• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁଇ ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯାହାକି ପୁରା ଓଡ଼ିଆ ଜାତିକୁ କଷ୍ଟ ଦେଇଛି । ଖାଲି ଓଡ଼ିଆ ଜାତିକୁ ନୁହେଁ ବରଂ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଏହି ଭିଡିଓ ଶକ୍ତ ଧକ୍କା ଦେଇଛି । କାରଣ ଏହି ଭିଡିଓରେ ଏମିତି କିଛି ରହିଛି ଯାହାକୁ ଦେଖିଲେ କୌଣସି ବି ଓଡ଼ିଆଙ୍କ ଦେହ ସହିବ ନାହିଁ ।

ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ଅନେକ ଲୋକ ସମାଲୋଚନା କରିଛନ୍ତି । କେହି କେହି ଉକ୍ତ ଗାଡ଼ି ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ କହିଛନ୍ତି । କାରଣ ଏହା ଧର୍ମିୟ ଭାବନାକୁ ଆଘାତ ପହଞ୍ଚାଇଛି ।

ଏହି ଭାଇରାଲ ଭିଡିଓରେ ଓଡ଼ିଆ ଜାତି ଆଉ ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଥିବା ଦେଖିବାକୁ ମିଳିଛି । ଏକ ପିକ୍ଅପ୍ ଭ୍ୟାନରେ ବାଉଁଶ ଲଦା ହୋଇ ନିଆଯାଉଥିବା ବେଳେ ସେଥିରେ ବନ୍ଧା ଯାଇଛି ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । ଖାଲି ସେଥିରେ ନୁହେଁ ଅଣ ଆଡ଼ିଆ କରି ଶ୍ରୀଜଗନ୍ନାଥଙ୍କୁ ଅତି ବେଖାତିର ଭାବେ ବାଉଁଶ ଗଦାରେ ବନ୍ଧା ଯାଇଥିବା ବେଳେ ସେଥିରେ ଏକ ହଳଦିଆ ରଙ୍ଗର କପଡ଼ା ପିନ୍ଧା ଯାଇଛି । ଅଳିଆ ବୁହାଗଲା ଭଳି ଶ୍ରୀଜଗନ୍ନାଥଙ୍କୁ ବାଉଁଶ ଗଦାରେ ପଛରେ ବନ୍ଧା ଯାଇଛି । ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ସାରା ରାଜ୍ୟରେ ଏହାକୁ ନେଇ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା । ଛୋଟଠୁ ବଡ଼ ସମସ୍ତେ ଏହାକୁ ନିନ୍ଦା କରିଛନ୍ତି ।

 

ତେବେ ଜଗନ୍ନାଥଙ୍କୁ ବୋହି ନେଇ ଯାଉଥିବା ସଂପୃକ୍ତ ପିକ୍ଅପ୍ ଭ୍ୟାନକୁ ଅଟକାଇ ଜଣେ ସମାଜସେବୀ ତାଗିଦ କରିଥିଲେ । ହେଲେ ଅମାନିଆ ପିକ୍‌ଅପ୍‌ ଡ୍ରାଇଭର ଗାଡ଼ିକୁ ଅଟକାଇ ନଥିଲା । ତଥାପି ସମାଜସେବୀ ଜଣ ଉକ୍ତ ପିକ୍‌ଅପ୍‌ ଭ୍ୟାନ୍‌ ପାଖକୁ ନିଜ ଗାଡ଼ି ନେଇ ଡ୍ରାଭରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ।ଏମିତିକି ମହାପ୍ରଭୁଙ୍କୁ ଏଭଳି ଅବସ୍ଥାରେ ନନେବା ପାଇଁ ସେ ନିବେଦନ କରିଥିଲେ । ଯହାକି ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି । ତେବେ କିଛି ସମୟ ପରେ ଡ୍ରାଇଭର ଗାଡ଼ିକୁ ଅଟକାଇ ଜଗନ୍ନାଥଙ୍କୁ ଭଲରେ ଏବଂ ସୁରକ୍ଷିତ ଭାବେ ରଖି ନେଇଥିବା ସୂଚନା ମିଳିଛି ।

ଏହି ଘଟଣା ବାଲେଶ୍ୱରରୁ ଜଳେଶ୍ୱର ଯିବା ରାସ୍ତାରେ ହଳଦୀପଦା ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି । ଜଳେଶ୍ୱରର ଜଣେ ଟେଣ୍ଟ ମାଲିକ ବାଲେଶ୍ୱର ସହରରେ ଗୋଟିଏ ଗଣେଶ ମଣ୍ଡପରେ ଟେଣ୍ଟ କରିଥିଲେ । ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କୁ ସ୍ଥାପନା କରାଯାଇଥିଲା । ଆଉ ଗଣେଶ ବିସର୍ଜନ ପରେ ଟେଣ୍ଟ ଖୋଲି ନେବା ବେଳେ ମହାପ୍ରଭୁଙ୍କୁ ଏପରି ଭାବେ ପିକ୍ଅପ୍ ଭ୍ୟାନରେ ଲଦି ନେଉଥିବା ଦେଖିବାକୁ ମିଳିଥିଲା ।