• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ହୋଟେଲ ଭିତରେ ପଶିଲା ବାଘ । ଭୟରେ ଚିତ୍କାର କଲେ ଅତିଥି । ଏଭଳି ଏକ ଘଟଣା ରାଜସ୍ଥାନର ଜୟପୁର ସହରରେ ଦେଖିବାକୁ ମିଳିଛି । ଗୁରୁବାର ଜୟପୁରର ଏକ ହୋଟେଲ ରୁମ୍‌ ଭିତରକୁ କଲରାପତରିଆ ବାଘ ପଶି ଆସିଥିଲା । ଯାହାର ଭିଡିଓ ଖୁବ୍‌ ଭାଇରାଲ ହେଉଛି ।

ଭିଡିଓକୁ ଦେଖିଲେ ଆପଣଙ୍କୁ ଯେତିକି ଭୟ ଲାଗିବ, ସେତିକି କୌତୁକିଆ ମଧ୍ୟ ଅନୁଭବ ହେବ । କାରଣ ଭିଡିଓରେ ବାଘଟି ବିଲେଇ ଭଳି ଆଖି ପିଛୁଳାକେ ଏପଟୁ ସେପଟକୁ ଦୌଡ଼ି ଯାଉଛି । ଆଉ ଟେବୁଲ ଉପରେ ବସୁଛି । ତାପରେ ପୁଣି ଝରକା ପାଖକୁ ଆସୁଛି । ଭିଡିଓଟି ଖୁବ୍‌ ମଜାଦାର ଲାଗୁଛି । ଥରେ ଦେଖିବେ ନିଶ୍ଚୟ । ଅନ୍ୟପଟେ ଏହି ବାଘ ହାବୁଡ଼ରେ ଯିଏ ପଡ଼ିଛି ସିଏ ଜାଣିଛି କେମିତି ଥିଲା ତାର ପରିସ୍ଥିତି ।

ହୋଟେଲରେ ବାଘ ପଶିବା ଫଳରେ ସମସ୍ତେ ଭୟଭୀତ ହୋଇଥିଲେ । ତୁରନ୍ତ ବନ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ବନ ବିଭାଗ ଓ ସ୍ଥାନୀୟ ଚିଡ଼ିଆ ଖାନାର କର୍ମଚାରୀ ଆସି କଲରାପତରିଆ ବାଘକୁ ଟ୍ରାଙ୍କୁଲାଇଜର ମାରି ବେହୋସ୍‌ କରିଥିଲେ । ତାପରେ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିଥିଲେ । ବାଘଟି ରୁମ୍‌ରେ ପଶି ଅନେକ ଜିନିଷ ପତ୍ର ଭାଙ୍ଗି ନଷ୍ଟ କରିଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସକାଳ ୯.୪୦ରେ ଜଙ୍ଗଲି ବାଘଟି ହୋଟେଲ ଭିତରେ ପଶିଥିଲା । ହୋଟେଲ କର୍ମଚାରୀମାନେ ସେହି ରୁମ୍‌ରେ ରହୁଥିବା ପର୍ଯ୍ୟଟକ ବା ଅତିଥିଙ୍କୁ ସେଠାରୁ ସୁରକ୍ଷିତ କାଢ଼ି ଆଣିଥିଲେ । ତାପରେ ରୁମ୍‌ର କବାଟ୍‌ ବନ୍ଦ କରିଥିଲେ । ଅନ୍ୟପଟେ ବାଘ ଭୟରେ କିଛି ପର୍ଯ୍ୟଟକ ତୁରନ୍ତ ହୋଟେଲ ଖାଲି କରିଦେଇଥିଲେ ।