• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

୧୯୮୬ରେ ଡିଏଗୋ ମୋରୋଡୋନା ଆଉ ୨୦୨୨ରେ ଲିଓନେଲ୍ ମେସି । ରବିବାର ସଂଧ୍ୟାରେ ଦୋହାର ଲୁସୈଲ୍ ଷ୍ଟାଡିୟମରେ ମେସିଙ୍କ ଯାଦୁ ଚାଲିଲା ତ ଆର୍ଜେଣ୍ଟିନାକୁ ମିଳିଲା ତାର ତୃତୀୟ ତଥା ସ୍ୱପ୍ନର ବିଶ୍ୱକପ୍ । ଆଉ ତା’ପରେ ଆର୍ଜେଣ୍ଟିନାର ରାଜଧାନୀ ବୁଏନସ୍ ଆଏରିସରେ ସେଲିବ୍ରେସନର ଦୃଶ୍ୟ ଦେଖିବାକୁ ମିଳିଛି । ପୂରା ଦେଶ ନାଚଗୀତରେ ମସଗୁଲ୍ । କାରଣ ୩୬ ବର୍ଷ ପରେ ସାକାର ହୋଇଛି ସ୍ୱପ୍ନ । ଖାଲି ଆର୍ଜେଣ୍ଟିନା ନୂହେଁ, ଭାରତଠାରୁ ନେଇ ବିଶ୍ୱର କୋଣ ଅନୁକୋଣରେ ମେସି ଫ୍ୟାନ୍ ଗତକାଲିଠାରୁ ଖୁସିରେ ଝୁଲୁଛନ୍ତି । ଆର୍ଜେଣ୍ଟିନା ସାଜିଛି ୨୦୨୨ ଫିଫା ବିଶ୍ୱକପ୍ ଚାମ୍ପିଅନ୍ ।

ଫ୍ୟାନ୍ସଙ୍କ ଠାରୁ ନେଇ ଫୁଟବଲ୍ କିମ୍ବଦନ୍ତୀଙ୍କ ଯାଏଁ, ଗତକାଲି ଫିଫା ଫିନାଲେକୁ ଫୁଟବଲ ଇତିହାସର ସର୍ବଶ୍ରେଷ୍ଠ ମ୍ୟାଚ୍ ବୋଲି କହୁଛନ୍ତି । କାରଣ କାଲିର ମ୍ୟାଚ୍ କେତେବେଳେ କନ୍ଦାଉଥିଲା ତ କେବେ କରୁଥିଲା ଖୁସି । ପ୍ରତି ମୁହୂର୍ତ୍ତରେ ବଦଳୁଥିଲା ସ୍ଥିତି । ମେସିଙ୍କ ପ୍ରଥମ ଗୋଲ୍ ଓ ଡି ମାରିଆଙ୍କ ଗୋଲ୍ ଆର୍ଜେଣ୍ଟିନାକୁ ପ୍ରଥମାର୍ଦ୍ଧରେ ୨-୦ରେ ଆଗୁଆ ରଖିଥିଲା ।

ଅଧିକ ପଢ଼ନ୍ତୁ: ବିଜୟ ପରେ କାନ୍ଦି ପକାଇଲେ ମେସି, ଦେଖନ୍ତୁ ଭିଡିଓ...

କିନ୍ତୁ ଫ୍ରେଞ୍ଚ୍ ଷ୍ଟ୍ରାଇକର୍ କିଲିଅନ୍ ଏମ୍ବାପେଙ୍କ ଡବଲ୍ ଗୋଲ୍ ଫ୍ରାନ୍ସକୁ ବି ଆଶା ଦେଇଥିଲା । ମ୍ୟାଚ୍ ଏକ୍ସଟ୍ରା ଟାଇମ୍‌ରେ ବି ସରିଲାନି ଓ ଶେଷରେ ପେନାଲ୍ଟି ସୁଟ୍ ଆଉଟ୍‌ରେ ଏମି ମାର୍ଟିନେଜ୍‌ଙ୍କ ଚମତ୍କାର ଗୋଲ୍ କିପିଂ ଆର୍ଜେଣ୍ଟିନାକୁ ବିଶ୍ୱବିଜୟୀ କରାଇଥିଲା ।

