେ ଥିଲା।

ଏବେ ପ୍ରଶ୍ନ ଉଠୁଛି ଯେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭାରତର ପ୍ରଦର୍ଶନ କିପରି ହେବ? ଟୋକିଓରେ କାଂସ୍ୟ ପଦକ ହାସଲ ପରେ ପ୍ୟାରିସ୍ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିପାରିବ କି ଭାରତ? ୪୪ ବର୍ଷର ଦୀର୍ଘ ପ୍ରତୀକ୍ଷାର ଘଟିବ କି ଅନ୍ତ?

ଅଧିକ ପଢ଼ନ୍ତୁ: ଭୟଙ୍କର ରୋଗରେ ପୀଡ଼ିତ କପିଳ ଦେବଙ୍କ ସାଙ୍ଗ, ସାହାଯ୍ୟ ପାଇଁ କଲେ ଗୁହାରୀ

ଆହ୍ୱାନପୂର୍ଣ୍ଣ ପୁଲ୍‌ରେ ଭାରତ:

ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ହକି ପ୍ରତିଯୋଗିତାରେ ଭାରତକୁ ପୁଲ୍‌-ବି’ରେ ରଖାଯାଇଛି, ଯେଉଁଠି ଟିମ୍‌କୁ ଆହ୍ୱାନପୂର୍ଣ୍ଣ ଯାତ୍ରା କରିବାକୁ ହେବ। ଏହି ପୁଲ୍‌ରେ ଆୟରଲାଣ୍ଡ (୧୧ମ ମାନ୍ୟତା) ଓ ନ୍ୟୁଜିଲାଣ୍ଡ (୧୦ମ) ଟିମ୍‌କୁ ଛାଡ଼ିଦେଲେ, ଅନ୍ୟ ତିନି ଟିମ୍ - ପୂର୍ବ ସଂସ୍କରଣର ଚାମ୍ପିଅନ୍ ବେଲ୍‌ଜିୟମ୍ (ତୃତୀୟ) ଓ ରନର୍ସଅପ୍ ଅଷ୍ଟ୍ରେଲିଆ (ଚତୁର୍ଥ), ରିଓ ଅଲିମ୍ପିକ୍ସ ଚାମ୍ପିଅନ୍ ଆର୍ଜେଣ୍ଟିନା (ଷଷ୍ଠ) ବିଶ୍ୱ ମାନ୍ୟତାରେ ଭାରତ (ସପ୍ତମ) ଠାରୁ ଆଗରେ ରହିଛନ୍ତି।

ସେହିପରି ପୁଲ୍‌-ଏ’ରେ ନେଦରଲାଣ୍ଡ୍‌ସ (ପ୍ରଥମ), ଗ୍ରେଟ୍ ବ୍ରିଟେନ୍ (ଦ୍ୱିତୀୟ), ବିଶ୍ୱ ଚାମ୍ପିଅନ୍ ଜର୍ମାନୀ (ପଞ୍ଚମ) ଭଳି ଶକ୍ତିଶାଳୀ ଟିମ୍ ଥିବାରୁ କଡ଼ା ମୁକାବିଲା ଦେଖିବାକୁ ମିଳିପାରେ। ଏହି ପୁଲ୍‌ର ଅନ୍ୟ ତିନି ଟିମ୍ ହେଲେ ସ୍ପେନ୍ (ଅଷ୍ଟମ), ଆୟୋଜକ ଫ୍ରାନ୍ସ (ନବମ) ଓ ଦକ୍ଷିଣ ଆଫ୍ରିକା (୧୩ତମ)।

ହରମନପ୍ରୀତଙ୍କ ଟିମ୍ ଜୁଲାଇ ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତା’ର ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିବ। ମାନ୍ୟତାରେ ପଛରେ ଥିଲେ ବି ନ୍ୟୁଜିଲାଣ୍ଡ ଟିମ୍ ଅତୀତରେ ଭାରତ ପାଇଁ ଦୁର୍ଜୟ ପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଛି।

