• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଶ୍ଚର୍ଯ୍ୟ ! ମଣିଷ ବେଳେବେଳେ ଏମିତି ପରିସ୍ଥିତିରେ ଫସିଥାଏ ଯେ, ସେ ଚାହିଁଲେ ବି ସେଥିରୁ ବାହାରି ପାରିନଥାଏ । ଆଉ ସେହି ପରିସ୍ଥିତିରୁ ବାହାରିବାକୁ ହେଲେ ସେହି ମଣିଷକୁ ଗଧପାଦ ବି ଧରିବାକୁ ପଡ଼ିଥାଏ ।

ଠିକ୍ ଏମିତି ଏକ ଘଟଣା ଚାଇନାରୁ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ଚୁଟି କାଟିବା ପାଇଁ ସେଲୁନ୍‌କୁ ଯାଇଥିଲେ । ସେଠାରେ ଚୁଟି କାଟିବାର ପାଉଣା ଥିଲା ମାତ୍ର ୨୩୦ ଟଙ୍କା । ହେଲେ ତାଙ୍କୁ ଦେବାକୁ ପଡ଼ିଲା ଏକ ଲକ୍ଷ ୧୫ ହଜାର ଟଙ୍କା । ଆଉ ସେତେବେଳେ ପରିସ୍ଥିତି ଏମିତି ଥିଲା ଯେ, ତାଙ୍କୁ ସେହିଠାରେ ତୁରନ୍ତ ୧.୧୫ ଲକ୍ଷ ଟଙ୍କା ଋଣ କରି ସୁଝିବାକୁ ପଡ଼ିଥିଲା । ଆପଣ ଆମ କଥା ଶୁଣି ଦ୍ୱନ୍ଦ୍ୱରେ ପଡ଼ୁଥିବେ । 

ତେବେ ପୁରା ଘଟଣାଟି ହେଲା...

ଚୁଟି କାଟିବାକୁ ଯାଇଥିବା ବ୍ୟକ୍ତି ଜଣକ ଏକ ରେସ୍ତୋରାଂରେ କାମ କରନ୍ତି । ତାଙ୍କର ଜଣେ ବନ୍ଧୁ ୨୩୦ ଟଙ୍କାର ଏକ ସେଲୁନ୍ କୁପନ ଦେଇଥିଲେ । ଏହାକୁ ଦେଖାଇ ସେ ମାଗଣାରେ ବେଜିଂ ହେୟାର ସେଲୁନ୍‌ରେ ଚୁଟି କାଟିପାରିବେ ବୋଲି କହିଥିଲେ । ସେହି ଅନୁସାରେ ବ୍ୟକ୍ତି ଜଣକ ଉକ୍ତ ସେଲୁନ୍‌କୁ ଯାଇଥିଲେ ଏବଂ ସେଠାରେ କୁପନଟିକୁ ସେଲୁନ ବାଲାକୁ ଦେଇଥିଲେ । ଆଉ କହିଥିଲେ ‘ମୋତେ କେବଳ ହେଡ୍‌ ମସାଜ ଦରକାର ।’

ଏହାପରେ ଗ୍ରାହକଙ୍କୁ ଚେୟାରରେ ବସାଇ ସେଲୁନର ଜଣେ କର୍ମଚାରୀ କାମ ଆରମ୍ଭ କଲେ । ଅଚାନକ ଏକ ଫେସ୍‌ ଲୋସନ୍ ଆଣି ତାଙ୍କ ମୁହଁରେ ମାରିଲେ । ଆଉ ତାଙ୍କୁ ସେହି ଲୋସନଟି କିଣିବା ପାଇଁ ପ୍ରବର୍ତ୍ତାଇଲେ । ଯାହାର ଦାମ୍ ଥିଲା ୪୫୮୨ ଟଙ୍କା । 

ଖାଲି ସେତିକି ନୁହେଁ, ଏହାପରେ ସେଲୁନ୍‌ର ମ୍ୟାନେଜର ଉକ୍ତ ଗ୍ରାହକଙ୍କୁ ଆଉ ଏକ ଗିଫ୍ଟ କାର୍ଡ ବା କୁପନ କିଣିବାକୁ ମଧ୍ୟ ପ୍ରବର୍ତ୍ତାଇଥିଲେ । ଏମିତିକି ଏହି ଗିଫ୍ଟ କାର୍ଡ କିଣିଲେ ଅନେକ ଫାଇଦା ମିଳିବ ବୋଲି ସେ ବୁଝାଇଥିଲେ । ଏଥିରେ ଅନେକ ଡିସ୍‌କାଉଣ୍ଟ ମିଳିବ ବୋଲି ମଧ୍ୟ ତାଙ୍କୁ କୁହାଯାଇଥିଲା ।

