• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ବାଜିବ ୧୭ ବର୍ଷରୁ କମ୍ ଫିଫା ଫୁଟବଲ୍ ବିଶ୍ୱକପ୍‌ ବିଗୁଲ୍ । ଏଥିଲାଗି ନୂଆ ବୋହୂ ପରି ସଜେଇ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ । ମରକ୍କୋ ଓ ବ୍ରାଜିଲ୍ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ପରେ ସଂଧ୍ୟାରେ ଆମେରିକାକୁ ଭେଟିବ ଭାରତ । ଏଥିଲାଗି ଖେଳାଳିମାନେ ନିଜ ନିଜର ଅଭ୍ୟାସ ସାରିଥିବା ବେଳେ ଏବେ ଅପେକ୍ଷା ଅସଲ ମୁକାବିଲାକୁ ।

ରାଜଧାନୀ ଭୁବନେଶ୍ୱର ରେ ଫୁଟବଲ୍ ଫିଭର । ଷ୍ଟାଡିୟମ୍‌ଠୁ ଆରମ୍ଭ କରି ରାସ୍ତାଘାଟ ସବୁଠି ଛାଇଗଲାଣି ପୋଷ୍ଟର ବ୍ୟାନର । ୧୨ ହଜାର କ୍ଷମତା ସମ୍ପୁର୍ଣ୍ଣ କଳିଙ୍ଗ ଷ୍ଟାଡିୟମ୍‌କୁ ଅତି ସୁନ୍ଦର ଭାବେ ସମ୍ବଲପୁରୀ ପଶାପଲୀ ଡିଜାଇନ୍‌ରେ ସଜା ଯାଇଛି । ଲାଲ, ସବୁଜ, ଧଳା ପ୍ରିଣ୍ଟରେ ସିଟ୍ ଗୁଡ଼ିକୁ ନୂଆ ରୂପ ଦିଆଯାଇଛି ।

ଆଜିଠୁ ଆରମ୍ଭ ହେବାକୁ ଯାଉଛି ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ୍ ମହାକୁମ୍ଭ । ଏଥିଲାଗି ଷ୍ଟାଡିୟମ୍ ଓ ଖେଳାଳି ସମସ୍ତେ ପ୍ରସ୍ତୁତ୍ । ବ୍ରାଜିଲ ଓ ମରକ୍କୋ ମଧ୍ୟରେ ଅପରାହ୍ନ ସାଢ଼େ ୪ଟାରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ରାତି ୮ଟାରେ ଦ୍ୱିତୀୟ ମ୍ୟାଚ୍‌ରେ ଆମେରିକାକୁ ଟକ୍କର ଦେବ ଆୟୋଜକ ଭାରତ ।

 

ଅଣ୍ଡର ସେଭେନ୍ଟିନ୍ ଫିଫା ମହିଳା ବିଶ୍ୱକପ୍‌ରେ ଭାରତ ପ୍ରଥମ ଥର ପାଇଁ ଭାଗ ନେଉଛି । ଦୀର୍ଘ ୭ ମାସ ହେଲା ଖେଳାଳିମାନେ ଅଭ୍ୟାସ ଚଳାଇଛନ୍ତି । ମାନସିକ ଓ ଶାରୀରିକ ଭାବେ ଆମେ ଶକ୍ତ ଅଛୁ, ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବୁ ବୋଲି ମହିଳା ଟିମ୍‌ର ଅଧିନାୟକ ଅସ୍ତାମ ଓରାଂଓ କହିଛନ୍ତି ।

ଭୁବନେଶ୍ୱର, ଗୋଆ ଏବଂ ନଭି ମୁମ୍ବାଇ ଭଳି ୩ଟି ଭେନ୍ୟୁରେ ଖେଳାଯିବ ଟୁର୍ଣ୍ଣମେଣ୍ଟର ସମସ୍ତ ମ୍ୟାଚ୍ । ଆଜିଠୁ ମ୍ୟାଚ୍ ଆରମ୍ଭ ହେଉଥିବା ବେଳେ ଆସନ୍ତା ୩୦ରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବ । ବିଶ୍ୱକପ୍‌ରେ ଆୟୋଜକ ଭାରତ ସମେତ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ଭାରତ ସମେତ ମରକ୍କୋ, ବ୍ରାଜିଲ୍, ଆମେରିକା, ନାଇଜେରିଆ ଓ ଚିଲ୍ଲି ଟିମ୍‌ର କଳିଙ୍ଗ ଷ୍ଟାଡିୟମ୍‌ରେ ମ୍ୟାଚ୍ ରହିଛି । ଏନେଇ ସମସ୍ତ ଦଳ କ୍ୟାପିଟାଲ ହାଇସ୍କୁଲ ପଡିଆ ଏବଂ ସପ୍ତମ ବାଟାଲିୟନ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି ।

ଦର୍ଶକ ମାନେ ମ୍ୟାଚ୍‌କୁ ନେଇ ଉତ୍କଣ୍ଠାରେ ଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଫିଫା ଫୁଟବଲ୍ ବିଶ୍ୱକପ ପାଇଁ ଚାରି ସ୍ତରୀୟ ସୁରକ୍ଷା ବଳୟରେ ରହିଛି । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଅତିରିକ୍ତ ଡିସିପି, ୧୪ ଏସିପି, ୩୦ ଇନ୍ସପେକ୍ଟର ୧୦୦ ଅଧିକାରୀ, ୨୪୦ କନ୍‌ଷ୍ଟେବଳ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । କିଭଳି ଶାନ୍ତି ଶୃଙ୍ଖଳାର ସହ ମ୍ୟାଚ୍ ଆୟୋଜନ ହେବ, ସେନେଇ କମିଶନରେଟ୍ ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । 

ମ୍ୟାଚ୍ ବେଳେ ପରିଷ୍କାର ପରିଚ୍ଛନତାକୁ ଗୁରୁତ୍ୱ ଦେଇଛି ବିଏମ୍‌ସି । ଷ୍ଟାଡିୟମ୍‌କୁ ପରିଷ୍କାର ପରିଚ୍ଛନ ରଖିବା ଲାଗି ବିଏମ୍‌ସି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲ ଫର ଅଲ୍ ବା ସମସ୍ତଙ୍କ ପାଇଁ ଫୁଟବଲ ଯୋଜନାର ଶୁଭାରମ୍ଭ କରିଛନ୍ତି । ସ୍କୁଲ ପିଲାଙ୍କୁ ଫୁଟବଲ ପ୍ରତି ଆଗ୍ରହୀ କରାଇବା ଉଦ୍ଦେଶ୍ୟରେ ଫିଫା ସହାୟତାରେ ଏହି ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାରେ ରାଜ୍ୟର ୨ ହଜାର ସ୍କୁଲରେ ବଣ୍ଟାଯିବ ୪୩ ହଜାର ଫୁଟବଲ । ଫୁଟବଲ ଖେଳ ସଂସ୍କୃତିକୁ ତ୍ରୁଣମୂଳ ସ୍ତରରେ ପହଞ୍ଚାଇବାକୁ ରାଜ୍ୟ ସରକାର ଭର୍ଚୁଆଲ ମାଧ୍ୟମରେ ଏହି ଯୋଜନା ଉଦଘାଟନ କରିଛନ୍ତି ।

(ରିପୋର୍ଟର- ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଓ ନିରଞ୍ଜନ ରେଡ୍ଡୀ)