ଦେଶଠୁ ବିଦେଶ ଯାଏ ଚର୍ଚ୍ଚା ହେଉଛି ବାରବାଟୀ ଷ୍ଟାଡିୟମରେ ଖେଳ ବେଳେ ବିଦ୍ୟୁତ କଟିବା ଘଟଣା । ଏହି ଘଟଣା ଜାତୀୟ ସ୍ତରରେ ଓଡ଼ିଶାର ଛବିକୁ ମଳିନ କରିଥିବା ସବୁଆଡେ ଆଲୋଚନା ହେଉଛି । ରାଜ୍ୟ ସରକାର ଓସିଏକୁ କାରଣଦର୍ଶାଅ ନୋଟିସ୍ ଜାରି କରିଛନ୍ତି । କହିଛନ୍ତି, ୧୦ ଦିନ ଭିତରେ ନୋଟିସ୍ ଦିଅ । ଓସିଏ ପକ୍ଷରୁ ସରକାରଙ୍କୁ ରିପୋର୍ଟ ମଧ୍ୟ ଦିଆଯିବ । କେଉଁ କାରଣ ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହେଲା, ତାହା ରିପୋର୍ଟରେ ସ୍ଥାନ ପାଇବ । ତେବେ ଏହି ଘଟଣାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି ।
ଓସିଏ ସଂପାଦକ ସଞ୍ଜୟ ବେହେରା ଖେଳ ପରେ ପରେ କହିଥିଲେ ଯେ, ଖେଳାଳିଙ୍କ ଗାଡ଼ିର ଡ୍ରାଇଭର୍ ଖେଳ ଦେଖିବା ପାଇଁ ଷ୍ଟାଡିୟମ୍ ଭିତରକୁ ଚାଲିଯାଇଥିଲେ । ସେ ଗାଡ଼ି ପାଖରେ ନଥିଲେ । ତାଙ୍କୁ ଫୋନ୍ କରି ଡକାଯିବା ପରେ ସେ ଆସିଥିଲେ । ଜେନେରେଟର୍ ପାଖରେ ଖେଳାଳିଙ୍କ ବସ୍ ଥିବାରୁ ଷ୍ଟାଣ୍ଡବାଏ ଜେନେରେଟର ନେବାରେ ବିଳମ୍ୱ ହୋଇଥିଲା ବୋଲି ସେ କହିଥିଲେ ।
Also Read
ସାଧାରଣତଃ ଖେଳାଳିମାନେ ଯାଉଥିବା ଗାଡ଼ିର ସୁରକ୍ଷା ଦାୟିତ୍ୱରେ ପୋଲିସ କର୍ମଚାରୀ ଥାଆନ୍ତି । ହୋଟେଲରୁ ଯାଇ ଷ୍ଟାଡିୟମରେ ପହଞ୍ଚିବା ପରେ ଗାଡ଼ିରେ ସୁରକ୍ଷା ଦୃଷ୍ଟିରୁ କେହି ରହିନଥାନ୍ତି । ଖେଳାଳିମାନଙ୍କର କିଛି ଜିନିଷପତ୍ର ଥାଏ । ଡ୍ରାଇଭର ଓ ହେଲପରଙ୍କ ପାଇଁ ସ୍ଥିରୀକୃତ ହୋଇଥିବା ୱେଟିଂରୁମରେ ସେମାନେ ବସନ୍ତି । ପୁଣି ଖେଳ ସରିବା ପରେ ଖେଳାଳିଙ୍କୁ ଧରି ଭୁବନେଶ୍ୱର ଆସନ୍ତି । ଯଦି ଡ୍ରାଇଭର୍ ୱେଟିଂରୁମରୁ ଯାଇ ଅନ୍ୟ କେଉଁଠି ଥିଲେ, ବ୍ୟବସ୍ଥାରେ କିଛି ତ୍ରୁଟି ଥିଲା କି ? ଷ୍ଟାଡିୟମରେ ବସ୍ କେଉଁ ସ୍ଥାନରେ ରହିବ, ତାହା ମଧ୍ୟ ଆଗରୁ ନିର୍ଦ୍ଧାରିତ ହୋଇଥାଏ ।