୨୦୨୩ ଏଫ୍‌ଆଇଏଚ୍ ହକି ବିଶ୍ୱକପ୍‌ରେ ବ୍ଲାକ୍ ଷ୍ଟିକ୍ସ କ୍ରସ୍‌-ଓଭର୍ ମ୍ୟାଚ୍‌ରେ ଭାରତକୁ ପରାଜିତ କରିଥିବା ବେଳେ ଏହା ପୂର୍ବରୁ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଟିମ୍ କିୱିଙ୍କ ଠାରୁ ହାରିଯାଇଥିଲା। ନିକଟରେ ନ୍ୟୁଜିଲାଣ୍ଡ ଟିମ୍ ପାକିସ୍ତାନକୁ ପରାଜିତ କରିଥିବା ବେଳେ ଏଫ୍‌ଆଇଏଚ୍ ହକି ଅଲିମ୍ପିକ୍ ଯୋଗ୍ୟତାପର୍ଯ୍ୟାୟରେ କାନାଡା (୨୦ତମ) ଓ ଚିଲୀ (୨୨ତମ) ଟିମ୍‌କୁ ମାତ୍ ଦେଇଥିଲା।

ଭାରତୀୟ ଟିମ୍ ୨୯ରେ ନିଜ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ଭେଟିବ। ପ୍ରୋ ଲିଗ୍ ୨୦୨୩-୨୪ରେ ଆର୍ଜେଣ୍ଟିନା ଦୁଇ ଥର ଜର୍ମାନୀକୁ ସୁଟ୍‌ଆଉଟ୍‌ରେ ହରାଇଥିବା ବେଳେ ବେଲ୍‌ଜିୟମ୍ ବିପକ୍ଷରେ ଗୋଟିଏ ମ୍ୟାଚ୍ ଜିତିଥିଲା ଓ ଗୋଟିଏ ହାରିଥିଲା।

ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ ଆର୍ଜେଣ୍ଟିନା ଉପରେ ଭାରୀ ପଡ଼ିଥିଲା। ଭାରତ ଏହି ଟିମ୍‌କୁ ଦୁଇ ଥର ହରାଇଥିଲା, ତନ୍ମଧ୍ୟରୁ ଗୋଟିଏ ସୁଟ୍‌-ଆଉଟ୍ ବିଜୟ ଥିଲା। ଏହାସତ୍ତ୍ୱେ ହରମନପ୍ରୀତଙ୍କ ଟିମ୍ ଏହି ପୂର୍ବତନ ଚାମ୍ପିଅନ୍‌କୁ ହାଲୁକା ଭାବେ ନେବ ନାହିଁ।

ଏହାପରେ ଭାରତ ୩୦ରେ ନିଜ ତୃତୀୟ ମ୍ୟାଚ୍‌ରେ ପୁଲ୍‌ର ସର୍ବନିମ୍ନ ମାନ୍ୟତାଧାରୀ ଆୟରଲାଣ୍ଡ ସହ ଖେଳିବ। ଏହି ମ୍ୟାଚ୍ ଟିମ୍ ପାଇଁ କଷ୍ଟସାଧ୍ୟ ହେବ ନାହିଁ। ପୂର୍ବ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ରେ ପଦାର୍ପଣ କରିଥିବା ଆୟରଲାଣ୍ଡ ଟୁର୍ଣ୍ଣାମେଣ୍ଟରେ ଭାରତକୁ ଦୁଇ ଥର ଭେଟିଥିଲା, ହେଲେ ଭାରତୀୟ ଟିମ୍ ଉଭୟ ମ୍ୟାଚ୍ ଜିତିଥିଲା।

