ବର୍ତ୍ତମାନ ପାରିବାରିକ କଳି ଅନେକ ସମୟରେ ପତି ପତ୍ନୀଙ୍କ ପାଇଁ ଏକ ବଡ଼ ଅସୁବିଧା ହୋଇ ଛିଡା ହେଉଛି । ଏମିତିକି ଏହି ଭଳି ପାରିବାରିକ କଳି ବେଳେ ବେଳେ ଆତ୍ମହତ୍ୟାର ରୂପ ନେଉଛି । ପତି ପତ୍ନୀଙ୍କ ଭିତରେ ଭୁଲ୍ ବୁଝାମଣା କାରଣରୁ ଛାଡପତ୍ର ମଧ୍ୟ ବଢ଼ିବାରେ ଲାଗିଛି । ତେବେ ନିଜ ପତ୍ନୀଙ୍କ ପାଇଁ ହଇରାଣ ହୋଇ ଜଣେ କନଷ୍ଟେବଳ ଲେଖିଥିବା ଆପ୍ଲିକେସନ୍ ଏବେ ଭାଇରାଲ ହେବାରେ ଲାଗିଛି ।
'ସ୍ୱପ୍ନରେ ମୋ ସ୍ତ୍ରୀ ଆସି ମୋ ରକ୍ତ ପିଉଛି, ସେଥିପାଇଁ ମୁଁ ଠିକ୍ ଟାଇମରେ ଅଫିସ୍ ଆସିପାରୁନି ।' ଭାଇରାଲ୍ ହେଉଛି ଜଣେ କନଷ୍ଟେବଳଙ୍କ ଏହି ଆପ୍ଲିକେସନ୍ । କାହିଁକି ବିଳମ୍ବରେ ଅଫିସ୍ ଆସୁଛନ୍ତି, ପଚାରିବାରୁ କନଷ୍ଟେବଳ ଜଣକ ଏପରି ଅଜବ ପ୍ରତିକ୍ରିୟା ରଖିଛନ୍ତି । କନଷ୍ଟେବଳ ଜଣକ ଦରଖାସ୍ତରେ ଲେଖିଛନ୍ତି "ସାର୍... ମୋ ସ୍ତ୍ରୀ ଓ ମୋର ଖୁବ୍ ଝଗଡ଼ା ହେଉଛି, ଝଗଡ଼ା ଚରମସୀମାରେ ପହଞ୍ଚିଲାଣି, ପରିସ୍ଥିତି ଏପରି ହେଲାଣି ଯେ, ମୁଁ ତାକୁ ସ୍ୱପ୍ନରେ ଦେଖୁଛି ସୋ ମୋ ଛାତି ଉପରେ ବସି ମୋ ରକ୍ତ ପିଇ ମାରିଦେବାକୁ ଚେଷ୍ଟା କରୁଛି । ମୋର ଏପରି ସ୍ୱପ୍ନ ଆସୁଥିବାରୁ ମୁଁ ରାତିରେ ଶୋଇପାରୁନି । ସେଥିପାଇଁ ମୁଁ ଠିକ୍ ଟାଇମରେ ଅଫିସ୍ ଆସିପାରୁନି ।
Also Read
ଅଧିକ ପଢ଼ନ୍ତୁ: ବିବାଦରେ ସନୋଜ ମିଶ୍ର; ସେଭ୍ କରିବାକୁ ଆଗକୁ ଆସିଲେ ଭାଇରାଲ୍ ଗାର୍ଲ ମୋନାଲିସା
ବିଳମ୍ବରେ ଅଫିସ୍ ଆସିବାର କାରଣ ଦର୍ଶାଅ ନୋଟିସରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଉତ୍ତରପ୍ରଦେଶ ପାରାମିଲିଟାରୀ ଫୋର୍ସର ଜଣେ କନଷ୍ଟେବଳ । ଫେବ୍ରୁଆରୀ ୧୭ରେ ୪୪ତମ ବାଟାଲିଅନ ପ୍ରାଦେଶିକ ଆର୍ମଡ କନଷ୍ଟାବୁଲାରୀର କମାଣ୍ଡର ମଧୁସୂଦନ ଶର୍ମା ବିଭାଗର ଜଣେ କନଷ୍ଟେବଳଙ୍କୁ ଲଗାତାର ଭାବେ ଦାୟିତ୍ୱରେ ଅବହେଳା ସହ ବିଶୃଙ୍ଖଳିତ ଆଚରଣ ଓ ବିଳମ୍ବରେ ଅଫିସ୍ ଆସିବା ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ।
ଏହାର ଜବାବରେ କନଷ୍ଟେବଳ ଜଣକ ଏପରି ଅଜବ ପ୍ରତିକ୍ରିୟା ରଖିଛନ୍ତି । ଏହାବାଦ୍ ସେ ତାଙ୍କ ମାଆଙ୍କ ଅସୁସ୍ଥତା କାରଣରୁ ମଧ୍ୟ ସର୍ବଦା ଅପସେଟ ରହୁଥିବା କହିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ସେ ଏବେ ଅସହାୟ ହୋଇ ପଡ଼ିଲେଣି, ଜୀବନ ଜିଇଁବାର ପ୍ରକୃତ କାରଣ ମଧ୍ୟ ଭୁଲିଗଲେଣି । ଏଥିରୁ ମୁକୁଳିବା ପାଇଁ ଉଚ୍ଚ ପଦସ୍ଥ ଅଫିସର ତାଙ୍କୁ ସାହାଯ୍ୟ କରନ୍ତୁ । ସୋସାଲ ମିଡିଆରେ ଏହି ଆପ୍ଲିକେସନର ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଲକ୍ଷାଧିକ ଲୋକ ଏହାକୁ ସେୟାର ମଧ୍ୟ କରିଛନ୍ତି ।
ତେବେ ଏହି ଆପ୍ଲିକେସନର ସତ୍ୟାସତ୍ୟକୁ ନେଇ କୌଣସି ସ୍ପଷ୍ଟତା ନଥିବା ବେଳେ କମାଣ୍ଡର ମଧୁସୂଦନ ଶର୍ମା କହିଛନ୍ତି, ସେହି କର୍ମଚାରୀ କିଏ , ତାଙ୍କ ସମସ୍ୟା କଣ ? ଏ ବାବଦରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଯଦି କୌଣସି କର୍ମଚାରୀ ସମାଧାନ ଚାହୁଁଥା'ନ୍ତି । ତେବେ ବିଭାଗ ପକ୍ଷରୁ ନିଶ୍ଚିତ ରୂପେ ସାହାଯ୍ୟ କରାଯିବ ।