• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଥାରେ ଅଛି ନା, ବାଡ଼ ଯଦି ଫସଲ ଖାଇବ ତେବେ କହିବେ କାହାକୁ ? ଠିକ୍ ସେହିଭଳି ଯିଏ ଲୋକଙ୍କ ସୁରକ୍ଷା ପାଇଁ ରହିଛି, ସେ ଯଦି ଲୋକଙ୍କ ଉପରେ ଅତ୍ୟାଚାର କରିବ ତାହାଲେ ସାଧାରଣ ଲୋକେ କାହାକୁ କହିବେ ? କିଏ ଶୁଣିବ ସେମାନଙ୍କ ଦୁଃଖ ?

ଠିକ୍‌ ଏମିତି କିଛି ଘଟଣା ଘଟିଛି ଛତିଶଗଡ଼ରେ । ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି । ଏମିତିକି ସ୍ଥାନୀୟ ଗଣମାଧ୍ୟମଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ମଧ୍ୟ ବଡ଼ ବଡ଼ ଗଣମାଧ୍ୟମ ସଂସ୍ଥା ଏହି ଭାଇରାଲ ଭିଡିଓକୁ ନେଇ ରିପୋର୍ଟ ଫାଇଲ କରିଛନ୍ତି । ଖାଲି ସେତିକି ନୁହେଁ ଭିଡିଓକୁ ଦେଖିବା ପରେ ଅନେକ ମହଲରେ ଏହାକୁ ନିନ୍ଦା କରାଯାଇଛି । ବୁଦ୍ଧିଜୀବୀ ମାନେ ପୋଲିସର ଏଭଳି ଆଚରଣକୁ କଡ଼ା ସମାଲୋଚନା କରିଛନ୍ତି ।

ତେବେ ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, ଜଣେ ପୋଲିସ ଅଧିକାରୀ ଗାଁର କିଛି ମହିଳାଙ୍କୁ ମାଡ଼ ମାରୁଛନ୍ତି । ଚୁଟି ଝିଙ୍କୁଛନ୍ତି ଏମିତିକି ମହିଳାଙ୍କୁ ତଳେ ପକାଇ ଜୋତାରେ ଗୋଇଠା ମାରୁଛନ୍ତି । ଖାଲି ଜଣେ ପୋଲିସ ଅଧିକାରୀ ନୁହେଁ, ଅନ୍ୟ ଜଣେ ମହିଳା ପୋଲିସ ଅଧିକାରୀ ମଧ୍ୟ ସମାନ ଢ଼ଙ୍ଗରେ ଗାଁର ମହିଳାଙ୍କୁ ମାଡ଼ ମାରୁଛନ୍ତି । ଛୁଟି ଝିଙ୍କି ତାଙ୍କୁ ଖାଲରେ ପକାଇ ଦେଉଛନ୍ତି । ଏମିତିକି ତାଙ୍କୁ ଠେଲି ତଳେ ପକାଇବା ସହ ଆହୁରି ମାଡ଼ ମାରିବେ ବୋଲି ଧମକ ବି ଦେଉଛନ୍ତି । ପୋଲିସଙ୍କ ମାଡ଼ ଦେଖି ଅନ୍ୟ ମହିଳାମାନେ ଭୟରେ ଥରୁଥିବା ଦେଖାଯାଇଛି ।

ତେବେ ଏତେ ମାଡ଼ ଖାଇବା ସତ୍ତ୍ୱେ ବି ମହିଳାମାନେ ପୋଲିସ ପାଖକୁ ଦୌଡ଼ିଯାଉଛନ୍ତି ଆଉ କାନ୍ଦି କାନ୍ଦି ନେହୁରା ହେଉଛନ୍ତି । ତଥାପି ନିର୍ଦୟ ପୋଲିସର ହୃଦୟ ତରଳୁନି । ମହିଳାଙ୍କୁ ଘୋଷାଡ଼ି ଟାଣି ମାଡ଼ ମାରିବାକୁ ସେମାନେ ପଛାଉ ନାହାନ୍ତି । ସେଠାରେ ଗାଁର କୁନି କୁନି ପିଲାମାନେ ମଧ୍ୟ ଛିଡ଼ା ହୋଇ ସବୁକିଛି ଦେଖୁଛନ୍ତି ।

ତେବେ ଏଭଳି ଏକ ଘଟଣା ଘଟିଛି ଛତିଶଗଡ଼ ସୁରଜପୁର ଜିଲ୍ଲାରେ ଥିବା ତିଲସିଭା ଗାଁରେ । ପ୍ରଶାସନ ପକ୍ଷରୁ ରେଭେନ୍ୟୁ ଅଫିସର ଓ କିଛି ପୋଲିସ ଅଧିକାରୀ ଉକ୍ତ ଗାଁରେ ପହଞ୍ଚିଥିଲେ । ସେଠାରେ ଜବରଦଖଲ ଉଚ୍ଛେଦ ପାଇଁ ପୁରା ଟିମ୍ ପ୍ରସ୍ତୁତ ଥିଲା । ହେଲେ ଗାଁ ଲୋକେ ପ୍ରଶାସନର ଏହି ଟିମ୍‌କୁ ବିରୋଧ କରିଥିଲେ । ଗାଁ ଲୋକ ଏକାଠି ହୋଇ ଆନ୍ଦୋଳନ କରିଥିଲେ । ଏଥିରେ ମହିଳା, ପୁରୁଷଙ୍କ ସମେତ କୁନି କୁନି ପିଲା ମଧ୍ୟ ସାମିଲ ଥିଲେ । ଗାଁ ଲୋକଙ୍କ ବିରୋଧ ବେଳେ ପୋଲିସ ସେମାନଙ୍କ ଉପରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ତେବେ ଏଘଟଣା ନେଇ ସୁରଜପୁର ଏସ୍‌ପି କିଛି ଜାଣିନଥିବା କହିଛନ୍ତି । ପୁଣା ଘଟଣା ସମ୍ପର୍କରେ ବୁଝିବା ପରେ ସେ ଏନେଇ ବୟାନ ଦେବେ ବୋଲି କହିଛନ୍ତି ।