ଭାରତ ନିଜ ଚତୁର୍ଥ ମ୍ୟାଚ୍‌ରେ ଅଗଷ୍ଟ ୧ରେ ପୁଲ୍‌ର ସର୍ବୋଚ୍ଚ ମାନ୍ୟତାଧାରୀ ବେଲ୍‌ଜିୟମ୍ ଆହ୍ୱାନର ସମ୍ମୁଖୀନ ହେବ। ଭାରତୀୟ ଟିମ୍ ପୂର୍ବ ପ୍ରୋ ଲିଗ୍‌ରେ ବେଲ୍‌ଜିୟମ୍ ଠାରୁ ଗୋଟିଏ ସୁଟ୍‌ଆଉଟ୍ ପରାଜୟ ସମେତ ଦୁଇ ମ୍ୟାଚ୍ ହାରିଯାଇଥିଲା। ତେବେ ଟୁର୍ଣ୍ଣାମେଣ୍ଟରେ ବେଲ୍‌ଜିୟମ୍ ଟିମ୍ ଜର୍ମାନୀ ଠାରୁ ଦୁଇ ଥର ଓ ଆର୍ଜେଣ୍ଟିନା ଠାରୁ ଥରେ ପରାଜିତ ହୋଇଥିଲା।

ଭାରତ ନିଜ ଶେଷ ପୁଲ୍ ମ୍ୟାଚ୍‌ରେ ଅଗଷ୍ଟ ୨ରେ ପ୍ରୋ ଲିଗ୍ ବିଜେତା ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ। ବେଲ୍‌ଜିୟମ୍ ଭଳି ଅଷ୍ଟ୍ରେଲୀୟ ଟିମ୍‌ର ଆହ୍ୱାନକୁ ଅତିକ୍ରମ କରିବା ମଧ୍ୟ ଟିମ୍ ପାଇଁ କଷ୍ଟସାଧ୍ୟ ହୋଇପାରେ। ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୁକବରାସ୍‌ଙ୍କ ଠାରୁ ପରାଜିତ ହୋଇଛି।

ଟୋକିଓ ଅଲିମ୍ପିକ୍ସର ପୁଲ୍ ମ୍ୟାଚ୍ ହେଉ ବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ଫାଇନାଲ୍ ଅଥବା ଚଳିତ ପ୍ରୋ ଲିଗ୍ ମ୍ୟାଚ୍ ଓ ପାଞ୍ଚ ମ୍ୟାଚ୍‌ର ଦ୍ୱିପାକ୍ଷିକ ଶୃଙ୍ଖଳା - ଅଷ୍ଟ୍ରେଲୀୟ ଆହ୍ୱାନକୁ ପ୍ରତିହତ କରିବାରେ ଭାରତୀୟ ଟିମ୍ ବିଫଳ ହୋଇଛି।

ହରମନପ୍ରୀତ ସିଂହଙ୍କ ନେତୃତ୍ୱର ଅସଲି ପରୀକ୍ଷା:

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ମିଡ୍‌ଫିଲ୍ଡର୍ ମନପ୍ରୀତ ସିଂହଙ୍କ ଅଧିନାୟକତ୍ୱରେ ଭାରତ କାଂସ୍ୟ ପଦକ ଜିତିଥିଲା। ବିଶ୍ୱର ସର୍ବଶ୍ରେଷ୍ଠ ଡ୍ରାଗ୍‌ଫ୍ଲିକର୍‌ଙ୍କ ମଧ୍ୟରେ ପରିଗଣିତ ଡିଫେଣ୍ଡର୍ ହରମନପ୍ରୀତ ସିଂହଙ୍କ ହାତରେ ଏଥର ଟିମ୍‌ର ଦାୟିତ୍ୱ, ଯିଏକି ନିଜ କ୍ୟାରିଅର୍‌ରେ ତୃତୀୟ ଥର ଅଲିମ୍ପିକ୍ ଖେଳିବେ।

ହରମନପ୍ରୀତ ଅଲିମ୍ପିକ୍‌ରେ ଭାରତୀୟ ପୁରୁଷ ହକି ଟିମ୍‌ର ୨୨ତମ ଅଧିନାୟକ ହେବେ। ମିଡ୍‌ଫିଲ୍ଡର୍ ହାର୍ଦ୍ଦିକ ସିଂହ ଟିମ୍‌ରେ ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ।

ଟୋକିଓ କ୍ରୀଡ଼ାରେ ଭାରତକୁ ପୋଡିୟମ୍‌ରେ ପହଞ୍ଚାଇବାରେ ହରମନପ୍ରୀତ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତୀୟ ଟିମ୍‌ର ରୌପ୍ୟ ପଦକ ବିଜୟରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଥିଲା।

