• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଫୋନ୍ ପେ’ରେ ଭିକ୍ଷା ବୃତ୍ତି । ଆଶ୍ଚର୍ଯ୍ୟ କଲେ ବି ସତ ! ବାଟରେ ଯିବା ସମୟରେ ଆପଣ ନିହାତି ଭାବରେ ଭିକାରୀଙ୍କୁ ଦେଖିବାକୁ ପାଇବେ । ବେଳେବେଳେ କିଛି ଲୋକ ପାଖରେ ଖୁଚୁରା ପଇସା ନାହିଁ ବୋଲି କହି ଖସି ପଳାଇଥାନ୍ତି । କିନ୍ତୁ ବଡ଼ କଥା ହେଉଛି ଏଭଳି ବାହାନା ଆଉ ଚଳିବ ନାହିଁ । କାରଣ ବର୍ତ୍ତମାନ ଭିକାରୀମାନେ ମଧ୍ୟ ଡିଜିଟାଲ୍‌ ହୋଇଗଲେଣି ଓ ସେମାନେ ସେମାନଙ୍କର QR କୋଡ୍ ଧରି ମଧ୍ୟ ବୁଲୁଛନ୍ତି । 

ଭିକାରୀଙ୍କର ବର୍ତ୍ତମାନ ଫୋନ୍ ପେ’, ପେଟିଏମ୍ ଓ ଗୁଗୁଲ୍ ପେ’ରେ ଆକାଉଣ୍ଟ ରହିଛି । ଯାହାଫଳରେ ଆପଣ ସେମାନଙ୍କୁ ସହଜରେ ଟଙ୍କା ଦେଇ ପାରିବେ। ଆସାମର ଗୁଆହାଟୀରେ ଏମିତି ଏକ ସମାନ ଘଟଣା ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଜଣେ ଦୃଷ୍ଟିହୀନ ଭିକାରୀ ଭିକ ମାଗିବା ପାଇଁ ତାଙ୍କ ବେକରେ ଏକ QR କୋଡ୍ ପକାଇଥିଲେ । ଯାହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । 

ସୂଚନା ଅନୁସାରେ ଭିକାରୀଙ୍କ ନାମ ହେଉଛି ଦଶରଥ । ଯିଏ ଭିକ୍ଷା ଆକାରରେ ଲୋକଙ୍କଠାରୁ ଡିଜିଟାଲ୍ ପେମେଣ୍ଟ ନେଉଥିବା ଦେଖିବାକୁ ମିଳୁଛି । ଭିଡିଓରେ ଏହା ମଧ୍ୟ ଦେଖିବାକୁ ମିଳୁଛି ଯେ ସେ ବେକରେ ଏକ ଫୋନ୍ ପେ’ର QR କୋଡ୍ ପକାଇଛନ୍ତି । ଭିକାରୀ ଜଣକ ଏକ କାର୍‌ରେ ବସିଥିବା ଦୁଇ ଜଣଙ୍କ ନିକଟକୁ ଯାଉଛନ୍ତି ଓ ସେମାନଙ୍କ ମଧ୍ୟରୁ ଜଣେ QR କୋଡ୍ ସ୍କାନ୍ କରି ତାଙ୍କୁ ୧୦ ଟଙ୍କା ମଧ୍ୟ ଦେଉଛନ୍ତି । ଏହା ପରେ ତାଙ୍କ ଆକାଉଣ୍ଟରେ ୧୦ ଟଙ୍କା ଜମା ହେଲା କି ନାହିଁ କାନ ପାଖରେ ଫୋନ୍‌ ଲଗାଇ ଭିକାରୀ ଜଣକ ଶୁଣୁଥିବାର ଦେଖିବାକୁ ମିଳୁଛି ।

ଏହି ଭିଡିଓକୁ କଂଗ୍ରେସ ନେତା ଗୌରଭ ସୋମାନି ତାଙ୍କ ଅଫିସିଆଲ୍‌ ‘ଏକ୍ସ’ ଆକାଉଣ୍ଟରୁ ସେୟାର କରିଛନ୍ତି । ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି - "ଗୁଆହାଟୀରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଜଣେ ଭିକାରୀ ଫୋନ୍ ପେ’ ବ୍ୟବହାର କରି ଲୋକଙ୍କଠାରୁ ଭିକ୍ଷା ମାଗୁଛନ୍ତି । ଟେକ୍ନୋଲୋଜିର ପ୍ରକୃତରେ କୌଣସି ସୀମା ନାହିଁ । ଏହା ସାମାଜିକ-ଅର୍ଥନୌତିକ ସ୍ଥିତିର ପ୍ରତିବନ୍ଧକକୁ ମଧ୍ୟ ଦୂର କରିପାରିବ ।"