• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିଲାଙ୍କୁ ବାଇ କରିଛି ରିଲ ନିଶା । ନିଶା ଏମିତି, ଜୀବନକୁ ବି ପରୱା ନାହିଁ ! ନବରଙ୍ଗପୁର ରାଇଘରର ଏକ ସ୍କୁଲରୁ ଆଖି ଖୋସି ହେଲା ଭଳି ଆସିଛି ଏକ ଭିଡିଓ । ଯାହାକି ଭାଇରାଲ ହେଉଛି । ଭିଡିଓଟି ଦେଖିଲେ ଯାହା ଜଣାପଡ଼ୁଛି, ସ୍କୁଲ ଛାତରୁ ପାଖାପାଖି ୧୦ ଫୁଟ ଦୂରତାରେ ରହିଛି ଆଉ ଏକ ପରିତ୍ୟକ୍ତ ଆଜବେଷ୍ଟସ ଘର । ପିଲାଙ୍କୁ ରିଲ ବନେଇବା ନିଶା ଏତେ ଯେ, ସେମାନେ ଛାତରୁ ଆଜବେଷ୍ଟସ ଘରକୁ ଡେଇଁବାକୁ ଚେଷ୍ଟା କଲେ । ଆଉ କିଛି ଛାତ୍ର ତାହା ରେକର୍ଡିଂ କଲେ ।

ହେଲେ ଦୁର୍ଭାଗ୍ୟ ବସତଃ ପିଲାମାନେ ଡେଇଁଲାବେଳେ ଆଜବେଷ୍ଟସଟି ଭାଙ୍ଗିଗଲା । ଯାହାଫଳରେ ଡେଇଁଥିବା ଛାତ୍ର ଜଣକ ସିଧା ତଳେ ପଡ଼ି ଆହତ ହେଲେ । ତଥାପି ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟର ଭିଡିଓକୁ ରିଲ୍ ବନେଇ ଇନ୍‌ଷ୍ଟାଗ୍ରାମ ଓ ଫେସବୁକରେ ଅପଲୋଡ୍ କରିଦେଲେ । ସ୍କୁଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଗତ ୧୪ ତାରିଖରେ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗମାନଙ୍କ ଏକ କାର୍ଯ୍ୟକ୍ରମ ପାଇଁ ପିଲାଙ୍କୁ ଛୁଟି କରି ଦିଆଯାଇଥିଲା । ହେଲେ ଏମାନେ କିନ୍ତୁ ଶିକ୍ଷକଙ୍କ ନଜର ଆଢୁଆଳରେ ଛାତ ଉପରକୁ ଚାଲିଯାଇ ଏମିତି ବିପଦପୂର୍ଣ୍ଣ ରିଲ୍ ସୁଟିଂରେ ମାତିଥିଲେ ।

ଆଉ ଭିଡିଓ ଭାଇରାଲ ହେବା ପରେ କଡ଼ା ପଦକ୍ଷେପ ସ୍ୱରୂପ ଭିଡିଓ ବନେଇଥିବା ସମସ୍ତ ୭ ଛାତ୍ରଙ୍କୁ ଡାକି ସେମାନଙ୍କ ହାତରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ଧରାଇ ଦେଇଥିଲେ । କିନ୍ତୁ ପରେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବାକୁ ଯାଉଥିବା ଜାଣି ଅଭିଭାବକଙ୍କ ଅନୁରୋଧ କ୍ରମେ ସେମାନଙ୍କୁ ଆଗାମୀ ପରୀକ୍ଷା ପର୍ଯ୍ୟନ୍ତ ସ୍କୁଲରେ ରହିବାକୁ ଅନୁମତି ଦିଯାଇଥିଲା ।

ପିଲାମାନଙ୍କ ଏ ବିପଦପୂର୍ଣ୍ଣ ଷ୍ଟଣ୍ଟ ପାଇଁ କିଛି ବି ଅଘଟଣ ଘଟି ପାରିଥାନ୍ତା । ହେଲେ ଆଜବେଷ୍ଟସ ଭାଙ୍ଗି ଗଳିପଡ଼ିବା ସତ୍ତ୍ୱେ ସୌଭାଗ୍ୟକୁ ବିଶେଷ କାହାରି କିଛି ହୋଇ ନାହିଁ ।

ହେଲେ ସେପଟେ କିନ୍ତୁ ଅନୁରୂପ ଏକ ଦୁଃସାହସ ପାଇଁ ନବରଙ୍ଗପୁର ଉମରକୋଟରେ ଜଣେ କଲେଜ ଛାତ୍ରଙ୍କ ଜୀବନ ଯାଇଛି । ଭାଲୁମସ୍କା ରେଳ ଷ୍ଟେସନରେ ଅଟକିଥିବା ଏକ ମାଲବୋଝେଇ ଟ୍ରେନ ଉପରେ ଚଢ଼ି ୩ ଜଣ ଛାତ୍ର ସେଲଫି ନେଉଥିଲା ବେଳେ ହଠାତ୍ ଜଣେ ଛାତ୍ର ୨୫ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଜଳି ଯାଇଥିଲେ । ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କେବଳ ଏଇ ଘଟଣା ନୁହେଁ, ସୋସିଆଲ ମିଡିଆ ଖୋଲିଲେ ସାମ୍ନାକୁ ଆସୁଛି ଏମିତି ଅନେକ ବିପଦପୂର୍ଣ୍ଣ ଷ୍ଟଣ୍ଟ ଭରା ରିଲ୍‌ସ । ତାରି ପ୍ରଭାବରେ ପିଲାଙ୍କ ଭିତରେ ବଢୁଛି ଦୁନିଆ ଆଗରେ ନିଜକୁ ଏମିତି କିଛି କରି ଦେଖେଇବାର ପ୍ରବଣତା । ଯାହା ବେଳେ ବେଳେ ଘାତକ ସାଜୁଛି ।

ତେଣୁ ବିଶେଷଜ୍ଞଙ୍କ ମତରେ ବର୍ତ୍ତମାନର ଡିଜିଟାଲ ଯୁଗରେ ପିଲାଙ୍କୁ ଏ ନିଶା କବଳରୁ ବାହାରକୁ ଆଣିବାକୁ ହେଲେ ସେମାନଙ୍କ ନୈତିକ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ହେବ । ବାପା ମାଆ ପିଲାଙ୍କୁ ପ୍ରଚୁର ସମୟ ଦେଇ ପିଲାଙ୍କ ମାନସିକ ସ୍ଥିତିକୁ ବୁଝିବା ଏବଂ ମୋବାଇଲରୁ ସେ ପାଉଥିବା ଆନନ୍ଦର ବିକଳ୍ପ ଯୋଗାଇବା ଜରୁରୀ ।

ପରିବାର ହେଉ କିମ୍ବା ସ୍କୁଲ । ପିଲାଙ୍କ ଭିତରେ ବଢୁଥିବା ସେଲ୍ଫି ଓ ରିଲ୍ ପ୍ରବଣତା ପ୍ରତି ଧ୍ୟାନ ଦେଇ ସବୁ ସ୍ତରରେ, ଏହାର ବିପରୀତ ଆନନ୍ଦମୟ ପରିବେଶ ସୃଷ୍ଟି ଦିଗରେ ଗୁରୁତ୍ୱ ଦିଆନଗଲେ ନେଡ଼ିଗୁଡ଼ କହୁଣୀକୁ ବୋହିଯିବାର ଆଶଙ୍କା ରହିଛି ।