Advertisment

୧୪ ବର୍ଷ ପୂର୍ବରୁ ଆରମ୍ଭ, ଆଜି ପଡ଼ିପାରେ ଯବନିକା

ହଜାର ହଜାର ଜନତାଙ୍କ ସାମ୍ନାରେ ଏପରି ଶତକ ମାରିବା ତାଙ୍କୁ ସେଦିନ ନିହାତି ଭାବେ ଉତ୍ସାହିତ କରିଥିବ । ସେବେଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Kolkata and Kohli

Kolkata and Kohli

୭୦ ହଜାର ଲୋକ "ହାପି ବାର୍ଥ ଡେ" କହି ଚିତ୍କାର କରୁଥିବା ବେଳେ କୋହଲି ବ୍ୟାଟିଂ କରିବାକୁ ଆସିବେ । ଏହା ନିଶ୍ଚିତ ଭାବରେ ତାଙ୍କ ମନରେ ଶିହରଣ ସୃଷ୍ଟି କରିପାରେ .. କିନ୍ତୁ ଯଦି ଏହା ତାଙ୍କର ଜନ୍ମଦିନ ହୋଇ ନଥାଆନ୍ତା, ତେବେ ମଧ୍ୟ କିଛି ଫରକ ପଡ଼ି ଥାଆନ୍ତା କି .. ନୁହେଁ ନା .. କୋହଲିଙ୍କ ପାଇଁ କୌଣସି ଦିନ କିଛି ସ୍ବତନ୍ତ୍ରତା ଆଣେ କି? ବ୍ୟାଟିଂ କିମ୍ବା ଫିଲ୍ଡିଂ, ଆଇପିଏଲ୍ କିମ୍ବା ଆନ୍ତର୍ଜାତୀୟ, ସିରିଜ କିମ୍ବା ବିଶ୍ୱକପ୍ ମ୍ୟାଚ୍ ... ଏପରି କ୍ୱଚିତ୍ ମୁହୂର୍ତ୍ତ ଥିବ ଯେଉଁଠାରେ ସ୍ପଟ୍ ଲାଇଟ୍ ତାଙ୍କୁ ଛାଡିଦିଏ । ଯଦି ଆପଣ ବିରାଟ କୋହଲି ହୋଇ ଥାଆନ୍ତେ, ନିଶ୍ଚିତ ଭାବେ କୋଟି କୋଟି ଫ୍ୟାନ୍ସଙ୍କ ଆଶାଠୁ କେବେ ମଧ୍ୟ ଦୁରେଇ ପାରି ନଥାଆନ୍ତେ.. ଏପରି ସମୟରେ ଆଜିର ମ୍ୟାଚ୍ ନିହାତି ଭିନ୍ନ ହେବ ।

Advertisment

ଆଜି କେବଳ ତାଙ୍କର ଜନ୍ମଦିନ ନୁହେଁ, ଆଜି ଏପରି ଏକ ଦିନ ଯାହା ଦ୍ବାରା ସେ ନିଜ ପିଲା ବେଳର ଆଦର୍ଶ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ମାତ୍ ଦେଇ ପାରନ୍ତି । କିଛି ଦିନ ପୂର୍ବରୁ ୱାଙ୍ଖଡେ ଷ୍ଟାଡିୟମରେ ତେନ୍ଦୁଲକରଙ୍କ ବିଶ୍ୱ ରେକର୍ଡ ୪୯ ଦିନିକିଆ ଶତକ ପାଖରେ କୋହଲି ମାତ୍ର କେତୋଟି ରନ ପାଇଁ ପହଞ୍ଚି ପାରିନଥିଲେ । କ୍ରିକେଟର ଭଗବାନଙ୍କ ଘରେ ଭଗବାନଙ୍କ ରେକର୍ଡକୁ କାଟିବା କେତେ ଯେ ମହାନ୍ ହୋଇଥାନ୍ତା ..

ମାତ୍ର ଆଜିର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ଅଛି, ତାହା ପୁଣି କୋଲକାତାର ଇଡେନ୍ ଗାର୍ଡେନ୍ସରେ । ୧୪ ବର୍ଷ ପୂର୍ବେ ଡିସେମ୍ବରର ଶୀତୁଆ ରାତିରେ କୋହଲି ନିଜ ଖେଳ ଜୀବନର ପ୍ରଥମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ । ନିଜ ଖେଳ ଜୀବନର ପ୍ରଥମ ବର୍ଷରେ .. ପ୍ରଥମ ଶତାବ୍ଦୀରେ ସେ ୧୦୭ ରନର ଇଂନିସ ଖେଳିଥିଲେ । ସେହି ମ୍ୟାଚରେ ଭାରତ ବିଜୟ ଲାଭ କରିଥିଲା । ଗୌତମ ଗମ୍ଭୀରଙ୍କ ଅପରାଜିତ ୧୫୦ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଆୱାର୍ଡ ମିଳିଥିଲେ ମଧ୍ୟ ସେ ଏହି ପୁରସ୍କାରକୁ ଯୁବା ଖେଳାଳି କୋହଲିଙ୍କୁ ଦେଇଥିଲେ ।

Advertisment

ହଜାର ହଜାର ଜନତାଙ୍କ ସାମ୍ନାରେ ଏପରି ଶତକ ମାରିବା ତାଙ୍କୁ ସେଦିନ ନିହାତି ଭାବେ ଉତ୍ସାହିତ କରିଥିବ । ସେବେଠାରୁ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ପୁଣି ଥରେ ୧୪ ବର୍ଷ ପରେ, କୋହଲି ନିଜର ୪୯ ତମ ଶତକ ସନ୍ଧାନରେ ଆସି ଇଡେନରେ ପହଞ୍ଚିଛନ୍ତି । ଏ ବିଶ୍ୱକପ୍ କୋହଲିଙ୍କର .. ସେ ଏ ପୁରା କ୍ରିକେଟ ସାମ୍ରାଜ୍ୟର କିଙ୍ଗ, ଏଥିରେ କେହି ଦ୍ବିମତ ହେବେନି । ଏପରି ନହୋଇଥିଲେ କୋହଲିଙ୍କ ଗୋଟିଏ ମାତ୍ର ଇଙ୍ଗିତରେ ଦିଲ୍ଲୀବାସୀ କଣ ନବୀନ ଉଲ ହକଙ୍କ ସପକ୍ଷରେ ଯାଇ ଥାଆନ୍ତେ ..

ବିରାଟ ଜଣେ ଭଲ ଖେଳାଳି । ସେ ନିଜର ୪୯ ତମ ଶତକକୁ ନେଇ ବେଶି ଚିନ୍ତିତ ନାହାନ୍ତି । ପୂର୍ବବତ ସେ ନିଜ ଖେଳରେ ଫୋକସ ରଖିଛନ୍ତି ବୋଲି ଗତକାଲି ଅଭ୍ୟାସ ବେଳେ ରାହୁଲ ଦ୍ରାବିଡ କହିଥିଲେ । ସେ କେବଳ ବିଶ୍ବକପ ଜିତିବା ଓ ଭଲ କ୍ରିକେଟ୍ ଖେଳିବା ଉପରେ ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ଦ୍ରାବିଡ ।

ଅନ୍ୟପଟେ ୨୦୧୭ ପରଠାରୁ କୋଲକାତାରେ କୋହଲିଙ୍କ ଏହା ପ୍ରଥମ ଦିନିକିଆ ମ୍ୟାଚ ହେବ ।

Virat Kohli Cricket World Cup
Advertisment
Advertisment