ଏଠି ପ୍ରଶ୍ନ ଉଠୁଛି, ଷ୍ଟାଣ୍ଡବାଏ ଜେନେରେଟର୍ ପାଇଁ କାହିଁକି ପ୍ୟାସେଜ୍ ବ୍ୟବସ୍ଥା ହୋଇନଥିଲା ? କୁହାଯାଉଛି, କିଛି ଦୂରରେ ଥିଲା ଷ୍ଟାଣ୍ଡବାଏ ଜେନେରେଟର୍ । ଗାଡ଼ିରେ ଏହି ଜେନେରେଟରକୁ ଆଣିବା ବେଳେ ବାଟରେ ଛିଡା ହୋଇଥିଲା ବସ୍ । ତେଣୁ ଖୋଜାପଡିଲା ବସ୍ ଡ୍ରାଇଭରଙ୍କୁ । ସେ କୁଆଡେ ଖେଳ ଦେଖିବା ପାଇଁ ଷ୍ଟାଡିୟମ୍ ଭିତରେ ଥିଲେ । ତାଙ୍କୁ ଫୋନ୍ କରାଗଲା ପରେ ସେ ଆସିଲେ । ବସକୁ ସାଇଡ୍ କଲେ । ତା ପରେ ଜେନେରେଟର୍ ଗଲା । ଏହି ପ୍ରକ୍ରିୟା ଭିତରେ ପ୍ରାୟ ୨୪ ମିନିଟ୍ ବିଳମ୍ୱ ହୋଇଥିଲା ।
ଅଧିକ ପଢ଼ନ୍ତୁ : ବାରବାଟୀ ଅନ୍ଧାର କଳଙ୍କ ପାଇଁ କିଏ ଦାୟୀ ? OCAକୁ ସୋ’ କଜ୍ ନୋଟିସ୍ କଲା ରାଜ୍ୟ କ୍ରୀଡ଼ା ବିଭାଗ
ଏହି ଘଟଣା ପରିଚାଳନାଗତ ତ୍ରୁଟିକୁ ସାମନାକୁ ଆଣିଛି । ହଠାତ୍ ଲାଇଟ୍ ଲିଭିଯିବା ଏକ ଯାନ୍ତ୍ରୀକ ତ୍ରୁଟି । ଖେଳର ସାତ ଦିନ ପୂର୍ବରୁ ଜେନେରେଟର୍ ଚଲାଯାଇ ଷ୍ଟାଡିୟମକୁ ଆଲୋକିତ କରାଯାଉଥିଲା । ଡିଜେଲରେ ଚାଲେ ଏହି ସବୁ ଜେନେରେଟର । ୮ଟି ଯାକ ଜେନେରେଟର୍ ଠିକଠାକ୍ ଚାଲିଥିଲା ବୋଲି କୁହାଯାଉଛି । ଗୋଟିଏ ଜେନେରେଟର ଗୋଟିଏ ଫ୍ଲଡଲାଇଟ୍ ପୋଷ୍ଟକୁ ବିଦ୍ୟୁତ ଯୋଗାଇଥାଏ । ଗୋଟିଏ ପୋଷ୍ଟରେ ଥାଏ ୪୮ଟି ଏଲଇଡି ବଲ୍ବ । ଏହି ଜେନେରେଟର ବ୍ୟତୀତ ଷ୍ଟାଣ୍ଡବାଏ ଜେନେରେଟର ମଧ୍ୟ ଷ୍ଟାଡିୟମରେ ଅଛି ।