ତାଙ୍କ ନେତୃତ୍ୱରେ ଭାରତ ଉଭୟ ଏସିଆଡ୍ ୨୦୨୨ ଓ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୩ରେ ଚାମ୍ପିଅନ୍ ହୋଇଥିଲା। ପ୍ରୋ ଲିଗ୍ ୨୦୨୩-୨୪ ସଂସ୍କରଣରେ ସେ ଅଧିନାୟକତ୍ୱ କରିଥିଲେ, କିନ୍ତୁ ଟିମ୍ ଏଥିରେ ଆଶାଜନକ ସଫଳତା ପାଇ ନ ପାରି ସପ୍ତମ ସ୍ଥାନରେ ରହିଥିଲା।

ଏହାଛଡ଼ା ହରମନପ୍ରୀତଙ୍କ ଅଧିନାୟକତ୍ୱରେ ଭାରତ ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଖେଳିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ସମସ୍ତ ମୁକାବିଲା ହାରିଯାଇଥିଲା।

ଏହା ଦର୍ଶାଉଛି ଯେ ଅଲିମ୍ପିକ୍ ପଦକ ହାସଲ ପାଇଁ ଟିମ୍ ନିଜ ପ୍ରସ୍ତୁତିକୁ ଅଧିକ ଶାଣିତ କରିବା ଆବଶ୍ୟକ। ଅଲିମ୍ପିକ୍‌ରେ ନିମ୍ନ ମାନ୍ୟତାଧାରୀ ଟିମ୍ ବି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରିବ। ତେଣୁ ହରମନପ୍ରୀତଙ୍କ ଟିମ୍‌କୁ ଅଧିକ ସତର୍କ ହୋଇ ଖେଳିବାକୁ ହେବ। ଅତଏବ ପ୍ୟାରିସ୍ କ୍ରୀଡ଼ାରେ ତାଙ୍କ ନେତୃତ୍ୱର ଅସଲି ପରୀକ୍ଷା ହେବ।

ହରମନପ୍ରୀତଙ୍କ ଛଡ଼ା ଦୁଇ ଥର ‘ଏଫ୍‌ଆଇଏଚ୍ ଗୋଲ୍‌କିପର୍ ଅଫ୍ ଦ ଇଅର୍‌’ ବିବେଚିତ ପିଆର୍ ଶ୍ରୀଜେଶ, ମିଡ୍‌ଫିଲ୍ଡର ଶୀର୍ଷ ଖେଳାଳି ମନପ୍ରୀତ ସିଂହ, ତାରକା ଷ୍ଟ୍ରାଇକର୍ ମନଦୀପ ସିଂହ ମଧ୍ୟ ମ୍ୟାଚ୍‌ର ମୋଡ଼ ବଦଳାଇବାର କ୍ଷମତା ରଖନ୍ତି। ପୂର୍ବତନ ଅଧିନାୟକ ଶ୍ରୀଜେଶ ଓ ମନପ୍ରୀତଙ୍କ ଏହା ଚତୁର୍ଥ ଓ ସମ୍ଭବତଃ ଶେଷ ଅଲିମ୍ପିକ୍ ହେବ।

ଟିମ୍‌ରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ପ୍ରତିଭାଶାଳୀ ଡିଫେଣ୍ଡର୍ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ତାଙ୍କ ପାଇଁ ଏହା ଦ୍ୱିତୀୟ ଅଲିମ୍ପିକ୍ ହେବ। ସେ ଟୋକିଓ କାଂସ୍ୟ ବିଜେତା ଟିମ୍‌ର ଅଂଶବିଶେଷ ଥିଲେ।