କାତାର ବିଶ୍ୱକପ୍‌ରେ ଆର୍ଜେଣ୍ଟିନା, ଦୁର୍ବଳ ସାଉଦି ଆରବ ଠାରୁ ପ୍ରଥମ ଲିଗ୍ ମ୍ୟାଚ୍ ହାରିବା ପରେ ମେସି ଓ ଆର୍ଜେଣ୍ଟିନାର ବିଶ୍ୱକପ୍ ଜିତିବା ସ୍ୱପ୍ନ କାହିଁ ଅବାସ୍ତବ ଭଳି ଲାଗୁଥିଲା ! କିନ୍ତୁ ତା ପରଠାରୁ ତାଙ୍କ ଟିମ୍ ଗୋଟିଏ ସୁଯୋଗ ବି ହାତଛଡ଼ା ନକରି ଫାଇନାଲ୍‌ରେ ଡିଫେଣ୍ଡି ଚାମ୍ପିଅନ୍ ଫ୍ରାନ୍ସକୁ ମାତ୍ ଦେଇ ଚାମ୍ପିଅନ୍ ସାଜିଛନ୍ତି । 

ବିଶ୍ୱକପ୍‌ରେ ଗୋଲ୍ଡେନ୍ ବଲ୍ ଜିତିଥିବା ମେସି ବିଶ୍ୱକପ୍ ଇତିହାସର ସବୁଠୁ ଅଧିକ ୨୬ ମ୍ୟାଚ୍ ଖେଳିଥିବା ଖେଳାଳି ସାଜିଛନ୍ତି ।  ଫାଇନାଲ୍‌ରେ ମେସିଙ୍କ ଦୁଇ ଗୋଲ୍ ବଳରେ ୭ ଗୋଲ୍ ସହ ମେସି ସାଜିଛନ୍ତି ବିଶ୍ୱକପର ଦ୍ୱିତୀୟ ସର୍ବାଧିକ ଗୋଲ୍ ସ୍କୋରର୍ । ଫ୍ରେଞ୍ଚ୍ ଷ୍ଟ୍ରାଇକର୍ କିଲିଅନ୍ ଏମ୍ବାପେ ୮ ଗୋଲ୍ ସହ ତାଙ୍କ ଉପରେ ରହିଛନ୍ତି ।

୧୮ ବର୍ଷ ବୟସରେ ୨୦୦୬ରେ ଯେବେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା ଜର୍ସିରେ ଲିଓନେଲ୍ ମେସି ପଡ଼ଇାକୁ ଓହ୍ଲାଇଥିଲେ । ସେବେ ମହାନ୍ ଡିଏଗୋ ମାରାଡୋନା କହିଥିଲେ, ଏ ହେଉଛି ମୋର ଦାୟଦ, ଏ ଆର୍ଜେଣ୍ଟିନାକୁ ବିଶ୍ୱକପ୍ ଜିତାଇବ । ସେବେଠୁ ମେସି ୪ଟି ବିଶ୍ୱକପ୍ ଖେଳିସାରିଥିଲେ । କିନ୍ତୁ ଆର୍ଜେଣ୍ଟିନାକୁ ବିଶ୍ୱ ବିଜେତା କରାଇବାରେ ବିଫଳ ହୋଇଥିଲା । କିନ୍ତୁ ଏଥର ନିଜ ୫ମ ବିଶ୍ୱକପ୍ ପଦାର୍ପଣରେ ମେସିଙ୍କ ଯାଦୁ ଚାଲିବାରୁ ଆର୍ଜେଣ୍ଟିନା ହେଲା ବିଶ୍ୱ ଚାମ୍ପିଅନ୍ ।

କୁହାଯାଉଥିଲା କି କାତାର ବିଶ୍ୱକପ୍ ମେସିଙ୍କ କ୍ୟାରିଅରର ଶେଷ ବିଶ୍ୱକପ୍ ହେବ । କିନ୍ତୁ ମ୍ୟାଚ୍ ଜିତିବା ପରେ ଖୁସିରେ ଝୁମୁଥିବା ମେସି କହିଛନ୍ତି, ଦେଶ ପାଇଁ ଖେଳିବା ଏବେ ବାକି ଅଛି ।