ଏତେ କଥା ଶୁଣିବା ପରେ ଗ୍ରାହକ ଜଣକ ୫୭,୫୭୧ ଟଙ୍କିଆ ଗିଫ୍ଟ କାର୍ଡ କିଣିବାକୁ ରାଜି ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଯେ ସେ ସେଲୁନ୍‌ର ରେଟ୍ ଲିଷ୍ଟ ବା ପ୍ରାଇସ୍‌ ଲିଷ୍ଟ ଦେଖିନଥିଲେ । କାରଣ ସେ ନିଜ ଚସମା ପିନ୍ଧିନଥିଲେ । କେଉଁ ସର୍ଭିସକୁ କେତେ ଟଙ୍କା ତାହା ସେ ଜାଣିନଥିଲେ ।

ଅନ୍ୟପଟେ ସେଲୁନ୍‌ କର୍ମଚାରୀ ଗ୍ରାହକଙ୍କ ଠାରେ ଗୋଟିଏ ପରେ ଗୋଟିଏ ହେୟାର ପ୍ରଡକ୍ଟ ବ୍ୟବହାର କରିଚାଲିଥିଲେ । ଆଉ ଶେଷରେ ୧.୧୫ ଲକ୍ଷର ଏକ ବିଲ୍‌ ଗ୍ରାହକଙ୍କୁ ଧରାଇଥିଲେ । ବିଲ ଦେଖି ଗ୍ରାହକ ମୁଣ୍ଡରେ ହାତ ଦେଇ ବସିଲେ । କାରଣ ଏତେ ଟଙ୍କା ଦେବା ପାଇଁ ସେ ସମର୍ଥ ନଥିଲେ । ଗ୍ରାହକ ଜଣକ କ’ଣ କରିବେ କ’ଣ ନକରିବେ କିଛି ବୁଝି ପାରୁନଥିଲେ ।

ହଠାତ୍‌ ସେହି ସେଲୁନ୍‌ର ଜଣେ କର୍ମଚାରୀ, ଗ୍ରାହକଙ୍କୁ ଇନ୍‌ଷ୍ଟାଣ୍ଟ ଲୋନ୍‌ କରିବାର ଉପାୟ ଦେଇଥିଲେ । ଆଉ ଗ୍ରାହକ ଜଣକ ତାଙ୍କ କଥା ମାନିବାକୁ ବାଧ୍ୟ ବି ହୋଇଥିଲେ । କାରଣ ଲୋନ୍‌ ନେବା ପାଇଁ ସେଲୁନ୍‌ କର୍ମଚାରୀମାନେ ଗ୍ରାହକଙ୍କୁ ପରୋକ୍ଷରେ ଚାପ ପକାଉଥିଲେ ।  ସେଠାରେ ଏମିତି ପରିସ୍ଥିତି ସୃଷ୍ଟି କରିଥିଲେ ଯେ, ଜଣେ ସେଲୁନ୍ କର୍ମଚାରୀ ତାଙ୍କ ମୋବାଇଲ ଛଡ଼ାଇ ରଖିଥିଲେ । ଆଉ ଲୋନ୍‌ ନେଇ ବିଲ୍‌ ସୁଝିବାକୁ ବାଧ୍ୟ କରିଥିଲେ । ଖାଲି ସେତିକି ନୁହେଁ ଲୋନ ପାଇଁ ଜୋର ଜବରଦସ୍ତ ତାଙ୍କ ନାଁରେ ଆବେଦନ କରିଥିଲେ।

ଏହି ପୁରା ଘଟଣାକୁ ଯଦି ଦେଖିବା ତେବେ ଏଥିରୁ ସ୍ପଷ୍ଟ ଯେ ସେଲୁନ୍‌ରେ ଏକ ବଡ଼ ସ୍କାମ ଚାଲିଛି । ଗ୍ରାହକଙ୍କୁ ଫସାଇ ଜୋରଜବରଦସ୍ତ ଲୋନ ଦିଆଯାଉଛି ।

ତେବେ ସେଠାରୁ ବାହାରିବା ପରେ ବ୍ୟକ୍ତି ଜଣକ ସେଲୁନ୍‌ ବିରୋଧରେ ଆଭିଯୋଗ କରିବେ ବୋଲି ସ୍ଥିର କରିଥିଲେ । ସେ ଲୋକାଲ ଟିଭି ଚ୍ୟାନେଲକୁ ଯୋଗାଯୋଗ କରିଥିଲେ । ଆଉ ତାଙ୍କ ସହ ହୋଇଥିବା ଠକେଇ ବିଷୟରେ ଟିକିନିଖି ସୂଚନା ଦେଇଥିଲେ ।