ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଶୋଚନୀୟ ପରାଜୟ ପରେ ଖେଳାଳିଙ୍କ ପାଇଁ କଠୋର ହୋଇଛି ବିସିସିଆଇ । ଟିମ୍ ଇଣ୍ଡିଆ ପୁରୁଷ ଖେଳାଳିଙ୍କ ପାଇଁ ହୁଇପ୍ ଜାରି କରିଛି । ଏଣିକି ଘରୋଇ ମ୍ୟାଚ୍ ନ ଖେଳିଲେ ନ୍ୟାସନାଲ୍ ଟିମରେ ସ୍ଥାନ ନାହିଁ ବୋଲି ବୋର୍ଡ ସଫା ସଫା ଶୁଣେଇ ଦେଇଛି । ସେହିପରି ଟୁର୍ ବେଳେ ପରିବାର ସଦସ୍ୟଙ୍କ ସହ ଯାତ୍ରା ଉପରେ ବି କଟକଣା ଲଗାଇବା ସହ ୧୦ ପଏଣ୍ଟ ବିଶିଷ୍ଟ ଗାଇଡଲାଇନ୍ ଜାରି କରିଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ।
Also Read
ଅଧିକ ପଢ଼ନ୍ତୁ: ୪ ଖେଳାଳିଙ୍କୁ ମିଳିଲା ଖେଳରତ୍ନ ପୁରସ୍କାର, ପେଟକାରଙ୍କୁ ଜୀବନବ୍ୟାପୀ ପୁରସ୍କାର
ବିସିସିଆଇର 'ଗମ୍ଭୀର' ନିଷ୍ପତ୍ତି । ପରାଜୟ ପରେ କଠୋର ଲଗାମ୍ । ଚଳିବନି ଖେଳାଳିଙ୍କ ଷ୍ଟାରଡମ୍ । ଘରୋଇ କ୍ରିକେଟ୍ ଖେଳ, ନହେଲେ ଟିମରେ ଜାଗା ନାହିଁ । ୧୦ ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପରାଜୟ, ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ସ୍ବପ୍ନ ଧୂଳିସାତ୍ ପରେ ଖେଳାଳିଙ୍କୁ ଏଭଳି ଚମରବାଣୀ ଶୁଣାଇ ଦେଇଛି ବିସିସିଆଇ । କଠୋର ନିଷ୍ପତ୍ତି ସହ ଜାରି ହୋଇଛି ୧୦ ସୂତ୍ରୀ ବିଶିଷ୍ଟ ଗାଇଡଲାଇନ୍ । ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପରାମର୍ଶକ୍ରମେ ଏହି ଗାଇଡଲାଇନ୍ ଜାରି ହୋଇଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ଖେଳାଳିଙ୍କ ପାଇଁ ରହିଛି କଠୋର କଟକଣା । ପ୍ଲେୟାରଙ୍କ ବ୍ୟକ୍ତିଗତ ଆରାମ, ଟ୍ରାଭେଲ ପିଲିସି, ପରିବାରର ଉପସ୍ଥିତି ସହ ବ୍ୟକ୍ତିଗତ ବିଜ୍ଞାପନ ଉପରେ ବି ଅଙ୍କୁଶ ଲଗାଇଛି ବିସିସିଆଇ ।
କ’ଣ ରହିଛି ବିସିସିଆଇର ଏହି ୧୦ ସୂତ୍ରୀ ବିଶିଷ୍ଟ ଗାଇଡଲାଇନ୍
- ଖେଳାଳିଙ୍କ ପାଇଁ ଘରୋଇ କ୍ରିକେଟ୍ ବାଧ୍ୟତାମୂଳକ । ନିୟମ ନ ମାନିଲେ ଟିମରେ ସ୍ଥାନ ମିଳିବନି । ତେବେ ସ୍ଥଳ ବିଶେଷରେ ଏଥିରେ ପରିବର୍ତ୍ତନ ହୋଇପାରେ ।
- ୪୫ ଦିନରୁ ଅଧିକ ଯାତ୍ରା ସମୟରେ ପରିବାର ସଦସ୍ୟ ମାତ୍ର ୨ ସପ୍ତାହ ରହିବାକୁ ଅନୁମତି ମିଳିବ ।
- ସିରିଜ୍ ଚାଲୁଥିବା ସମୟରେ କୌଣସି ଖେଳାଳି ବ୍ୟକ୍ତିଗତ ବିଜ୍ଞାପନ ଦେଇପାରିବେ ନାହିଁ ।
- ଯଦି ମ୍ୟାଚ୍ ଶୀଘ୍ର ଶେଷ ହୋଇଯାଏ ତେବେ ଖେଳାଳିଙ୍କୁ ଶୀଘ୍ର ଯିବାକୁ ଅନୁମତି ମିଳିବନି ।
- ଯାତ୍ରା ସମୟରେ ଖେଳାଳିଙ୍କୁ ଅଲଗା ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ । ସେମାନେ ଟିମ୍ ସହିତ ହିଁ ଯାତ୍ରା କରିବେ ।
- ନିର୍ଦ୍ଧାରିତ ସମୟରେ ଟିମ୍ ସହିତ ଖେଳାଳିମାନେ ଅଭ୍ୟାସ କରିବେ
- ଯଦି କୌଣସି ଖେଳାଳି ୧୫୦ କିଲୋଗ୍ରାମରୁ ଅଧିକ ଲଗେଜ୍ ନିଅନ୍ତି ତେବେ ସେମାନଙ୍କୁ ହିଁ ଅତିରିକ୍ତ ରାଶି ଦେବାକୁ ପଡ଼ିବ ।
- ଖେଳାଳିଙ୍କୁ ବ୍ୟକ୍ତିଗତ କର୍ମଚାରୀ, ପର୍ସନାଲ୍ ରୋଷେୟା ଏବଂ ସୁରକ୍ଷାକର୍ମୀଙ୍କୁ ସାଥିରେ ନେବା ସମ୍ପୂର୍ଣ୍ଣ ମନା ।
- ବିସିସିଆଇର ସମସ୍ତ କାର୍ଯ୍ୟକ୍ରମରେ ଖେଳାଳିମାନେ ଉପସ୍ଥିତ ରହିବା ବାଧ୍ୟତାମୂଳକ
- ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ସରଞ୍ଜାମ ଓ ବ୍ୟକ୍ତିଗତ ଜିନିଷ ପଠାଇବା ନେଇ ଖେଳାଳିମାନେ ଦଳ ପରିଚାଳନା ସହିତ ସମନ୍ବୟ ରକ୍ଷା କରିବେ ।
ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଭାରତର ହ୍ବାଇଟ୍ ୱାସ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରାଜୟ ପରେ ଟିମରେ ମଧ୍ୟରେ ସବୁକିଛି ଠିକ୍ ଚାଲିନଥିବା ଚର୍ଚ୍ଚା ହେଉଥିଲା । ଦଳରେ ଶୃଙ୍ଖଳା ସହ ଖେଳାଳିଙ୍କୁ ଏକତ୍ରିତ କରି ରଖିବାକୁ ଏହି ଗାଇଡଲାଇନ ଜାରି ହୋଇଥିବା କୁହାଯାଉଛି । ତେବେ ଦଳକୁ ଆଗକୁ କେତେ ଶୃଙ୍ଖଳିତ କରୁଛି ଏବଂ ଖେଳାଳିଙ୍କ ପ୍ରଦର୍ଶନ ଉପରେ କେତେ ପ୍ରଭାବ ପକାଉଛି ତାହା ସମୟ କହିବ ।