• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଷ୍ଟ୍ରେଲିଆ କ୍ରିକେଟ୍‌ ଉପରେ ସତେ ଯେମିତି କଳା ବାଦଲ ଛାଇ ରହିଛି । ଅଷ୍ଟ୍ରେଲିଆ ପାଇଁ ପୁଣି ଏକ ଦୁଃଖଦ ଖବର । ଦୁଇ ମାସ ବ୍ୟବଧାନରେ ଦୁଇ ଜଣ କିମ୍ବଦନ୍ତି କ୍ରିକେଟରଙ୍କୁ ହରାଇବା, ଅଷ୍ଟ୍ରେଲିଆ ପାଇଁ ଏକ ବଡ଼ କ୍ଷତି କହିଲେ ଭୁଲ ହେବ ନାହିଁ । ଗତ ମାର୍ଚ୍ଚରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତି କ୍ରିକେଟର ସେନ୍‌ ୱର୍ଣ୍ଣଙ୍କୁ ଦେଶ ହରାଇଥିବା ବେଳେ ଏବେ ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କୁ ହରାଇଛି । ସାଇମଣ୍ଡସଙ୍କ ମୃତ୍ୟୁରେ ଅଷ୍ଟ୍ରେଲିଆ କ୍ରିକେଟ୍‌, ସତେ ଯେମିତି ସ୍ତବ୍ଧ ହୋଇଯାଇଛି । ସାଇମଣ୍ଡସଙ୍କ ଫ୍ୟାନ୍‌ମାନେ ତାଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପୋଷ୍ଟ କରୁଛନ୍ତି । ଏହି ମହାନ କ୍ରିକେଟରଙ୍କ ବିୟୋଗ କ୍ରିକେଟ ଜଗତ ପାଇଁ ବି ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । 

ଗତ ମାର୍ଚ୍ଚ ମାସ ୪ ତାରିଖରେ ସେନ ୱର୍ଣ୍ଣଙ୍କ ପରଲୋକ ଘଟିଛି । ମାତ୍ର ୫୨ ବର୍ଷ ବୟସରେ ଥାଇଲାଣ୍ଡରେ ହୃଦଘାତରେ ସେନ ୱର୍ଣ୍ଣଙ୍କ ପରଲୋକ ଘଟିଛି । ଯାଦୁଗରୀ ସ୍ପିନ୍ ବୋଲିଂ ପାଇଁ ବିଖ୍ୟାତ ଥିଲେ ସେନ ୱର୍ଣ୍ଣ । ଉଭୟ ଟେଷ୍ଟ ଓ ଦିନିକିଆରେ ମୋଟ ୧୦୦୧ ୱିକେଟ ନେଇଛନ୍ତି । ଟେଷ୍ଟରେ ୭୦୮ ଓ ଦିନିକିଆରେ ୨୯୩ ୱିକେଟ ମଧ୍ୟ ହାସଲ କରିଛନ୍ତି ୱର୍ଣ୍ଣ ।

ଅନ୍ୟପଟେ ଶନିବାର ରାତିରେ ସଡ଼କ ଦୁର୍ଘଟଣାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ର୍ୟୁ ସାଇମଣ୍ଡସ୍‌ଙ୍କ ପରଲୋକ ଘଟିଛି । କାର୍ ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ସାଇମଣ୍ଡସ । ମାତ୍ର ୪୬ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଛି । ଅଷ୍ଟ୍ରେଲିଆ ପାଇଁ ୨୬ ଟେଷ୍ଟ, ୧୯୮ ଦିନିକିଆ ଓ ୧୪ ଟି-ଟ୍ୱେଣ୍ଟି ଖେଳିଥିଲେ ସାଇମଣ୍ଡସ୍‌ ।

ଶନିବାର ରାତିରେ ଟାଉନସବିଲି ସହରରେ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ରାତି ୧୦.୩୦ ସମୟରେ ହାର୍ଭେ ରେଞ୍ଜ ରୋଡରେ କାରରେ ଯିବା ବେଳେ ଏକ ବ୍ରିଜ ନିକଟରେ ତାଙ୍କ କାର ଓଲଟି ପଡିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା, ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସାମଣ୍ଡ୍‌ସ ଦୁଇ ଥର ବିଶ୍ୱକପ ବିଜୟୀ ଦଳରେ ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କର ଅକାଳ ମୃତ୍ୟୁରେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଗଭୀର ଶୋକ ବ୍ୟକ୍ତ କରିଛି । 

ସେହିଭଳି ସେନ୍‌ ୱର୍ଣ୍ଣଙ୍କ ପାଇଁ ମଧ୍ୟ ଅଷ୍ଟ୍ରେଲିଆ କ୍ରିକେଟ୍ ଗଭୀର ଶୋକ ବ୍ୟକ୍ତ କରିଥିଲା । ୱର୍ଣ୍ଣଙ୍କ ଟେଷ୍ଟ କ୍ରିକେଟ୍‌ କ୍ୟାରିଅର ଉପରେ ଯଦି ନଜର ପକାଇବା, ତେବେ ଟେଷ୍ଟ୍ ମ୍ୟାଚ୍‌ରେ ସେନ୍ ୱାର୍ଣ୍ଣଙ୍କ ବୋଲିଂ ଆଭରେଜ ୨୫.୪୧ ରହିଥିଲା । ସେହିଭଳି ଦିନିକିଆରେ ଏହା ୨୫.୭୩ ରହିଥିଲା । ସେ ଟେଷ୍ଟ୍ ମ୍ୟାଚ୍‌ରେ ୩୭ ଥର ୫ଟି ୱିକେଟ୍ ନେଇଥିଲେ । ୭୧ ରନ୍‌ରେ ୮ ୱିକେଟ୍‌ ଥିଲା ଏହି ଫର୍ମାଟ୍‌ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ । ସେହିପରି ଦିନିକିଆରେ ୩୩ ରନ୍‌ରେ ୫ଟି ୱିକେଟ୍‌ ଥିଲା ଶ୍ରେଷ୍ଠ ପ୍ରଦର୍ଶନ । ତାଙ୍କ ପରଲୋକ କ୍ରିକେଟ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।