ଭାରତୀୟ ଟିମ୍‌ରେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ଉତ୍ତମ ମିଶ୍ରଣ ରହିଛି। କେତେକ ଖେଳାଳିଙ୍କ ପାଖରେ ମହାକୁମ୍ଭରେ ଖେଳିବାର ଭଲ ଅଭିଜ୍ଞତା ଥିବା ବେଳେ ଏମିତି ବି କେତେକ ନାମ ଅଛି ଯେଉଁମାନଙ୍କର ଏହା ପ୍ରଥମ ଅଲିମ୍ପିକ୍ ହେବ।

୧୫ଜଣିଆ ଟିମ୍‌ରେ ଗୋଲ୍‌କିପର୍ ଭାବେ ଶ୍ରୀଜେଶ ରହିଛନ୍ତି। ବ୍ୟାକ୍‌ଲାଇନ୍‌ରେ ଅଧିନାୟକ ହରମନପ୍ରୀତ, ଜରମନପ୍ରୀତ ସିଂହ, ଅମିତ ରୋହିଦାସ, ସୁମିତ ଓ ସଞ୍ଜୟ ରହିବେ ଯେତେବେଳେକି ମିଡ୍‌ଫିଲ୍ଡରେ ରାଜକୁମାର ପାଲ୍‌, ଶମଶେର ସିଂହ, ମନପ୍ରୀତ ସିଂହ, ହାର୍ଦ୍ଦିକ ସିଂହ ଓ ବିବେକ ସାଗର ପ୍ରସାଦ ଦାୟିତ୍ୱ ସମ୍ଭାଳିବେ।

ଫର୍‌ୱାର୍ଡ ଲାଇନ୍‌ରେ ଅଭିଷେକ, ସୁଖଜିତ୍ ସିଂହ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂହ ଓ ଗୁରଜନ୍ତ ସିଂହଙ୍କ ଭଳି ଦକ୍ଷ ଖେଳାଳି ରହିବେ।

ଏହାଛଡ଼ା ଗୋଲ୍‌କିପର୍ କୃଷ୍ଣ ବାହାଦୁର ପାଠକ, ମିଡ୍‌ଫିଲ୍ଡର୍ ନୀଳକାନ୍ତ ଶର୍ମା ଓ ଡିଫେଣ୍ଡର୍ ଯୁଗରାଜ ସିଂହଙ୍କୁ ବିକଳ୍ପ ଖେଳାଳି ଭାବେ ରଖାଯାଇଛି। ଜରମନପ୍ରୀତ, ସଞ୍ଜୟ, ରାଜକୁମାର, ଅଭିଷେକ ଓ ସୁଖଜିତ୍ କ୍ରୀଡ଼ା ମହାକୁମ୍ଭରେ ପଦାର୍ପଣ କରିବେ।

ଟିମ୍‌କୁ ସ୍ୱର୍ଣ୍ଣ ପଦକ ଜିତାଇବା ପାଇଁ ବଦ୍ଧପରିକର ଅଧିନାୟକ ହରମନପ୍ରୀତଙ୍କ କହିବାନୁଯାୟୀ ସେମାନେ ନିଜ ଇତିହାସ ଓ ଉତ୍ତରାଧିକାରକୁ ଉପରକୁ ନେବା ଲାଗି ଯଥାସମ୍ଭବ ପ୍ରୟାସ କରୁଛନ୍ତି। ସ୍ୱର୍ଣ୍ଣ ବିଜୟ ଭାରତ ଓ ବରିଷ୍ଠ ଖେଳାଳିମାନଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ହେବ।

କ୍ରେଗ୍ ଫୁଲ୍‌ଟନ୍‌ଙ୍କ ପ୍ରଶିକ୍ଷଣ ଓ ହରମନପ୍ରୀତଙ୍କ ଅଧିନାୟକତ୍ୱରେ ଭାରତୀୟ ଖେଳାଳି ଚମକପ୍ରଦ ପ୍ରଦର୍ଶନ କରିବ ବୋଲି ଆଶା ଅଛି। ସ୍ୱର୍ଣ୍ଣ ଜିତି ନ ପାରିଲେ ବି ଭାରତ ଅନ୍ତତଃ ପୋଡିୟମ୍‌ରେ ପହଞ୍ଚିପାରିବ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Indian Hockey
Advertisment
Advertisment