କେହି କେହି କହୁଛନ୍ତି, ଖେଳ ବେଳେ ଜେନେରେଟରର ତାର ପୋଡିଯାଇଥିଲା । ଅର୍ଥାତ ଲୋଡ୍ ନେଇନଥିଲା ଜେନେରେଟର୍ । ଏହି ତାରର ମାନ ପୂର୍ବରୁ ଯାଞ୍ଚ ହେବାର ଥିଲା ବୋଲି ଅନେକ ମତ ଦେଉଛନ୍ତି । ଏତେ ବଡ ଆୟୋଜନରେ ଜେନେରେଟର ପାଖରେ କାହିଁକି ନଥିଲା ଷ୍ଟାଣ୍ଡବାଏ ଜେନେରେଟର୍ । ତାହା ହିଁ ଏକ ବଡ଼ ପ୍ରଶ୍ନ । ଖେଳ ପୂର୍ବରୁ ବିଭିନ୍ନ କମିଟି ଗଠନ କରାଯାଇଛି । କମିଟିଗୁଡିକୁ ଭିନ୍ନ ଭିନ୍ନ କାମ ଦିଆଯାଇଛି । ଫ୍ଲଡଲାଇଟ୍ ଓ ବିଦ୍ୟୁତୀକରଣ ଦାୟିତ୍ୱରେ ମଧ୍ୟ ଏକ କମିଟି ରହିଛି । ଏହି କମିଟି ଖେଳ ପୂର୍ବରୁ କେବଳ ଲାଇଟ୍ ଜଳାଇ ଟେଷ୍ଟ କରିଥିଲା ନା ଅନ୍ୟାନ୍ୟ ବିଷୟର ବି ଯାଞ୍ଚ କରିଥିଲା ନା କର୍ମଚାରୀଙ୍କ ଉପରେ ସବୁ କିଛି ଛାଡି ଦେଇଥିଲା, ତାହା ସ୍ପଷ୍ଟ ହୋଇନାହିଁ । କେଉଁଠି ରହିଲା ଭୁଲ୍ ? ଯାହା ପାଇଁ ବଦନାମ୍ ହେଲା ଓଡ଼ିଶା । ଏହାର ବିଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି ଅନେକ କ୍ରିକେଟପ୍ରେମୀ ଦାବି କରିଛନ୍ତି ।
ବାରବାଟୀ ଷ୍ଟାଡିୟମରେ ୨୨ ବର୍ଷ ତଳେ ପ୍ରଥମେ ଲାଗିଥିଲା ଫ୍ଲଡଲାଇଟ୍ । ଫେଲ୍ ମାରିଥିବା ଜେନେରେଟର ପୁରୁଣା ଜେନେରେଟର ନା ନୂଆ ଜେନେରେଟର୍ । ଏହି ଜେନେରେଟର ଗୁଡିକର ମେଣ୍ଟେନାନ୍ସ ଠିକରେ ହେଉଥିଲା ନା ନାହିଁ ? ଏମିତି ଘଟଣା ପ୍ରଥମ ଥର ଘଟି ନାହିଁ ତେବେ ସାଧାରଣତଃ ଫ୍ଲଡ ଲାଇଟ ବନ୍ଦ ହେବାର ୫-୧୦ ମିନିଟରେ ଏହାକୁ ଠିକ କରାଯାଇଥାଏ। ମାତ୍ର ପ୍ରାୟ ଅଧଘଣ୍ଟାଏ ଧରି ଫ୍ଲଡ ଲାଇଟ ପାଇଁ ଖେଳ ବନ୍ଦ ରହିବା ନିଶ୍ଚିତ ଭାବରେ ଅସ୍ବାଭାବିକ ଘଟଣା। ବିଗତ ୨୦ ବର୍ଷ ଭିତରେ ଏମିତି ଘଟଣା କେବେ ଘଟିନଥିଲା । ଏବେ କାହିଁକି ଘଟିଲା ? ଏ ସଂପର୍କରେ ଓସିଏ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।