• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

୨୦୧୪, ଆଜିର ଦିନରେ .. ସ୍ତବ୍ଧ ହୋଇ ଯାଇଥିଲା ସମ୍ପୂର୍ଣ୍ଣ କ୍ରିକେଟ୍ ଜଗତ । ବିଚଳିତ ହୋଇ ଯାଇଥିଲେ ସମସ୍ତେ । ଅଷ୍ଟ୍ରେଲୀୟ ବ୍ୟାଟର ଫିଲିପ୍ସ ହ୍ୟୁଗ୍ସଙ୍କ ଦୁଃଖଦ ମୃତ୍ୟୁ ବିଶ୍ୱକୁ ବିବ୍ରତ କରି ପକାଇଥିଲା । ଏକ ଘରୋଇ ମ୍ୟାଚ୍‌ରେ ସଚିନ ଆବୋଟ୍ଟଙ୍କ ଦ୍ୱାରା ପକା ଯାଇଥିବା ଡେଲିଭରି ତାଙ୍କ ବେକର ଉପର ମୁଣ୍ଡରେ ବାଜିଥିଲା । ବଲଟି ଏତେ ଭୟଙ୍କର ଭାବେ ବାଜିଥିଲା ଯେ, ଫିଲିପ୍ସଙ୍କ ଜୀବନ ଚାଲି ଯାଇଥିଲା । ନଭେମ୍ବର ୨୭ ରେ, ନିଜ ଜନ୍ମଦିନର ମାତ୍ର ୩ ଦିନ ପୂର୍ବରୁ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଫିଲିପ୍ସ । ଏହା ସହ କ୍ରିକେଟରେ ଯୋଡ଼ି ହୋଇ ଯାଇଥିଲା ଏ ଛାତି ଥରା ଘଟଣା ।

ସେଦିନ ମ୍ୟାଚ ଦକ୍ଷିଣ ଅଷ୍ଟ୍ରେଲିଆ ଓ ନ୍ୟୁ ସାଉଥ ୱେଲ୍ସ ମଧ୍ୟରେ ଚାଲିଥିଲା । ଦକ୍ଷିଣ ଅଷ୍ଟ୍ରେଲିଆ ପାଇଁ ବ୍ୟାଟିଂ କରୁଥିବା ବେଳେ ବଲ ଆସି ହ୍ୟୁଗ୍ସଙ୍କ ହେଲମେଟ ତଳେ ବାଜିଥିଲା । ସେତେ ପର୍ଯ୍ୟନ୍ତ ସେ ନିଜର ଅର୍ଧଶତକ ହାସଲ କରି ସାରିଥିଲେ । ୬୩ ରେ ବ୍ୟାଟିଂ କରୁଥିବା ବେଳେ ବାଉନ୍ସରର ସମ୍ମୁଖୀନ ହୋଇଥିଲେ ।

ବଲ ବାଜିବା ପରେ ମସ୍ତିଷ୍କ ଭିତରେ ପ୍ରବଳ ରକ୍ତସ୍ରାବ ହେବାରୁ ଅଚେତ ହୋଇ ଯାଇଥିଲେ ସେ । ନିଜର ୨୬ ତମ ଜନ୍ମଦିନର ମାତ୍ର ଏକ ସପ୍ତାହ ପୂର୍ବରୁ ଏ ଘଟଣା ଘଟିଥିଲା, ଯାହା ସମଗ୍ର କ୍ରିକେଟ ଜଗତକୁ ସ୍ତବ୍ଧ କରି ଦେଇଥିଲା । ସେଣ୍ଟ ଭିନ୍ସେଣ୍ଟ ହସ୍ପିଟାଲରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

୨୦୦୯ ମସିହାରେ ଫିଲିପ୍ସ ମାତ୍ର ୨୦ ବର୍ଷ ବୟସରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ । ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ । ପ୍ରୋଟିସ୍ ବିପକ୍ଷ ସେହି ମ୍ୟାଚର ଦ୍ୱିତୀୟ ଇନିଂସରେ ହ୍ୟୁଜ୍ ୭୫ ର ଚମତ୍କାର ପାଳି ଖେଳିଥିଲେ । ପରେ ପରେ ସେ ଗୋଟିଏ ଟେଷ୍ଟ ମ୍ୟାଚରେ ଦୁଇଟି ଶତକ ଲଗାଇବାର ସର୍ବ କନିଷ୍ଠ ଖେଳାଳି ହୋଇଥିଲେ ।

ତାଙ୍କର ଦିନିକିଆ ଡେବ୍ୟୁ ଜାନୁଆରୀ ୨୦୧୩ ରେ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷରେ ହୋଇଥିଲା । ଆରୋନ ଫିଞ୍ଚଙ୍କ ସହ ଓପନର୍ ଭାବରେ ବ୍ୟାଟିଂ କରିବାକୁ ଆସିଥିବା ହ୍ୟୁଜ ଶ୍ରୀଲଙ୍କା ବିପକ୍ଷରେ ଶତକ ଅର୍ଜନ କରିଥିଲେ । ୧୧୨ କରିଥିବା ହ୍ୟୁଗ୍ସଙ୍କ ପାଇଁ ଅଷ୍ଟ୍ରେଲିଆ ୧୦୭ ରନ୍ ବିଜୟ ହାସଲ କରିପାରିଥିଲା ।

ପ୍ରଚଣ୍ତ ପ୍ରତିଭାର ଅଧିକାରୀ ଥିଲେ ଫିଲିପ୍ସ ହ୍ୟୁଗ୍ସ । ସେ ପ୍ରଥମ ଅଷ୍ଟ୍ରେଲୀୟ ଭାବେ ଲିଷ୍ଟ ଏ କ୍ରିକେଟରେ ଦ୍ୱିଶତକ ହାସଲ କରିଥିଲେ । ଅଷ୍ଚ୍ରେଲିଆ ଏ ତରଫରୁ ୨୪୩ ରନ କରିଥିଲେ । ମୋଟ ଉପରେ ସେ ଅଷ୍ଟ୍ରେଲିଆ ତରଫରୁ ୨୬ ଟେଷ୍ଟ, ୨୫ ଦିନିକିଆ ଓ ଗୋଟିଏ ଟି- ୨୦ ଖେଳିଥିଲେ ।