• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ଷମା ବିନ୍ଦୁ । ଏହି ନାଁଟା ବୋଧ ହୁଏ ଆପଣ ଭୁଲି ଯାଇଥିବେ । କିନ୍ତୁ ୟାଙ୍କର କାରନାମା ନିଶ୍ଚୟ ମନେ ରଖିଥିବେ । ୟେ ଯେଉଁ କାମ ପାଇଁ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ, ତାହା ଅତ୍ୟନ୍ତ ନିଆରା ଥିଲା । ଯାହାକୁ ସହଜରେ ଭୁଲିବା କଷ୍ଟ । ତାଙ୍କ ନିଆରା ଶୈଳୀ ପାଇଁ ଦିନେ ଇଣ୍ଟରନେଟ୍‌ରେ ତାଙ୍କ କାରନାମା ନେଇ ଖୁବ୍‌ ଚର୍ଚ୍ଚା ଚାଲିଥିଲା । କିଛି ଦିନ ପର୍ଯ୍ୟନ୍ତ ସେ ବେଶ ଭାଇରାଲ ମଧ୍ୟ ହୋଇଥିଲେ । ଆପଣ ଆଉ ଦ୍ୱନ୍ଦ୍ୱରେ ପଡ଼ନ୍ତୁ ନାହିଁ । ଆମେ କହୁଛୁ ସେହି କ୍ଷମା ବିନ୍ଦୁଙ୍କ କଥା, ଯେଉଁ ମହିଳା ଦିନେ ନିଜକୁ ନିଜେ ବିବାହ କରି ହନିମୁନ୍ ଯାଇଥିଲେ । ଆଉ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।

ତେବେ ଆଜି ପୁଣିଥରେ ଆମେ ସେହି କ୍ଷମା ବିନ୍ଦୁଙ୍କ କଥା କହୁଛୁ । ଏବେ ନିକଟରେ କରୱା ଚୌଥ ପର୍ବ ଯାଇଥିଲା । ଆଉ କ୍ଷମା ବିନ୍ଦୁ ମଧ୍ୟ ଏହି ପର୍ବ ପାଳନ କରିଛନ୍ତି । ସେ ନିଜେ ନିଜକୁ ବିବାହ କରିଥିଲେ ମଧ୍ୟ କରୱା ଚୌଥ ପାଳନ କରିଛନ୍ତି । ସେ ନିଜେ ନିଜର ଦୀର୍ଘାୟୁ କାମନା କରିବା ସହ ନିଜର ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସାଧାରଣତଃ ମହିଳାମାନେ ନିଜ ସ୍ୱାମୀଙ୍କ ପାଇଁ ଏହି ଦିନ ଉପବାସ ରଖିଥାନ୍ତି । ଆଉ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରନ୍ତି । 

ଅଧିକ ପଢ଼ନ୍ତୁ: ନାଲି ଲେହଙ୍ଗା ପିନ୍ଧି ମଥାରେ ସିନ୍ଦୂର ନାଇ ନିଜକୁ ନିଜେ ବିବାହ କଲେ କ୍ଷମା

କରୱା ଚୌଥ ପାଳନ ଅବସରରେ ବିନ୍ଦୁ ପାରମ୍ପରିକ ବା ଦେଶୀ ଷ୍ଟାଇଲ୍‌ରେ ଶାଢ଼ି ପିନ୍ଧି ମୁଣ୍ଡରେ ଓଢ଼ଣା ଦେଇ ଏକ ଫଟୋ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି ପ୍ରଥମ ଥର ପାଇଁ କରୱା ଚୌଥ ପାଳନ କଲି । ଆଉ ନିଜକୁ ଯେତେବେଳେ ଆଇନାରେ ଚାହିଁଲି, ସେତେବେଳେ ମୁଁ ମୋର ଅହଙ୍କାରକୁ ଦେଖିପାରିଲି । ଆଉ ଖୁସି ହେଲି । ‘ମୋ ଚେହେରାରେ ସେହି ଗୁରୁରକୁ ମୁଁ ଫେରି ପାଇଲି’ ବୋଲି ସେ ଲେଖିଛନ୍ତି ।

