/odishatv-khabar/media/post_attachments/uploadimage/library/16_9/16_9_0/man_floats_1757661404.jpg)
man floats
ପାଣିରେ ମୃତ ଭଳି ଭାସୁଥିବା ଯୁବକ ହଠାତ୍ ଜୀବନ ଫେରି ପାଇବା ସମସ୍ତଙ୍କୁ ଚିକିତ କରିଛି। ସମସ୍ତେ ଯୁବକଙ୍କୁ ମୃତ ବୋଲି ଭାବୁଥିଲେ। କିନ୍ତୁ ପୁଲିସ୍କୁ ଦେଖି ସେ ଗୋଟିଏ ଝଟକାରେ ଉଠିଛନ୍ତି। ଏପରି କି ପାଣିରୁ ବାହାରି ଡିଆଁ ମାରିଛନ୍ତି। ଏକଥା ଶୁଣି ଆପଣମାନେ ଦ୍ୱନ୍ଦ୍ୱରେ ପଡ଼ୁଥିବେ। ବାସ୍ତବରେ ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲା ବୀରପୁର ଡ୍ୟାମର ଲୋକମାନଙ୍କ ସହ ଏପରି ଏକ ଘଟଣା ଘଟିଛି।
ଏଠାକାର ଲୋକମାନେ ଯେଉଁ ଯୁବକଙ୍କୁ ମୃତ ବୋଲି ଭାବିଥିଲେ ଓ ପୋଲିସକୁ ଡାକିଥିଲେ, ବାସ୍ତବରେ ସେ ଜୀବନ୍ତ ଥିବା ଜାଣି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ପାଣିରେ ମୃତ ଭଳି ଭାସୁଥିବା ଯୁବକଙ୍କ ଶବକୁ ପୋଲିସ ଉଦ୍ଧାର ପାଇଁ ଆସିଥିଲା। ହେଲେ ବାସ୍ତବରେ ଘଟଣା କିଛି ଅଲଗା ଥିଲା।
ଅରୋନାର ୩୦ ବର୍ଷୀୟ ଟିଙ୍କୁ ସିଂହ ୨୦ ମିନିଟ ଧରି ଡ୍ୟାମରେ ଜୀବନ ନଥିବା ଭଳି ଭାସିବାରେ ଲାଗିଥିଲେ। ତାଙ୍କ ମୁହଁ ପାଣିରୁ ଅତିକମ ଉଚ୍ଚରେ ଥିଲା। ସେ ଏପରି ଅବସ୍ଥାରେ ଥିଲେ, ଯାହାକୁ ଦେଖି ସମସ୍ତେ ଭାବିଥିଲେ ଯେ ପାଣିରେ ମୃତଦେହ ଭାସୁଛି। କିଛି ଲୋକ ଟିଙ୍କୁ ସିଂହ ଭାସୁ ଥିବାର ଭିଡିଓ ରେକର୍ଡ କରିଥିଲେ। ଏହାକୁ ଅନଲାଇନରେ ପୋଷ୍ଟ କରି ବୀରପୁର ଡ୍ୟାମରେ ଆଉ ଜଣେ ମୃତ ବୋଲି ଲେଖିଥିଲେ।
ଏପରି ଘଟଣା ନିଆଁ ପରି ପୂରା ଅଞ୍ଚଳରେ ବ୍ୟାପି ଯାଇଥିଲା। ମାତ୍ର କିଛି ମିନିଟ ମଧ୍ୟରେ ଅନେକ ଲୋକ ଡ୍ୟାମ ନିକଟରେ ଭିଡ଼ ଜମାଇଥିଲେ। ଖବର ଗିରୱାଇ ପୋଲିସ ପାଖରେ ପହଞ୍ଚିଥିଲା। ପୁଲିସ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ପାଣିରେ ଭାସୁଥିବା ମୃତଦେହକୁ ବାହାର କରିବାକୁ ଚେଷ୍ଟା କରିଥିଲା।
ବାସ୍ ଏହା ଦେଖି ଟିଙ୍କୁ ସିଂହ ଡିଆଁ ମାରି ପାଣିରୁ ବାହାରିଥିଲେ। ଏହାପରେ ସେଠାରୁ ଦୌଡ଼ି ଖସି ଯିବାକୁ ଚେଷ୍ଟା କରିଥିଲେ। କିଛି ସମୟରେ ଟଣା ଓଟରା ପରେ ପୋଲିସ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ଏସବୁ ପଛର କାରଣ ସମ୍ପର୍କ ପଚରା ଯିବାରୁ ସେ ଇନଷ୍ଟାଗ୍ରାମ ରିଲ ପାଇଁ ଭିଡିଓ ଶୁଟିଂ କରୁଥିଲେ ବୋଲି ପୋଲିସକୁ କହିଥିଲେ। ଏହାଶୁଣି ପୁଲିସ୍ ଓ ସ୍ଥାନୀୟ ଲୋକ ପୁଣିଥରେ ଚକିତ ହୋଇଛନ୍ତି। ସବୁ ସେହି ରିଲ ନିଶା ବୋଲି ସମସ୍ତେ ଜାଣିବାକୁ ପାଇଛନ୍ତି।
ଟିଙ୍କୁ ସିଂହ ପୋଲିସକୁ କହିଛନ୍ତି, “ଯଦି ମୁଁ ପାଣିରେ ଗୋଟିଏ ମୃତଦେହ ଭଳି ରହିବି, ତା’ହେଲେ ରିଲଟି ପୂରା ରିୟଲ ଲାଗିବ ବୋଲି ଭାବିଥିଲି। ତେଣୁ ଏଭଳି କରିଥିଲି।” ପୋଲିସ କହିଛି ଯେ ସେମାନେ ଡ୍ୟାମରେ ମୃତଦେହ ଭାସୁଥିବା ଖବର ପାଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେଇଟା ପ୍ରାଙ୍କ ଥିବା ଜଣାପଡ଼ିଥିଲା। ଟିଙ୍କୁ ସିଂହଙ୍କୁ ପୁଲିସ୍ ଗାଳି ଦେବା ସହ ବୁଝାସୁଝା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଦୀର୍ଘ ସମୟର ଡ୍ରାମା ଦେଖିବା ପରେ ଲୋକମାନେ ହସହସି ସେଠାରୁ ଯାଇଥିଲେ । ଜଣେ କହିଛନ୍ତି, “ପ୍ରଥମେ ଆମେ ତାଙ୍କୁ ମୃତ ଭାବିଥିଲୁ। ପରେ ଭାବିଲୁ ସେ ଭୂତ। ଶେଷରେ ଜଣାପଡ଼ିଛି ଯେ ସେ ଆଉ ଜଣେ ରିଲ୍ ଷ୍ଟାର।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)