• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଫାଇନାଲରେ ପହଞ୍ଚିଛି ଦକ୍ଷିଣ ଆଫ୍ରିକା । ଅତି ଦୟନୀୟ ପ୍ରଦର୍ଶନ କରି ସେମି ଫାଇନାଲରୁ ବିଦା ହୋଇଛି ଆଫଗାନିସ୍ତାନ । ମାତ୍ର ୫୭ ରନ୍‌ର ଟାର୍ଗେଟ ଦେଇଥିଲା ଆଫଗାନିସ୍ତାନ । ଯାହାକୁ ଅତି ସହଜରେ ହାସଲ କରିନେଇଥିଲା ଦକ୍ଷିଣ ଆଫ୍ରିକା । ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ଦ. ଆଫ୍ରିକା ଟିମ୍‌ ।

ଏହା ସହ କୌଣସି ବିଶ୍ୱକପରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଦ. ଆଫ୍ରିକା । ତିନିଦାଦର ତରୋବାର ବ୍ରିୟାନ ଲାରା ଷ୍ଟାଡ଼ିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍ ଜିତିବା ପରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହା ଭୁଲ ପ୍ରମାଣିତ ହୋଇଥିଲା ।

ଆଫଗାନିସ୍ତାନ କରିଥିବା ଏହି ସ୍କୋର ଦଳଗତ ଭାବେ ଏକ ବିଶ୍ୱକପ୍‌ର ସେମିଫାଇନାଲ ଇତିହାସରେ ସର୍ବନିମ୍ନ ସ୍କୋର ହୋଇଛି । ଏହା ସହ ଆଫଗାନିସ୍ତାନ ପାଇଁ ମଧ୍ୟ ଏହା ଲଜ୍ଜା ପାଲଟିଛି । ଟି-୨୦ ଇତିହାସରେ ଦଳଗତ ଭାବେ ସର୍ବନିମ୍ନ ସ୍କୋର କରିଛି ଆଫଗାନିସ୍ତାନ । ତେବେ ଦଳର ଏପରି ପ୍ରଦର୍ଶନ ପାଇଁ ଭାରତକୁ ସିଧାସଳଖ ଦାୟୀ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ।

ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିବା ଆଫଗାନିସ୍ତାନ ସେମିଫାଇନାଲରେ ଆସି ଏପରି ପ୍ରଦର୍ଶନ ଦେବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ । ଏଣୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଏଥିପାଇଁ ସିଧାସଳଖ ଭାରତକୁ ଦାୟୀ କରିଛନ୍ତି ।

ସୋସିଆଲ ମିଡିଆରେ ପୋଷ୍ଟ କରି ଭନ୍ କହିଛନ୍ତି ଯେ, ଟି-୨୦ ବିଶ୍ୱକପ୍ ସେମିଫାଇନାଲର କାର୍ଯ୍ୟସୂଚୀ ଆଫଗାନିସ୍ତାନକୁ ତ୍ରିନିଦାଦରେ ଖେଳିବା ପାଇଁ ପ୍ରସ୍ତୁତି କରିବାକୁ ସୁଯୋଗ ଦେଇନଥିଲା । ଗତ ମ୍ୟାଚ୍‌ରେ ଦଳ ଜିତିବା ପରେ ତ୍ରିନିଦାଦ ଆସିବାର ଥିଲା । ଏହା ସହ ଫ୍ଲାଇଟ୍ ୪ ଘଣ୍ଟା ବିଳମ୍ବ ଥିଲା ।

ଫଳରେ ନୂଆ ଭେନ୍ୟୁ ଓ ନୂଆ ପରିବେଶରେ ଖେଳିବା ପାଇଁ ଖେଳାଳିମାନେ ପ୍ରସ୍ତୁତ ହୋଇପାରିନଥିଲେ । ସେମିଫାଇନାଲ ପୂର୍ବରୁ ଦଳକୁ ଅତି କମ୍‌ରେ ଗୋଟାଏ ଦିନ ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି ବୋଲି ଭନ୍ କହିଛନ୍ତି । ଏହା ସହ ଭାରତକୁ ଦାୟୀ କରି ଭନ୍ କହିଛନ୍ତି, ପ୍ରଥମେ ସେମିଫାଇନାଲ୍ ଗୁଆନାରେ ଖେଳାଯିବା ଉଚିତ୍ ଥିଲା । କିନ୍ତୁ ଏହି କାର୍ଯ୍ୟସୂଚୀକୁ ଭାରତ ସମର୍ଥନ କରୁଥିବାରୁ ଏହାକୁ ଆଉ ବଦଳା ଗଲା ନାହିଁ ।

ଭନ୍ କହିଛନ୍ତି ଯେ, କେବଳ ଭାରତକୁ ଦେଖି ଏପରି ବିଚାର କରାଯାଇଥିବାରୁ ଏହା ଅନ୍ୟ ଦଳମାନଙ୍କ ପ୍ରତି ଅନ୍ୟାୟ ହୋଇଛି । ଆଜି ଭାରତୀୟ ସମୟ ସନ୍ଧ୍ୟା ୮ଟାରେ ଇଂଲଣ୍ତ ସହ ସେମିଫାଇନାଲ ଖେଳିବ ଭାରତ ।

OTV is now on Whatsapp

Join and get latest news update delivered to you via whatsapp

Join Now