ସାଧାରଣତଃ ବିବାହିତ ମହିଳାମାନେ କରୱା ଚୌଥରେ ଚନ୍ଦ୍ରଙ୍କୁ ଦେଖିବା ପରେ ଉପବାସ ଭାଙ୍ଗିଥାନ୍ତି । କିନ୍ତୁ ବିନ୍ଦୁ ଯେହେତୁ ନିଜେ ନିଜକୁ ବିବାହ କରିଛନ୍ତି । ସେଥିପାଇଁ ସେ ଆଇନାରେ ନିଜକୁ ଦେଖିଥିଲେ । ଆଉ ତାପରେ ଉପବାସ ଭାଙ୍ଗିଥିଲେ । ସବୁଠାରୁ ବଡ଼ କଥା ହେଲା ଏବେ ବି ବିନ୍ଦୁଙ୍କୁ ସୋସିଆଲ ମିଡିଆରେ ଅନେକ ଫଲୋ କରୁଛନ୍ତି । ଆଉ ତାଙ୍କର ପ୍ରତ୍ୟେକ ପୋଷ୍ଟରେ କିଛି ନା କିଛି କମେଣ୍ଟ ଦେଉଛନ୍ତି । ତେବେ ଏହି ପୋଷ୍ଟରେ ସେମିତି ମଜାଦାର କମେଣ୍ଟ ରହିନଥାନ୍ତା ବା କେମିତି । ଆପଣ ବି ତାଙ୍କର ସେହି ପୋଷ୍ଟରେ କମେଣ୍ଟ ଗୁଡ଼ିକ ଦେଖିପାରିବେ ।

ସୂଚନାଯୋଗ୍ୟ, ଚଳିତ ବର୍ଷଜୁନ୍‌ ୯ ତାରିଖରେ ନିଜକୁ ନିଜେ ବିବାହ କରିଥିଲେ କ୍ଷମା ବିନ୍ଦୁ । ବିବାହ ଦୁଇ ଜଣଙ୍କ ମଧ୍ୟରେ ହେଉଥିବା ବେଳେ ଗୁଜୁରାଟର ବଡ଼ୋଦରା ଠାରେ ଏପରି ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନ୍ୟ ବିବାହ ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଥିଲା । ବଡ଼ୋଦରା ନିବାସୀ ୨୪ ବର୍ଷିୟ କ୍ଷମା ବିନ୍ଦୁ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଖବର ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ନିଜ ବାପାମା’ଙ୍କ ସହମତିରେ ସେ ଏହି ବିବାହ କରିଥିବା କହିଥିଲେ । ସେ ବିବାହ ପାଇଁ ଲେହେଙ୍ଗାଠାରୁ ଅଳଙ୍କାର ପର୍ଯ୍ୟନ୍ତ ସବୁକିଛି କିଣିଥିଲେ । ପାରମ୍ପରିକ ରୀତିନୀତି ଅନୁସାରେ ହୋଇଥିଲା ବିବାହ ।

ସୂଚନା ଅନୁସାରେ କ୍ଷମା ବିବାହ କରିବାକୁ ଚାହୁଁନଥିଲେ ସୁଦ୍ଧା କନ୍ୟା ରୂପରେ ସଜେଇ ହେବାକୁ ଚାହୁଁଥିଲେ । ହେଲେ ବିବାହ ନକରି କନ୍ୟା ହେବା ସମ୍ଭବ ନଥିଲା । ତେଣୁ ସେ ନିଜେ ନିଜକୁ ବିବାହ କରିବାକୁ ସ୍ଥିର କରିଥିଲେ । ଏହି ନିଷ୍ପତ୍ତି ନେବା ପୂର୍ବରୁ ଭାରତର କୌଣସି ମହିଳା ନିଜକୁ ବିବାହ କରିଛନ୍ତି କି ନାହିଁ, ସେ ସଂପର୍କରେ ଅନଲାଇନରେ ଅନୁସନ୍ଧାନ କରିଥିଲେ କ୍ଷମା । ହେଲେ ତାଙ୍କୁ କୌଣସି ସନ୍ତୋଷଜନକ ଫଳାଫଳ ମିଳିନଥିଲା ।